ଚଣ୍ଡିଗଡ଼ : ବିଜେପି ଶାସିତ ହରିୟାଣାରେ ମେ’ ୧୨ ତାରିଖରେ ସମସ୍ତ ଆସନରେ ନିର୍ବାଚନ ହେବ। ତେବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂହ ହୁଦାଙ୍କ ପାଇଁ ଏଥର କର ବା ମର ସ୍ଥିତି ଉପୁଜିଛି। । ବିଜେପି, କଂଗ୍ରେସ ଏବଂ ଓମ୍ ପ୍ରକାଶ ଚୌତାଲାଙ୍କ ଆଇଏନ୍ଏଲଡି ଏବେ ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ପୁର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ନାତି ଅର୍ଜୁନ ଏବଂ ଅନ୍ୟ ଦୁଇଜଣ ଦୁଶ୍ୟନ୍ତ ଏବଂ ଦିଗବିଜୟ ଏବେ ରାଜନୀତି ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଅର୍ଜୁନ ଏବଂ ଦିଗବିଜୟ ଚୌତାଲା ହରିୟାଣାର କୁରୁକ୍ଷେତ୍ର ଏବଂ ସୋନିପତ୍ରୁ ଯଥାକ୍ରମେ ନିର୍ବାଚନ ଲଢ଼ୁଥିବାବେଳେ ହିସାରରେ ତ୍ରିକୋଣୀୟ ଲଢ଼େଇ ହେବ। ଏହି ଆସନରେ ଜେଜେପି ପ୍ରାର୍ଥୀ ଦୁଶ୍ୟନ୍ତ ନିଜ ପୂର୍ବ ବିଜୟକୁ ବଜାୟ ରଖିବାକୁ ଚେଷ୍ଟା ଚଳାଇଥିବାବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ୁଛନ୍ତି କଂଗ୍ରେସର ଭବ୍ୟ ବିଷ୍ଣୋଇ ଏବଂ ବିଜେପିର ବ୍ରିଜେନ୍ଦ୍ର ସିଂହ। ପୂର୍ବତନ ମୁଖ୍ୟମନ୍ତ୍ରୀ ହୁଦା ସୋନିପତରେ ନିର୍ବାଚନ ଲଢ଼ୁଥିବାବେଳେ ତାଙ୍କ ପୁଅ ଦୀପେନ୍ଦ୍ର ଲଗାତାର ଚତୁର୍ଥ ଥର ପାଇଁ ରୋହତକରୁ ନିର୍ବାଚନ ଲଢ଼ୁଛନ୍ତି। ହୁଦା ଜୁନିଅର ଏକମାତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ୨୦୧୪ ଲୋକସଭା ନିର୍ବାଚନ ଜିତିବାରେ ସମର୍ଥ ହୋଇଥିଲେ। ପ୍ରଥମ ଥର ପାଇଁ ବିଜେପି ସରକାର ରାଜ୍ୟରେ କଡ଼ା ବିରୋଧର ସାମ୍ନା କରୁଛି। ରାଜ୍ୟରେ ଜାଟ୍ କୋଟା ଚଳିତ ନିର୍ବାଚନରେ ଏକ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ରାଜ୍ୟର ୩୦ ପ୍ରତିଶତ ଜାଟ୍ ସମ୍ପ୍ରଦାୟର ହୋଇଥିବା ବେଳେ ବିଜେପି ସରକାର ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିନଥିବାରୁ ସେମାନେ ବିଜେପି ଉପରେ ପ୍ରବଳ ଅସନ୍ତୁଷ୍ଟ ଅଛନ୍ତି। ତେଣୁ ଏହାର ପ୍ରଭାବ ନିର୍ବାଚନ ଉପରେ ପଡ଼ିପାରେ ବୋଲି ଏବେ ଆଲୋଚନା ହେଉଛି।
ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ହରିୟାଣାରେ ଖଟ୍ଟର-ହୁଦାଙ୍କ ପାଇଁ କର ବା ମର ସ୍ଥିତି
/sambad/media/post_attachments/wp-content/uploads/2019/04/election-f-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)