ଷଷ୍ଠ ପର୍ଯ୍ୟାୟରେ ୬୩% ମତଦାନ: ପଶ୍ଚିମବଂଗରେ ହିଂସା, ବିଜେପି କର୍ମୀଙ୍କୁ ହତ୍ୟା

ଦିଲ୍ଲୀରେ ଖରାପ୍‌ ଇଭିଏମ୍‌ ଯୋଗୁଁ ସମସ୍ୟା, ୬ଟି ପର୍ଯ୍ୟାୟରେ ୪୮୩ ଆସନରେ ଭୋଟ୍‌ ଶେଷ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଆଜି ୭ଟି ରାଜ୍ୟର ୫୯ଟି ଆସନ ନିମନ୍ତେ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୬୩.୩% ମତଦାନ ହୋଇଥିବା ବେଳେ ୯୭୯ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି। ପଶ୍ଚିମବଂଗରେ ସର୍ବାଧିକ ୮୦.୧୬ ପ୍ରତିଶତ ମତଦାନ ହୋଇଥିବା ବେଳେ ବିହାରରେ ୫୫.୩୨ ପ୍ରତିଶତ, ଉତ୍ତର ପ୍ରଦେଶରେ ୫୧.୮୨ ପ୍ରତିଶତ, ହରିୟାଣାରେ ୬୨.୫୧ ପ୍ରତିଶତ, ମଧ୍ୟପ୍ରଦେଶରେ ୬୦.୩୦ ପ୍ରତିଶତ, ଝାଡ଼ଖଣ୍ଡରେ ୬୪.୪୬ ପ୍ରତିଶତ ଏବଂ ଦିଲ୍ଲୀରେ ୫୫.୫୧ ପ୍ରତିଶତ ମତଦାନ ହୋଇଛି। ମୋଟ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଆଜି ସୁଦ୍ଧା ୬ଟି ପର୍ଯ୍ୟାୟରେ ୪୮୩ ଆସନରେ ଭୋଟ୍‌ ଗ୍ରହଣ ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଆସନ୍ତା ୧୯ ତାରିଖ ଦିନ ସପ୍ତମ ତଥା ଶେଷ ପର୍ଯ୍ୟାୟରେ ୫୯ଟି ଆସନରେ ଭୋଟ୍‌ ଗ୍ରହଣ ହେବ। ପଶ୍ଚିମବଂଗକୁ ବାଦ ଦେଲେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନ୍ୟ ୬ଟି ରାଜରେ ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଛି। ପଶ୍ଚିମବଂଗରେ ଆଜି ୨୦ରୁ ଅଧିକ ସ୍ଥାନରେ ଟିଏମ୍‌ସି ଏବଂ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ। ବିଜେପି ପ୍ରାର୍ଥୀ ଭାରତୀ ଘୋଷଙ୍କ ଉପରେ ଟିଏମ୍‌ସି ସମର୍ଥକମାନେ ଏକ ମତଦାନ କେନ୍ଦ୍ର ନିକଟରେ ଆକ୍ରମଣ କରିବାରୁ ଏହାକୁ ନେଇ ତୀବ୍ର ଉତ୍ତେଜନା ଲାଗି ରହିଛି। ଆକ୍ରମଣରେ ଭାରତୀ ଆହତ ହୋଇଥିବା ବେଳେ ତାଙ୍କ କାର୍‌ ମଧ୍ୟ ଭଙ୍ଗାରୁଜା ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଝାଡ଼ଗ୍ରାମରେ ଆଜି ଜଣେ ବିଜେପି ସମର୍ଥକଙ୍କ ଶବ ଉଦ୍ଧାର ହୋଇଛି। ତାଙ୍କୁ ଟିଏମ୍‌ସି ସମର୍ଥକମାନେ ହତ୍ୟା କରିଥିବା ନେଇ ପୁଲିସରେ ଏତଲା ହୋଇଛି । ଏହି ହତ୍ୟାକାଣ୍ଡକୁ ନେଇ ଅଧିକ ହିଂସା ଆଶଙ୍କା ଥିବାରୁ ସେଠାରେ ବ୍ୟାପକ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ଅନ୍ୟପକ୍ଷରେ ପ୍ରାୟ ୧୨ଟି ବୁଥ୍‌ରେ ଆଜି ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିବାରୁ ନିର୍ବାଚନ କମିସନ ସେଠାରେ ପୁନଃ ମତଦାନ କରାଇବାକୁ ବିଜେପି ଦାବି କରିଛି।

ଦିଲ୍ଲୀରେ ଆଜି କେତେକ ସ୍ଥାନରେ ଖରାପ୍‌ ଇଭିଏମ୍‌ ଯୋଗୁଁ ଭୋଟ୍‌ ଗ୍ରହଣରେ ସମସ୍ୟା ଉପୁଜୁଥିଲା। କିନ୍ତୁ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ବଦଳା ଯିବା ପରେ ମତଦାନ ପ୍ରକ୍ରିୟା ସ୍ବାଭାବିକ ହୋଇଥିଲା। ଆମ୍‌ ଆଦ୍‌ମି ପାର୍ଟି ଦକ୍ଷିଣ ଦିଲ୍ଲୀ ପ୍ରାର୍ଥୀ ରାଘବ ଚଢ଼ା ଅଭିଯୋଗ କରିଛନ୍ତି ସଂଗମ ବିହାର ଅଂଚଳରେ ବିଜେପି କର୍ମୀମାନେ ଜାଲ୍‌ ଭୋଟ୍‌ଦାନ କରିଛନ୍ତି। ଦିଲ୍ଲୀରେ ଭିଭିପିଏଟିରେ ମଧ୍ୟ ତ୍ରୁଟି ରିପୋର୍ଟ ମିଳିବା ପରେ ସେଗୁଡ଼ିକୁ ବଦଳାଇ ନୂତନ ଭିଭିପିଏଟି ମେସିନ୍‌ ଲଗାଯାଇଥିଲା। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ବିଜେପି, କଂଗ୍ରେସ ଏବଂ ୟୁପି ମହାମେଣ୍ଟ ପାଇଁ ଅଗ୍ନି ପରୀକ୍ଷା ସଦୃଶ ହୋଇଛି। ୨୦୧୪ରେ ବିଜେପି ଏହି ୫୯ଟି ଆସନରେ ୩୫.୮ ପ୍ରତିଶତ ଭୋଟ୍‌ ହାସଲ ସହ ୪୪ ଆସନରେ ବିଜୟ ଲାଭ କରିଥିଲା। ଆଜି ଉତ୍ତର ପ୍ରଦେଶର ୧୪ଟି ଆସନରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ମଧ୍ୟପ୍ରଦେଶର ୮ ଆସନ, ହରିୟାଣାର ୧୦ ଆସନ, ଦିଲ୍ଲୀର ୭ ଆସନ, ଝାଡ଼ଖଣ୍ଡର ୪ ଏବଂ ପଶ୍ଚିମବଂଗର ୮ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଛି। ଷଷ୍ଠ ପର୍ଯ୍ୟାୟରେ ୩୪ଟି ରେଡ୍‌ ଆଲର୍ଟ ଆସନ ରହିଥିବାରୁ ସେଗୁଡ଼ିକରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ପର୍ଯ୍ୟାୟରେ ବିଜେପିର ୫୪ ଜଣ ପ୍ରାର୍ଥୀ, ବିଏସ୍‌ପିର ୪, କଂଗ୍ରେସର ୪୬, ଶିବସେନାର ୧୬, ଆପ୍‌ର ୧୨, ଟିଏମ୍‌ସିର ୧୦, ଆଇଏନ୍‌ଏଲ୍‌ଡିର ୧୦, ସିପିଆଇର ୭ ଏବଂ ସିପିଏମ୍‌ର ୬ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ ହୋଇଛି।

ସମ୍ବନ୍ଧିତ ଖବର