ମାଓ ଅଧ୍ୟୁଷିତ ଅଞ୍ଚଳରେ ସକାଳ ୭ଟାରୁ ୪ଟା ଯାଏ ଭୋଟଗ୍ରହଣ

ଭୁବନେଶ୍ବର: ଆସନ୍ତା ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ଆସନ ପାଇଁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। କିନ୍ତୁ ମାଓ ଅଧ୍ୟୁଷିତ ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ସୁରକ୍ଷା ଦୃଷ୍ଟିରୁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରିବାକୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି। ସେଗୁଡ଼ିକ ହେଲା ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ପଦ୍ମପୁର ଓ ଭଟ୍ଟଲି ବିଧାନସଭା ପାଇଁ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିପରି ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ରଘୁନାଥପଲ୍ଲୀ ଓ ବଣାଇ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ୪ଟା ଏବଂ ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀରେ ପାଟଣାଗଡ଼ ଓ କଣ୍ଟାବାଞ୍ଜି ବିଧାନସଭା ପାଇଁ ଭୋଟ ଗ୍ରହଣ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମାଓ ଅଧ୍ୟୁଷିତ କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗରରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ବାକି ସବୁ ବିଧାନସଭା କ୍ଷେତ୍ରରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ କରିବାକୁ ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର