ସ୍ବାଧୀନତା ପରେ: କଂଗ୍ରେସରେ ୭୦ ଥର ବିଭାଜନ

୨୦୧୪ରେ କଂଗ୍ରେସ ଜିତିଥିଲା ୪୪ ଆସନ

ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ସଂଗ୍ରାମରେ କଂଗ୍ରେସ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ୧୮୮୫ ମସିହାରେ ଏହି ଦଳ ଗଠିତ ହୋଇଥିଲା। ତେଣୁ ଏହି ଦଳକୁ କେବେଠାରୁ ୧୦୦ ବର୍ଷ ପୂରଣ ହୋଇସାରିଛି। ଭାରତର ଆଧୁନିକ ରାଜନୀତିରେ ଆସିଥିବା ପ୍ରତ୍ୟେକ ଗୁରୁତ୍ବପୂର୍ଣ୍ଣ ପରିବର୍ତନକୁ ଏହି ଦଳ ଦେଖିଛି। ଏଥିସହିତ କଂଗ୍ରେସରେ ମଧ୍ୟ ଅନେକ ପରିବର୍ତନ ଆସିଛି। ଅନେକଗୁଡିଏ ରାଜନୈତିକ ଦଳ କଂଗ୍ରେସର ବିଭାଜନରୁ ସୃଷ୍ଟି ହୋଇଛି। ତେଣୁ କଂଗ୍ରେସକୁ ଅନ୍ୟ ଦଳର ଏନ୍ତୁଡ଼ିଶାଳ ବା ଅନ୍ୟ ଦଳର ଜନନୀ ବୋଲି ଅନେକ କହିଥାନ୍ତି। ସ୍ବାଧୀନତା ପରଠାରୁ କଂଗ୍ରେସରେ ଅତିକମ୍‌ରେ ୭୦ ଦଳ ସୃଷ୍ଟି ହୋଇଛି। ଏଠାରେ କଂଗ୍ରେସରେ ଘଟିଥିବା କେତେକ ପ୍ରମୁଖ ବିଭାଜନ ଏବଂ ରାଜନୀତିରେ ସେମାନଙ୍କର ପ୍ରଦର୍ଶନ ପ୍ରଦାନ କରାଯାଇଛି। ୧୯୫୧ରେ ଜେ ବି କ୍ରିପାଳିନୀ ପ୍ରଥମେ କିସାନ ମଜଦୁର ପ୍ରଜା ପାର୍ଟି ଗଠନ କରିଥିଲେ। ଏହାପରେ ସି. ରାଜଗୋପାଳଚାରୀ ୧୯୫୬ରେ ଭାରତୀୟ ଜାତୀୟ ଗଣତାନ୍ତ୍ରିକ କଂଗ୍ରେସ, ୧୯୫୬ରେ ସି. ରାଜଗୋପାଳଚାରୀ ଓ ଏନ. ଜି ରଙ୍ଗା ମିଶି ସ୍ବତନ୍ତ୍ର ପାର୍ଟି ଗଠନ କରିଥିଲେ। ୧୯୬୪ରେ କେ. ଏମ୍. ଜର୍ଜ କେରଳ କଂଗ୍ରେସ, ୧୯୬୭ରେ ଚରଣ ସିଂହ ଭାରତୀୟ କ୍ରାନ୍ତି ଦଳ ଏବଂ ଅଜୟ ମୁଖାର୍ଜୀ ବେଙ୍ଗଲ କଂଗ୍ରେସ ଗଠନ କରିଥିଲେ। ୧୯୬୯ରେ କେ. କାମରାଜ ଓ ମୋରାରଜୀ ଦେଶାଇଙ୍କ ଦ୍ବାରା କଂଗ୍ରେସ (ଓ) ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା କଂଗ୍ରେସ (ଆର) ଓ ବିଜୁ ପଟ୍ଟନାୟକଙ୍କ ଦ୍ବାରା ଉତ୍କଳ କଂଗ୍ରେସ ଗଠନ କରାଯାଇଥିଲା।

ଟିଏମ୍‌ସି, ଏନ୍‌ସିପି, ୱାଇଏସ୍‌ଆର୍‌ କଂଗ୍ରେସ ଜିତିଥିଲେ ୪୯ ଆସନ
କଂଗ୍ରେସର ୧୭୮ ପ୍ରାର୍ଥୀ ଅମାନତ ହରାଇଥିଲେ

ଏହାପରେ ୧୯୭୭ରେ ଜଗଜ୍ଜୀବନ ରାମଙ୍କ ଦ୍ବାରା କଂଗ୍ରେସ ଫର୍ ଡେମୋକ୍ରାସି, ୧୯୭୯ରେ ଦେବରାଜ ଉର୍ସଙ୍କ ଦ୍ବାରା କଂଗ୍ରେସ (ଉର୍ସ), ୧୯୮୦ରେ ଏ କେ ଆଣ୍ଟୋନିଙ୍କ ଦ୍ବାରା କଂଗ୍ରେସ (ଏ), ୧୯୮୧ରେ ଶରଦ ପାୱାରଙ୍କ ଦ୍ବାରା କଂଗ୍ରେସ (ସୋସିଆଲିଷ୍ଟ) ଦଳ ଗଠନ ହୋଇଥିଲା। ସେହିଭଳି ୧୯୮୬ରେ ପ୍ରଣବ ମୁଖାର୍ଜୀଙ୍କ ଦ୍ବାରା ରାଷ୍ଟ୍ରୀୟ ସମାଜବାଦୀ କଂଗ୍ରେସ, ୧୯୯୪ରେ ଏନ ଡି ତିୱାରୀ, ନଟବର ସିଂହ ଏବଂ ଅନ୍ୟମାନଙ୍କ ଦ୍ବାରା ଅଲ୍ ଇଣ୍ଡିଆ ଇନ୍ଦିରା କଂଗ୍ରେସ (ତିୱାରୀ), ୧୯୯୭ରେ ମମତା ବାନାର୍ଜୀଙ୍କ ଦ୍ବାରା ତୃଣମୂଳ କଂଗ୍ରେସ, ୧୯୯୯ରେ ଶରଦ ପାୱାରଙ୍କ ଦ୍ବାରା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି, ମୁଫତି ମହମ୍ମଦ ସୟିଦଙ୍କ ଦ୍ବାରା ଜେ ଆଣ୍ଡ କେ ପିଡିପି, ୨୦୦୧ରେ ପି. ଚିଦମ୍ବରମଙ୍କ ଦ୍ବାରା କଂଗ୍ରେସ ଜନନାୟକ ପେରାଭାଇ, ୨୦୦୩ରେ ନିଫ୍ୟୁ ରିଓଙ୍କ ଦ୍ବାରା ନାଗା ପିପୁଲ୍ସ ଫ୍ରଣ୍ଟ, ୨୦୧୧ରେ ଜଗନମୋହନ ରେଡ୍ଡୀଙ୍କ ଦ୍ବାରା ୱାଇଏସଆର କଂଗ୍ରେସ ଗଠନ ହୋଇଛି। ତେବେ କଂଗ୍ରେସରୁ ବିଭାଜିତ ହୋଇଥିବା ଅଧିକାଂଶ ଦଳ ଆଜି ଅଚଳ ହୋଇ ଯାଇଛି କିମ୍ବା କଂଗ୍ରେସରେ ପୁଣି ମିଶିଯାଇଛି। ଅବଶିଷ୍ଟ ଦଳଗୁଡ଼ିକ ମଧ୍ୟରୁ ଅଧିକାଂଶ ଲୋକସଭା ନିର୍ବାଚନରେ ସେତେଟା ସଫଳତା ପାଇପାରିନାହାନ୍ତି। କିନ୍ତୁ ଲୋକସଭା ନିର୍ବାଚନରେ ବସ୍ତୁତଃ ୩ଟି ବିଭାଜିତ ଦଳ ଯଥା ତୃଣମୂଳ କଂଗ୍ରେସ, ଏନସିପି ଏବଂ ୱାଇଏସଆର୍ କଂଗ୍ରେସର ପ୍ରଦର୍ଶନ ଭଲ ରହିଛି। ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସରୁ ବିଭାଜିତ ହୋଇଥିବା ଦଳ ଗୁଡ଼ିକ ମୂଳ ଦଳ ତୁଳନାରେ ଅଧିକ ଆସନରେ ଜିତିଥିଲେ। କଂଗ୍ରେସ ଦଳ ୪୬୪ଟି ଆସନରେ ଲଢ଼ି ୪୪ଟି ଆସନରେ ଜିତିଥିଲା ବେଳେ ତୃଣମୂଳ କଂଗ୍ରେସ ୪୫ଟି ଆସନରେ ଲଢ଼ି ୩୪ରେ ବିଜୟୀ ହୋଇଥିଲା। ସେହିଭଳି ଏନସିପି ୩୬ଟି ଆସନରେ ଲଢ଼ି ୬ଟିରେ ଏବଂ ୱାଏସଆର କଂଗ୍ରେସ ୩୮ଟି ଆସନରେ ଲଢ଼ି ୯ଟିରେ ବିଜୟୀ ହୋଇଥିଲା। କଂଗ୍ରେସର ପ୍ରାୟ ୪୦ ପ୍ରତିଶତ ବା ୧୭୮ ଜଣ ପ୍ରାର୍ଥୀ ସେମାନଙ୍କ ଅମାନତ ଜମାରାଶି ହରାଇଥିଲେ।

ସମ୍ବନ୍ଧିତ ଖବର