ଅଲୱର ଗଣଦୁଷ୍କର୍ମ ରାଜନୀତି ତେଜିଲା: ମାୟାବତୀ ସାଧାରଣ ଜୀବନ ପାଇଁ ଅଯୋଗ୍ୟ

ରାଜନୀତି ପାଇଁ ମୋଦୀ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱର ଗଣଦୁଷ୍କର୍ମ ମାମଲା ନେଇ ଏବେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହୋଇ ଉଠିଛି।‌ ଅଲୱର ଗଣଦୁଷ୍କର୍ମ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମାୟାବତୀଙ୍କ ମଧ୍ୟରେ ବଚସା ଏବେ ଚରମ ସୀମାରେ ପହଞ୍ଚିଛି। ଏହି ମାମଲାରେ ମୋଦୀ ଗତକାଲି ଉତ୍ତରପ୍ରଦେଶର ଏକ ରୢାଲିରେ ମାୟାବତୀଙ୍କୁ ଘେରିଥିବାବେଳେ ମାୟାବତୀ ମଧ୍ୟ ଆଜି ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମାୟାବତୀ କହିଛନ୍ତି ମୋଦୀ ଗତକାଲି ରୢାଲିରେ ଦଳିତମାନଙ୍କ ପାଇଁ ଯେଉଁ ଭଲପାଇବା ଦେଖାଇଥିଲେ ତାହା କେବଳ ଡ୍ରାମା। ମୋଦୀ ଏହାକୁ ନେଇ ମନ୍ଦ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି। ତେବେ ମୋଦୀ ଯେଉଁଠି ନିଜ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ନିଜ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି ସେଠି ସେ ଅନ୍ୟମାନଙ୍କ ପତ୍ନୀ ଏବଂ ଭଉଣୀମାନଙ୍କୁ କିଭଳି ସମ୍ମାନ ଦେବେ ବୋଲି ମାୟାବତୀ ପ୍ରଶ୍ନ କରିଛନ୍ତି। ମାୟାବତୀ ପୁଣିଥରେ କହିଛନ୍ତି, ଦେଶର ମହିଳାମାନଙ୍କୁ ‌ମୋର ବିଶେଷ ଅନୁରୋଧ ଯେ ଏଭଳି ଜଣେ ବ୍ୟକ୍ତିଙ୍କୁ କେହି ଭୋଟ୍‌ ନଦିଅନ୍ତୁ। ତେବେ ମାୟାବତୀଙ୍କର ଏହି ବୟାନ ବିରୋଧରେ ଦୃଢ଼ ଜବାବ ‌ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍‌ଲି। ଜେଟ୍‌ଲି କହିଛନ୍ତି, ମାୟାବତୀ ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମୋଦୀଙ୍କୁ ଯେଭଳି ସମାଲୋଚନା କରିଛନ୍ତି ସେଥିରୁ ଜଣାପଡ଼ିଯାଉଛି ଯେ ସେ ସାଧାରଣ ଜୀବନ ପାଇଁ ଅଯୋଗ୍ୟ।

ବସପା ସୁପ୍ରିମୋ ମାୟାବତୀ ଆଜି ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମୋଦୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜନୀତି ପାଇଁ ମୋଦୀ ତାଙ୍କ ପତ୍ନୀଙ୍କୁ ଛାଡ଼ି ଦେଇଛନ୍ତି ଏବଂ ବିଜେପିର ଅନ୍ୟ ମହିଳା ରାଜନେତାମାନେ ମଧ୍ୟ ଏହି ସମାନ କାରଣ ପାଇଁ ଏବେ ଭୟ କରୁଛନ୍ତି ବୋଲି ମା‌ୟାବତୀ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ଦାବି କରିଛନ୍ତି ଯେ ବିଜେପି ନେତ୍ରୀଙ୍କ ମନରେ ଏବେ ଗୋଟିଏ ଭୟ। ମୋଦୀ ଯଦି ସେମାନଙ୍କ ସ୍ବାମୀଙ୍କୁ ଭେଟିବେ ତେବେ ସେମାନଙ୍କ ସ୍ବାମୀ ସେମାନଙ୍କୁ ଦୂରେଇ ଦେବେ। ତେଣୁ ବିଜେପି ମହିଳା ନେତାମାନେ ସେମାନଙ୍କ ସ୍ବାମୀଙ୍କ ନିକଟରେ ମୋଦୀଙ୍କୁ ଦେଖିଲେ ଭୟ କରୁଛନ୍ତି। ମାୟାବତୀ ପୁଣିଥରେ ଦାବି କରିଛନ୍ତି ‌ଯେ ମୋଦୀ ତାଙ୍କ ନିଜ ପତ୍ନୀଙ୍କୁ ଛାଡ଼ି ଦେଇଥିବାରୁ ସେ ଅନ୍ୟ ମହିଳାମାନଙ୍କୁ ସମ୍ମାନ ଦେଇ ଶିଖିନାହାନ୍ତି। ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବସପା ସୁପ୍ରିମୋ ମାୟାବତୀ ମୋଦୀଙ୍କ ବିରୋଧରେ ଦେଇଥିବା ବୟାନ ପାଇଁ ତାଙ୍କୁ କ୍ଷମା ମାଗିବାକୁ କହିଛନ୍ତି। ଅତ୍ୟନ୍ତ ବ୍ୟକ୍ତିଗତ ସ୍ତରକୁ ଯାଇ ମାୟାବତୀ ମୋଦୀଙ୍କୁ ‌ଯେଭଳି ସମାଲୋଚନା କରିଛନ୍ତି ସେଥିନେଇ ସେ କ୍ଷମା ମାଗିବା ଉଚିତ୍‌ । ମାୟାବତୀଙ୍କ ଏଭଳି ବୟାନରେ ବିଜେପି ନେତ୍ରୀମାନେ ମଧ୍ୟ ଅପମାନିତ ହୋଇଛନ୍ତି। ତେଣୁ ବିଜେପି ନେତ୍ରୀଙ୍କୁ ମଧ୍ୟ ମାୟାବତୀ କ୍ଷମା ମାଗିବାପାଇଁ ଦାବି ହୋଇଛି। ନିର୍ମଳା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ , ମାୟାବତୀ ଅଲୱର ଗଣଦୁଷ୍କର୍ମ ମାମଲାକୁ ନେଇ ରାଜନୀତି କରୁଛନ୍ତି। ସେ ଦୋଷୀ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛନ୍ତି । କିନ୍ତୁ ରାଜସ୍ଥାନ ସରକାରରୁ ସେ ଏଯାବତ୍‌ କାହିଁକି ସମର୍ଥନ ପ୍ରତ୍ୟାହାର କରିନାହାନ୍ତି ସେନେଇ କିଛି କହିବା‌ ପରିବର୍ତ୍ତେ ମୋଦୀ ଏବଂ ବିଜେପି ନେତ୍ରୀଙ୍କୁ ଅପମାନିତ କରୁଛନ୍ତି।

ସମ୍ବନ୍ଧିତ ଖବର