ଆନ୍ଧ୍ରପ୍ରଦେଶ ରାଜନୀତି ପବନ କଲ୍ୟାଣଙ୍କପ୍ରବେଶ ପରେ କଡ଼ା ଟକ୍କର

ନାଇଡ଼ୁ, ରେଡ୍ଡିଙ୍କ ନିଦ ହଜିଲାଣି

ହାଇଦ୍ରାବାଦ୍‌: ଆନ୍ଧ୍ରପ୍ରଦେଶରେ ୨୫ ଲୋକସଭା ଆସନ ଏବଂ ୧୭୫ ବିଧାନସଭା ଆସନରେ ଏଥର ଜୋର୍‌ଦାର ଲଢ଼େଇ ହେବ। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ନେତୃତ୍ବାଧୀନ ଟିଡିପି ଏବଂ ମୁଖ୍ୟ ବିରୋଧୀ ଦଳ ଜଗନ ମୋହନ ‌ରେଡ୍ଡିଙ୍କ ୱାଇଏସଆରସିପି ପରସ୍ପରକୁ ଟକ୍କର ଦେବାପାଇଁ ଉଦ୍ୟମ ଜାରି ରଖିଥିବାବେଳେ ଏବେ ଏମାନଙ୍କ ନିଦ ହଜାଇଦେଇଛନ୍ତି ତେଲୁଗୁ ସୁପର୍‌ଷ୍ଟାର ପବନ କଲ୍ୟାଣ। ଆନ୍ଧ୍ରପ୍ରଦେଶ ରାଜନୀତିରେ ଏଥର ନୂଆ କରି ପ୍ରବେଶ କରିଛି ପବନ କଲ୍ୟାଣଙ୍କ ‘ଜନ ସେନା’। ଏହି ଦଳ ଏବେ ନାଇଡ଼ୁ ଏବଂ ରେଡ୍ଡିଙ୍କୁ ଟକ୍କର ଦେଉଛି।
ପ୍ରଥମ ଥର ପାଇଁ ରାଜ୍ୟରେ ଦୁଇଟି ପ୍ରମୁଖ ଦଳ ବିନା ମେଣ୍ଟରେ ନିର୍ବାଚନ ଲଢ଼ୁଛନ୍ତି। ଗତ ୩ ଦଶନ୍ଧୀ ଧରି ନାଇଡ଼ୁଙ୍କ ନେତୃତ୍ବାଧୀନ ଟିଡିପି ବିଜେପି ଓ ବାମ ଦଳ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। ଟିଡିପି ଗତ ନିର୍ବାଚନରେ ଗୁରୁତ୍ବପୂର୍ଣ୍ଣ ଗୋଦାବରୀ ଜିଲ୍ଲାରେ ଅଧିକାଂଶ ଆସନରେ ବିଜୟ ହାସଲ କରିଥିଲା। କିନ୍ତୁ ଏଥର ନାଇଡ଼ୁ ଏହି ଦୁଇଟି ଜିଲ୍ଲାରେ ଜନସେନା ପକ୍ଷରୁ କଡ଼ା ଚ୍ୟାଲେଂଜ ସାମ୍ନା କରିବେ। ପବନ କଲ୍ୟାଣଙ୍କ କପୁ ସମ୍ପ୍ରଦାୟ ଏବେ ତେଲୁଗୁ ଦେଶମକୁ ଜୋର୍‌ଦାର ବିରୋଧ କରୁଥିବା ନଜିର୍‌ ରହିଛି। ୨୦୧୪ରେ ଗଠନ ହୋଇଥିବା‌ ଜନ ସେନା ଏଥର ରାଜନୀତିରେ ପ୍ରବେଶ କରିଛି। ଏହା ବାମ ଦଳ ଏବଂ ବିଏସ୍‌ପି ସହ ମେଣ୍ଟ କରିଛି। ଏହି ମେଣ୍ଟ ରାଜ୍ୟରେ ସମସ୍ତ ଲୋକସଭା ଏବଂ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି। ଏହାଦ୍ବାରା ପୂର୍ବ ଏବଂ ପଶ୍ଚିମ ଗୋଦାବରୀ ଏବଂ ଉତ୍ତର ଉପକୂଳ ଜିଲ୍ଲାଗୁଡ଼ିକରେ ଭୋଟ୍‌ ବିଭାଜନ ହେବ। ରାଜ୍ୟର ୪ କୋଟି ଭୋଟରଙ୍କ ମଧ୍ୟରୁ କେବଳ ୨୦ ପ୍ରତିଶତ ହେଉଛନ୍ତି କପୁ ସମ୍ପ୍ରଦାୟର । ଏମାନଙ୍କ ସମର୍ଥନ ସିଧାସଳଖ କଲ୍ୟାଣଙ୍କ ନିକଟକୁ ହିଁ ଯିବ ବୋଲି ବିଭିନ୍ନ ଜନମତ ସର୍ଭେରୁ ଜଣାପଡ଼ିଛି। ତେଣୁ ଏଥର ନିର୍ବାଚନରେ ନାଇଡ଼ୁ ଏବଂ ରେଡ୍ଡିଙ୍କୁ କଡ଼ା ମୁକାବିଲାର ସମ୍ମୁଖୀନ ‌ହେବାକୁ ପଡ଼ିବ।

ସମ୍ବନ୍ଧିତ ଖବର