ଏକ୍‌ଜିଟ୍ ପୋଲ୍‌ ଉପରେ ଅଙ୍କୁଶ

ନୂଆଦିଲ୍ଲୀ: ଜନପ୍ରତିନିଧି ଆଇନର ଧାରା ୧୨୬ କ ଅନୁଯାୟୀ ନିଷିଦ୍ଧ ସମୟ ମଧ୍ୟରେ ନିର୍ବାଚନ ଫଳାଫଳ ସମ୍ପର୍କରେ କୌଣସି ପ୍ରକାର ପୂର୍ବାନୁମାନର ପ୍ରସାରଣ/ପ୍ରକାଶନ ନକରିବା ଲାଗି ନିର୍ବାଚନ ଆୟୋଗ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ଜ୍ୟୋତିଷଶାସ୍ତ୍ରୀ, ଟ୍ୟାରୋ ରିଡର, ରାଜନୈତିକ ବିଶ୍ଳେଷକ କିମ୍ବା ‌ଅନ୍ୟ କୌଣସି ବ୍ୟକ୍ତିଙ୍କ ଦ୍ବାରା ନିର୍ବାଚନ ଫଳାଫଳ ସମ୍ପର୍କରେ କୌଣସି ପ୍ରକାରରେ କିମ୍ବା ଢଙ୍ଗରେ ପୂର୍ବାନୁମାନ କରାଯାଇ ପାରିବ ନାହିଁ। ଭୋଟରଙ୍କୁ ଏହା ପ୍ରଭାବିତ କରିବାର ଆଶଙ୍କା ଥିବାରୁ ନିର୍ବାଚନ ଆୟୋଗ ଏପରି କଟକଣା ଜାରି କରିଛନ୍ତି। ଲୋକସଭା ପାଇଁ ସାଧାରଣ ନିର୍ବାଚନ ଏବଂ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକିମ୍ ବିଧାନସଭା ନିର୍ବାଚନ ସମେତ ୨୦୧୯ ସମେତ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ଲାଗି ସମସ୍ତ ଛାପା ଏବଂ ବୈଦ୍ୟୁତିକ ଗଣମାଧ୍ୟମକୁ ଆସନ୍ତା ୧୧ ତାରିଖ ପୂର୍ବାହ୍ନ ୭ଟା ପରଠାରୁ ମେ ମାସ ୧୯ ତାରିଖ ଅପରାହ୍ଣ ୬ଟା ୩୦ ମଧ୍ୟରେ ନିର୍ବାଚନ ପୂର୍ବାନୁମାନର ଫଳାଫଳ ପ୍ରକାଶନ/ପ୍ରସାରଣ ନକରିବା ଲାଗି ଆୟୋଗ ପରାମର୍ଶ ଦେଇଛନ୍ତି।

ଏଥିସହିତ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୬ (୧) (ଖ) ଅନୁଯାୟୀ ନିର୍ବାଚନ ପାଇଁ ବିଭିନ୍ନ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ସ୍ଥାନରେ ଭୋଟ ଗ୍ରହଣ ପୂର୍ବରୁ ୪୮ ଘଣ୍ଟା ମଧ୍ୟରେ ବୈଦ୍ୟୁତିକ ଗଣମାଧ୍ୟମରେ କୌଣସି ପ୍ରକାର ନିର୍ବାଚନ ପ୍ରସଙ୍ଗ କିମ୍ବା ଜନମତ ଫଳାଫଳ ଅଥବା ଜନମତ ସର୍ଭେ ପ୍ରସାରଣକୁ ନିଷିଦ୍ଧ କରାଯାଇଛି। ବୈଦ୍ୟୁତିକ ଏବଂ ଛାପା ଗଣମାଧ୍ୟମ ସହିତ ଅନ୍ୟ କୌଣସି ମାଧ୍ୟମରେ ବି ଏକଜିଟ୍ ପୋଲ୍ କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର