ବାଙ୍କୁରା ଟାଇଗର୍‌, ଡକାୟତରୁ ରାଜନେତା

କୋଲକାତା: ଦିନ ଥିଲା ଫତେନହୁର୍‌ ମୁଲ୍ଲା ଓରଫ ଟାଇଗର୍‌ଙ୍କ ନାମ ଶୁଣିଲେ ପୁଲିସର ନିଦ ହଜିଯାଉଥିଲା। ହେଲେ କେହି ବିଶ୍ୱାସ କରିବେ ନାହିଁ, ଅଚାନକ ଗୋଟିଏ ଘଟଣାରୁ ଅପରାଧ ଜଗତରେ ପାଦ ଦେଇଥିବା ମୁଲ୍ଲା ଦିନେ ଗରିବଙ୍କ ସାହାରା ବନିଯିବେ। ଡକାୟତରୁ ରାଜନେତା ବନି ପଂଚାୟତ ସଦସ୍ୟ ମଧ୍ୟ ହୋଇଛନ୍ତି ମୁଲ୍ଲା। ପଶ୍ଚିମବଂଗର ବାଙ୍କୁରା ଅନ୍ତର୍ଗତ ନୂତନଗ୍ରାମର ବାସିନ୍ଦା ହେଉଛନ୍ତି ଫତେନହୁର୍‌ ମୁଲ୍ଲା। ମୁଲ୍ଲା କିଶୋର ଅବସ୍ଥାରେ ଅଚାନକ ଅପରାଧ ଜଗତରେ ପାଦ ଦେଇଥିଲେ। ୬ ଦଶନ୍ଧି ତଳର ଘଟଣା। ଚୋରି ଅଭିଯୋଗରେ ତାଙ୍କ ଘରର ତଲାସୀ ନିଆଯିବା ପରେ ଏଥିରେ କ୍ଷୁବ୍ଧ ହୋଇ ମୁଲ୍ଲା ଜଣେ ଚୌକିଦାରଙ୍କୁ ଘାତକ ଆକ୍ରମଣ କରିଥିଲେ। ଏହି ଘଟଣା ମୁଲ୍ଲାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା ଏବଂ ସେ ଡକାୟତ ଗ୍ୟାଙ୍ଗ୍‌ରେ ସାମିଲ ହୋଇଥିଲେ। ବହୁତ କମ ସମୟ ମଧ୍ୟରେ ସେ ସ୍ଥାନୀୟ ଅଂଚଳରେ ଚହଳ ସୃଷ୍ଟି କରି ପରବର୍ତ୍ତୀ ସମୟରେ ସେ ନିଜ ଦଳ ଗଠନ କରିଥିଲେ। ଖୁବ୍‌ କମ୍‌ ଦିନ ମଧ୍ୟରେ ଅନେକ ଚାଂଚଲ୍ୟକର ଡକାୟତି କରି ସେ ଟାଇଗର୍‌ ଭାବେ ପରିଚିତ ହୋଇଥିଲେ ଅପରାଧ ଜଗତରେ। କଟକ, ଭୁବନେଶ୍ୱର, ମହିସୂର, ବିଜୟାନଗର, ନୀଳଗିରି ଆଦି ଅଞ୍ଚଳରେ ଘୂରିବୁଲିଲେ ଟାଇଗର୍‌। ଦୀର୍ଘ ତିନି ଦଶନ୍ଧି ଧରି ଅପରାଧରେ ସମ୍ପୁକ୍ତ ରହିବା ପରେ ହଠାତ କଟକ ପୁଲିସ ଦ୍ୱାରା ଧରାପଡ଼ିଥିଲେ। ବିମଳ ରାୟ ନାମକ ପୁଲିସ ଏଏସ୍‌ଆଇ ମୁଲ୍ଲାଙ୍କ ଜୀବନ ବଦଳାଇ ଦେଇଥିଲେ।

୬ ସ୍ତ୍ରୀଙ୍କ ସ୍ୱାମୀ, ୩୩ ସନ୍ତାନଙ୍କ ବାପା ଏବଂ ୨୫୦ ଜଣଙ୍କ ପରିବାରର ମୁଖିଆ ମୁଲ୍ଲା ବର୍ତ୍ତମାନ ବାଙ୍କୁରା ପୁନିସଲ୍‌ରେ ରହୁଛନ୍ତି। ତାଙ୍କୁ ଏବେ ୭୫ ବର୍ଷ। ଡକାୟତରୁ ସେ ଏବେ ସ୍ଥାନୀୟ ଅଂଚଳର ଜଣାଶୁଣା ରାଜନେତା ବନିଯାଇଛନ୍ତି। ଗରିବଙ୍କ ଘରର ଛାତ ନିର୍ମାଣ ହେଉ ବା ଗରିବ ଝିଅଙ୍କ ବାହାଘର ହେଉ, ସେ ସବୁବେଳେ ସହାୟତାର ହାତ ବଢ଼ାଇ ବନିଯାଇଛନ୍ତି ସେହି ଅଂଚଳର ରବୀନହୁଡ। ୨୦୦୮ରେ ସେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାର୍ଥୀ ଭାବେ ପଂଚାୟତ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ସମ୍ବନ୍ଧିତ ଖବର