କାହା ସପକ୍ଷରେ ଯିବ ବାରବାଟୀ-କଟକ?

୧୯୮୫ ପରଠାରୁ ରହି ଆସିଛି ଅଣକଂଗ୍ରେସ ଗଡ଼, ଏକଦା ବୀରେନ, ନନ୍ଦିନୀ ହୋଇଥିଲେ ମୁଖ୍ୟମନ୍ତ୍ରୀ

କଟକ,(କୃଷ୍ଣପ୍ରସାଦ ଦାସ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନ ବାଜି କିଏ ଜିତିବ? ଗଲା ଦୁଇଟି ସାଧାରଣ ନିର୍ବାଚନରେ ବିଜୟୀ ହୋଇ ଆସିଥିବା ଦେବାଶିଷ ସାମନ୍ତରାୟ ପୁଣି ଥରେ ଏଠୁ ବିଜେଡି ପ୍ରାର୍ଥୀ ହେବେ ତ? ଦେବାଶିଷ ଯଦି ଅନ୍ୟ କୌଣସି ଆସନକୁ ଯାଆନ୍ତି ତେବେ ତାଙ୍କ ବଦଳରେ ବିଜେଡି ପ୍ରାର୍ଥୀ କିଏ ହେବେ? କଂ‌େଗ୍ରସର ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଏକପ୍ରକାର ନିର୍ବାଚନ ପ୍ରଚାର ଆରମ୍ଭ କରି ଦେଇଥିବା ଇଂଜିନିୟର ମହମ୍ମଦ ମୋକିମ ନିଜ ସପକ୍ଷରେ କେତେ ଦୂର ଜନମତକୁ ନେବାରେ ସକ୍ଷମ ହେବେ? ଏହି ଗୁରୁତ୍ବପୂର୍ଣ୍ଣ ଆସନରୁ ବିଜେପି ପ୍ରାର୍ଥୀ କିଏ ହେ‌େବ? ପୂର୍ବତନ ମନ୍ତ୍ରୀ ସମୀର ଦେ ପୁଣି ଥରେ ଏଠୁ ଭାଗ୍ୟ ପରୀକ୍ଷା କରିବେ କି? ଏବେ ଏମିତି ମାଳ ମାଳ ପ୍ରଶ୍ନର ଉତ୍ତର ଖୋଜୁଛନ୍ତି କଟକିଆ।

ବର୍ତ୍ତମାନର ବାରବାଟୀ-କଟକ ଏବଂ ୨୦୦୯ ପୂର୍ବରୁ କଟକ ସହର ବିଧାନସଭା ଆସନର ଗୁରୁତ୍ବ ସବୁ ବେଳେ ରାଜ୍ୟ ରାଜନୀତିରେ ରହି ଆସିଛି। ଏହି ଆସନରୁ ବିଜୟୀ ହୋଇ ଦୁଇ ଜଣ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରେନ ମିତ୍ର ଏବଂ ନନ୍ଦିନୀ ଶତପଥୀ ଏକଦା ଏହି ଆସନରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ସମୀର ଦେ ଓ ସୟଦ ମୁସ୍ତାଫିଜ ଅହମ୍ମଦ ଏହି ଆସନରୁ ଏକାଧିକ ଥର ବିଜୟୀ ହେବା ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଗୁରୁତ୍ବପୂର୍ଣ୍ଣ ବିଭାଗ ସମ୍ଭାଳି ଥିଲେ।

ଏହି ଆସନ ୧୯୮୫ ନିର୍ବାଚନ ପରଠାରୁ ସବୁ ବେଳେ ଅଣକଂଗ୍ରେସ ଦଳ ହାତରେ ରହି ଆସିଛି। ୧୯୮୦ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ଶ୍ରୀକାନ୍ତ ପଣ୍ଡା ଶେଷ ଥର ପାଇଁ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୫ ଏବଂ ୧୯୯୦ ନିର୍ବାଚନରେ ସୟଦ ମୁସ୍ତାଫିଜ ଅହମ୍ମଦ ଏହି ଆସନରୁ ଜନତା ପାର୍ଟି ଓ ଜନତା ଦଳ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିବା ବେଳେ ୧୯୯୫, ୨୦୦୦ ଓ ୨୦୦୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଭାବେ ସମୀର ଦେ ହାଟ୍ରିକ ବିଜୟ ହାସଲ କରିଥିଲେ। ୧୯୫୧, ୧୯୫୭, ୧୯୬୧, ୧୯୬୭ ନିର୍ବାଚନରେ ବୀରେନ ମିତ୍ର କଂଗ୍ରେସ ପ୍ରାର୍ଥୀ ଭାବେ ଏହି ଆସନରୁ ଲଗାତର ୪ ଥର ବିଜୟ ହାସଲ କରିଥିଲେ। ୧୯୭୧ରେ ଜନ କଂଗ୍ରେସ ପ୍ରାର୍ଥୀ ଭାବେ ଭୈରବ ମହାନ୍ତି ବିଜୟୀ ହୋଇଥିବା ବେଳେ ୧୯୭୨ ଉପ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭାବେ ନନ୍ଦିନୀ ଶତପଥୀ କଟକରୁ ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୯୭୭ ନିର୍ବାଚନରେ ଜନତା ପାର୍ଟି ପ୍ରାର୍ଥୀ ଭାବେ ବିଶ୍ବନାଥ ପଣ୍ଡିତ ଏହି ଆସନରୁ ନିର୍ବାଚନ ଜିତି ବିଧାୟକ ହୋଇଥିଲେ।

୧୯୯୫ରୁ ୨୦୦୯ ପର୍ଯ୍ୟନ୍ତ ଯଦିଓ ବିଜେପି ହାତରେ ଏହି ଗୁରୁତ୍ବପୂର୍ଣ୍ଣ ଆସନ ରହିଥିଲା, କିନ୍ତୁ ୨୦୦୯ ନିର୍ବାଚନରେ ବିଜେପି ତୃତୀୟ ସ୍ଥାନକୁ ଚାଲି ଯାଇଥିଲା। ୨୦୦୯ ନିର୍ବାଚନରେ ବିଜେଡି ୫୨ ହଜାରରୁ ଅଧିକ ଭୋଟ ପାଇଥିବା ବେଳେ କଂଗ୍ରେସ ୨୭ ହଜାରରୁ ଅଧିକ ଭୋଟ ଏବଂ ବିଜେପି ୧୫ ହଜାରରୁ ଅଧିକ ଭୋଟ ପାଇଥିଲା। ୨୦୧୪ ନିର୍ବାଚନରେ ୩ଟି ଯାକ ପ୍ରମୁଖ ଦଳ ନିଜନିଜର ଭୋଟ ବୃଦ୍ଧି କରିଥିଲେ ବି ଅନୁରୂପ ଢଙ୍ଗରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ବିଜେଡିକୁ ୫୭ ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ କଂଗ୍ରେସକୁ ୪୩ ହଜାରରୁ ଅଧିକ ଭୋଟ ଏବଂ ବିଜେପିକୁ ୨୦ ହଜାରରୁ ଅଧିକ ଭୋଟ ମିଳିଥିଲା। ୨୦୧୯ରେ ଏହି ଅଙ୍କ କାହା ସପକ୍ଷରେ ଯିବ, ତାହାକୁ ନେଇ ଅଙ୍କକଷା ଚାଲିଥିଲେ ବି ପ୍ରାର୍ଥୀ ଚୟନ ପରେ ସ୍ଥିତି ଅଧିକ ସ୍ପଷ୍ଟ ହେବ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ଦେବାଶିଷ ସାମନ୍ତରାୟ   ୫୭,୬୩୩
କଂଗ୍ରେସ    ମହମ୍ମଦ ମୋକିମ         ୪୩,୩୩୫
ବିଜେପି     ପ୍ରଦୀପ ସ୍ବାଇଁ              ୨୦,୫୫୨

ସମ୍ବନ୍ଧିତ ଖବର