ବାରଣାସୀ ଲଢ଼େଇ, ପ୍ରିୟଙ୍କା ପ୍ରାର୍ଥୀ ନହେବାର ଭିତିରି କଥା

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିପକ୍ଷରେ ପ୍ରାର୍ଥୀ ନହେବାକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ମୋଦୀଙ୍କ ବିରୋଧରେ କଂଗ୍ରେସ ଅଜୟ ରାୟଙ୍କୁ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ କରାଇଥିବା ବେଳେ ଏହା ପଛରେ କଂଗ୍ରେସର ସୁଚିନ୍ତିତ ରଣନୀତି ଥିବା କୁହାଯାଉଛି। ବାରଣାସୀରୁ ପ୍ରିୟଙ୍କା ପ୍ରାର୍ଥୀ ହେବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଭାଇ ତଥା କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡ଼ି ଦେଇଥିଲେ ଏବଂ ଏହି ମାମଲରେ ‌ମା’ ସୋନିଆ ଗାନ୍ଧୀଙ୍କ ନିଷ୍ପତ୍ତି ମଧ୍ୟ ଗୁରୁତ୍ବପୂର୍ଣ୍ଣ ଥିଲା। ପ୍ରିୟଙ୍କାଙ୍କ ଯୁକ୍ତି ଥିଲା ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିରୋଧୀଙ୍କୁ ରାଜନୈତିକ ବିରୋଧୀ ଅପେକ୍ଷା ବ୍ୟକ୍ତିଗତ ବିରୋଧୀ ଭାବେ ଗ୍ରହଣ କରନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ନିଜ ଗଡ଼ରେ ହିଁ ଘେରିବାକୁ ପ୍ରିୟଙ୍କା ଗୁରୁତ୍ବାରୋପ କରୁଥିଲେ ଏବଂ ବାରଣାସୀରୁ ପ୍ରାର୍ଥୀ ହେବେ ବୋଲି ଅନେକ ବାର ସଙ୍କେତ ଦେଇଥିଲେ। ତେବେ ଏହା ସାକାର ହୋଇପାରି ନଥିବାରୁ ପୂର୍ବ ଉତ୍ତର ପ୍ରଦେଶରେ କଂଗ୍ରେସ ମହଲରେ ନୈରାଶ୍ୟ ଦେଖିବାକୁ ମିଳିଛି ଏବଂ ବିଜେପି ଏଥିରୁ ଭରପୂର ଫାଇଦା ଉଠାଇବାକୁ ପ୍ରୟାସ ଆରମ୍ଭ କରିଛି। ତେବେ ପ୍ରିୟଙ୍କାକୁ ନ ଲଢ଼ାଇବାକୁ ନିଷ୍ପତ୍ତି ନେଇ କଂଗ୍ରେସ ବିଜ୍ଞତାର ପରିଚୟ ଦେଇଛି ବୋଲି ରାଜନୈତିକ ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଇଛି। ରାହୁଲ ଆମେଥି ସହିତ କେରଳର ୱାୟନାଡ଼ ଆସନରୁ ମଧ୍ୟ ନିର୍ବାଚନ ଲଢ଼ୁଛନ୍ତି। ଯଦି ଉଭୟ ଆସନରୁ ସେ ବିଜୟୀ ହୁଅନ୍ତି ତା’ହେଲେ ଆମେଥି ଆସନ ସେ ଖାଲି କରିବେ ଏବଂ ସେଠାରୁ ଉପନିର୍ବାଚନରେ ପ୍ରିୟାଙ୍କାଙ୍କୁ ପ୍ରାର୍ଥୀ କରି ସଂସଦ ପଠାଇବାକୁ ଭିତିରି ଯୋଜନା କରାଯାଇଛି। ଅନ୍ୟପକ୍ଷରେ ପ୍ରିୟଙ୍କାଙ୍କୁ ସମଗ୍ର ପୂର୍ବ ଉତ୍ତରପ୍ରଦେଶର ଯେଉଁ ଦାୟିତ୍ବ ଦିଆଯାଇଛି ତାହା ମଧ୍ୟ ସେ ସଫଳତାର ସହ ନିର୍ବାହ କରିପାରିବେ ବୋଲି ଦଳ ଚିନ୍ତା କରିଛି। ତେବେ ବାରଣାସୀରୁ ପ୍ରିୟଙ୍କା ଓହରିବା ପରେ ଆମେଥିରେ ମଧ୍ୟ ବିଜେପି କଂଗ୍ରେସ ବିରୋଧରେ ପ୍ରଚାରକୁ ଅଧିକ ଜୋର୍‌ଦାର କରିଛି ଏବଂ କଂଗ୍ରେସର ଦୁର୍ବାଳତାକୁ ସାମ୍ନାକୁ ଆଣିଛି। ଅନ୍ୟପକ୍ଷରେ ଆମେଥି ଏବଂ ରାୟବରେଲି ଆସନରେ ଏଥର ପ୍ରତିଦ୍ବନ୍ଦ୍ବିତା ପୂର୍ବାପେକ୍ଷା ଅଧିକ ତୀବ୍ର ଥିବାରୁ ଉଭୟ ଆସନର ଦାୟିତ୍ବରେ ଥିବା ପ୍ରିୟାଙ୍କକୁ ବାରଣାସୀରେ ବ୍ୟସ୍ତ ରଖିଲେ ଏହି ଦୁଇ ଆସନରେ କିଛି ବି ଘଟଯାଇପାରେ ବୋଲି ସୋନିଆ ଚିନ୍ତା ପ୍ରକଟ କରିଥିଲେ। ଏହି କାରଣରୁ ମଧ୍ୟ ପ୍ରିୟଙ୍କାକୁ ପ୍ରାର୍ଥୀ ଘୋଷଣା କରାଗଲା ନାହିଁ ବୋଲି କେତେକ ସୂତ୍ରରୁ ଜଣାପଡ଼ଇଛି । ଅନ୍ୟପକ୍ଷରେ ପ୍ରିୟଙ୍କା ପ୍ରାର୍ଥୀ ହୋଇଥିଲେ ଗାନ୍ଧୀ ପରିବାର ବିରୋଧରେ ଯୁଦ୍ଧ ଡାକରା ଦେଇଥିବା ମୋଦୀ ପରିବାର ବିରୋଧରେ ଅହରହ ପ୍ରହାର କରିଥାନ୍ତେ ଏବଂ ତାହାର ମୁକାବିଲା କରିବା ପ୍ରିୟଙ୍କାଙ୍କ ପକ୍ଷରେ ସମ୍ଭବ ହୋଇନଥାନ୍ତା ବୋଲି ଦଳର କେତେକ ବରିଷ୍ଠ ନେତା ମଧ୍ୟ ମତପ୍ରକାଶ କରିଥିଲେ। ଏସବୁ କାରଣରୁ ପ୍ରିୟଙ୍କାକୁ ବାରଣାସୀରୁ ପ୍ରାର୍ଥୀ କରିବାରୁ କଂଗ୍ରେସ ଓହରିଗଲା ଏବଂ ୨୦୧୪ ନିର୍ବାଚନରେ ତୃତୀୟ ସ୍ଥାନରେ ଥିବା ଅଜୟ ରାୟଙ୍କୁ ପ୍ରାର୍ଥୀ ଘୋଷଣା କରିବାକୁ ଏକପ୍ରକାର ବାଧ୍ୟ ହୋଇଥିଲା।

ସମ୍ବନ୍ଧିତ ଖବର