ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଏଥର ରୋଚକ ଲଢେଇ ଦେଖିବାକୁ ମିଳିବ। ଖାସ୍ ରାଜନୀତିରେ ପ୍ରବେଶ ପାଇଁ ଗତବର୍ଷ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଥିବା ପୂର୍ବତନ ଆଇଏଏସ୍ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ଏଠାରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ବେଳେ ପୂର୍ବତନ ଆଇପିଏସ୍ ଅଧିକାରୀ ଅରୂପ ପଟ୍ଟନାୟକଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସକ୍ରିୟ ରାଜନୀତିରେ ଏହି ଦୁଇ ଜଣ ନବାଗତ ହୋଇଥିଲେ ମଧ୍ୟ ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କ ମଧ୍ୟରେ ଏହି ଲଢେଇ ବର୍ତ୍ତମାନ ରାଜଧାନୀର ଗଳିକନ୍ଦିରେ ଆଲୋଚ୍ୟ ବିଷୟ ହୋଇଛି। ଅପରାଜିତା ୯୪ ବ୍ୟାଚ୍ର ଓଡ଼ିଶା କ୍ୟାଡ଼ର ଆଇଏଏସ୍। ତାଙ୍କ ଘର ବିହାରରେ। ବିବାହ କରିଛନ୍ତି ପୁରୀ ଜିଲ୍ଲା କାକଟପୁରରେ। ତାଙ୍କ ସ୍ବାମୀ ସନ୍ତୋଷ ଷଡ଼ଙ୍ଗୀ ମଧ୍ୟ ଆଇଏଏସ୍। ଅପରାଜିତା ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଥିବା ବେଳେ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପାଇଁ ୟୁନିଫର୍ମ ଲାଗୁ କରି ଚର୍ଚ୍ଚାକୁ ଆସିଥିଲେ। ଶିକ୍ଷା କ୍ଷେତ୍ରରେ କେତେକ ଗଠନମୂଳକ କାର୍ଯ୍ୟ ଏବଂ ବିଏମ୍ସି କମିଶନର ଭାବେ ତାଙ୍କର ଉନ୍ନୟନ କାମକୁ ଲୋକେ ମେନ ରଖିଛନ୍ତି।
ସେହିପରି ପୁରୀ ଜିଲ୍ଲା ଡେଲାଙ୍ଗ ବାସିନ୍ଦା ହେଉଛନ୍ତି ଅରୁପ ପଟ୍ଟନାୟକ। ମହାରାଷ୍ଟ୍ର କ୍ୟାଡ଼ରର ଏହି ଆଇପିଏସ୍ ଅଫିସର ଜଣକ ୮୦ ଦଶକରେ ମୁମ୍ବାଇର କୁଖ୍ୟାତ ଅଣ୍ଡର ୱାଲଡ୍ ଡନ୍ମାନଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ଖେଳାଇ ଦେଇଥିଲେ। ମୁମ୍ବାଇର ପୁଲିସ କମିସନର ଥିବା ବେଳେ ସେ ଗ୍ୟାଙ୍ଗ୍ୱାର ଓ ମାଫିଆ ଡନ୍ମାନଙ୍କୁ ଦୃଢ ହସ୍ତରେ ଦମନ କରି ଜାତୀୟସ୍ତରରେ ଜଣେ ସାହସୀ ଅଫିସର ଭାବେ ପରିଚିତ ହୋଇଥିଲେ। ମହାରାଷ୍ଟ୍ର ପୁଲିିସରେ ସେ ଜଣେ ଦବଙ୍ଗ ଅଫିସର ଭାବେ ଜଣାଶୁଣା। ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଏହି ଦୁଇ ଚର୍ଚ୍ଚିତ ବ୍ୟକ୍ତିତ୍ବ ଭୋଟରମାନଙ୍କୁ କେତେ ପ୍ରଭାବିତ କରୁଛନ୍ତି ତାହା ଆଉ ଦିନ କେଇଟା ପରେ ଜଣାପଡ଼ିଯିବ। ତେବେ ରାଜଧାନୀର ଶିକ୍ଷିତ ଭୋଟ୍ ସାଙ୍ଗକୁ ବସ୍ତିବାସିନ୍ଦାଙ୍କ ଭୋଟ୍କୁ ଯିଏ ଅଧିକ ହାତେଇ ପାରିବ ସେ ହିଁ ଏଠାରୁ ବାଜିମାତ କରିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Untitled-7-9.jpg)