ମୋଦୀଙ୍କ ଶପଥ ଉତ୍ସବ: ଯୋଗଦେବେ ବିମ୍‌ଷ୍ଟେକ୍ ନେତା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୩୦ ତାରିଖ ସଂଧ୍ୟା ୭ଟାରେ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ଉତ୍ସବରେ ମୋଦୀଙ୍କ ସମେତ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ମଧ୍ୟ ପଦ ଓ ଗୋପନୀୟତାର ଶପଥ ନେବେ। ତେବେ ଚଳିତ ଥର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତ ପକ୍ଷରୁ ବିମ‌ଷ୍ଟେକ୍ ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଛି। ବିମ୍‌ଷ୍ଟେକ୍ ବା ବେ ଅଫ୍ ବେଙ୍ଗଲ ଇନିସିଏଟିଭ ଫର୍ ମଲ୍ଟି-ସେକ୍ଟରାଲ ଟେକ୍ନିକାଲ ଆଣ୍ଡ ଇକୋନୋମିକ୍ ‌କୋଅପରେସନର ସଦସ୍ୟ ରାଷ୍ଟ୍ର ଭାବେ ଭାରତ ସମେତ ବାଂଲାଦେଶ, ମିଆଁମାର, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଏବଂ ଭୁଟାନ ରହିଛନ୍ତି। ଭାରତ ସରକାରଙ୍କ ‘ପଡ଼ୋଶୀ ପ୍ରଥମ’ ଏବଂ ‘ଲୁକ୍ ଇଷ୍ଟ୍‌’ ନୀତି ଅନୁଯାୟୀ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସାଂଘାଇ ସହଯୋଗ ସଂଗଠନର ଅଧ୍ୟକ୍ଷ ଥିବା କିର୍‌ଗିଜ୍ ଗଣତନ୍ତ୍ରର ରାଷ୍ଟ୍ରପତି ଏବଂ ଚଳିତ ବର୍ଷ ପ୍ରବାସୀ ଭାରତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମରିସସର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆମନ୍ତ୍ରଣ କରାଯାଇଛି। ଗତଥର ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ସାର୍କ ଦେଶର ନେତୃବୃନ୍ଦଙ୍କୁ ଭାରତ ପକ୍ଷରୁ ଆମନ୍ତ୍ରଣ କରାଯାଇଥିଲା। ସେତେବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍ ମଧ୍ୟ ଯୋ‌ଗଦେଇଥିଲେ। ତେବେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ସମ୍ପର୍କ ଖରାପ ହୋଇଯାଇଥିବାରୁ ଏଥର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଆମନ୍ତ୍ରଣ କରାଯିବ କି ନାହିଁ ସେ ନେଇ ବର୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇନାର୍ହି। କିନ୍ତୁ ଏହା ସ୍ପଷ୍ଟ ଯେ, ବଙ୍ଗୋପସାଗରରେ ଚୀନ ବଢ଼ାଇ ଚାଲିଥିବା ଆଧିପତ୍ୟକୁ ରୋକିବା ଲାଗି ଭାରତ ବିମଷ୍ଟେକ୍ ସଦସ୍ୟ ରାଷ୍ଟ୍ରଙ୍କ ସହ ସମ୍ପର୍କ ମଜବୁତ କରିବା ନିମନ୍ତେ ଏସବୁ ଦେଶର ନେତୃବୃନ୍ଦଙ୍କୁ ଆମନ୍ତ୍ରଣ କରୁଛି। ଏହାଫଳରେ ଗତ ଦୁଇ ଦଶନ୍ଧି ପୂର୍ବରୁ ଅଚଳ ହୋଇ ପଡ଼ିଥିବା ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଂଘ (ଏସଏଏଆରସିଓ)କୁ କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ମଧ୍ୟ ରଖାଯାଇଛି।

ସମ୍ବନ୍ଧିତ ଖବର