ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବୈଜୟନ୍ତଙ୍କୁ ଘେରିଲା ବିଜେଡି

ସାଂସଦ ପଦରେ ଥାଇ ନିଜ ଖଣି କମ୍ପାନୀ ପାଇଁ ଅର୍ଥ ଯୋଗାଡ଼ କରିଥିଲେ ବୈଜୟନ୍ତ: ବିଜେଡି

ଭୁବନେଶ୍ବର: ବିଜେପିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଜଣେ ରାଜନେତା ନୁହଁନ୍ତି ସେ ଜଣେ ବ୍ୟବସାୟୀ। ନିଜ ବ୍ୟବସାୟିକ ସ୍ବାର୍ଥ ପାଇଁ ସେ ରାଜନୈତିକ ପଦବିର ବ୍ୟବହାର କରିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ଥିବାବେଳେ ବିଜେପି ଉପସଭାପତି ତଥା ସାଂସଦ ପ୍ରାର୍ଥୀଙ୍କ ଗୁମର ଖୋଲିଛି ବିଜେଡି। ୨୦୧୪ରେ ସାଂସଦ ଭାବେ ନିର୍ବାଚିତ ହେବା ପରେ କାହିଁକି ଶ୍ରୀ ପଣ୍ଡା ଅର୍ଥ ସଂକ୍ରାନ୍ତ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ ଓ ନିଜ ପଦମର୍ଯ୍ୟାଦାର ଦୁରୁପୋଯୋଗ କରି ନିଜ ଖଣି କମ୍ପାନୀ ଇମ୍ଫାର ବ୍ୟବସାୟ ବୃଦ୍ଧି ପାଇଁ ଶ୍ରୀ ପଣ୍ଡା କାର୍ଯ୍ୟ କରିଥିଲେ ଦଳ ତାର ପର୍ଦ୍ଧାଫାସ କରିଛି। ଏହାସହିତ ଇଭିଏମ ଭାଙ୍ଗିବା ଘଟଣାରେ ବିଜେପିର ସତ୍ୟବାଦୀ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ରାଜ୍ୟ ବାହାରକୁ କିଏ ପଠାଇଦେଇଛି ତାକୁ ନେଇ ମଧ୍ୟ ବିଜେଡି ପ୍ରଶ୍ନ ଉଠାଇଛି। ୨୦୧୪ ମେ ୨୦ ତାରିଖରେ ଇମ୍ଫାର ବୋର୍ଡ଼ ଅଫ ଡାଇରେକ୍ଟର୍ସ ବୈଠକର ସାର୍ଟିଫାଏଡ୍ କପି ପ୍ରଦର୍ଶନ କରି ବିଜେଡି ଦର୍ଶାଇଛି, ଏହି ବୈଠକରେ କମ୍ପାନୀର ଉପାଧ୍ୟକ୍ଷ ଭାବେ ଶ୍ରୀ ପଣ୍ଡା ସୂଚନା ଦେଇ କହିଥିଲେ ଏସଆରଇଆଇ ଇନଫ୍ରାଷ୍ଟ୍ରକଚର୍ ଫାଇନାନ୍ସ ପକ୍ଷରୁ ଇମ୍ଫାର ସହଯୋଗୀ କମ୍ପାନୀ ଉତ୍କଳ କୋଲ ଲିମିଟେଡକୁ ୧୧୦ କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି। କମ୍ପାନୀର ଆର୍ଥିକ କାରବାର ସହ ଉପାଧ୍ୟକ୍ଷ ଶ୍ରୀ ପଣ୍ଡା ସମ୍ପୂର୍ଣ୍ଣ ଭାବେ ସଂଶ୍ଲିଷ୍ଟ ଏଥିରୁ ପ୍ରମାଣିତ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି। ଇମ୍ଫା ପାଇଁ ଋଣ ସମ୍ପର୍କିତ କାଗଜପତ୍ରରେ ଦସ୍ତଖତ କରିବାର କ୍ଷମତା ମଧ୍ୟ ତାଙ୍କୁ ଦିଆଯାଇଥିଲା। ପୂର୍ବରୁ ଏ ନେଇ ଯେତେବେଳେ ବି ଅଭିଯୋଗ ହୋଇଛି ଇମ୍ଫା ଖଣି କମ୍ପାନୀ ସହ ତାଙ୍କର କୌଣସି ସମ୍ପର୍କ ନଥିବା ନେଇ ଶ୍ରୀ ପଣ୍ଡା ସଫେଇ ଦେଇଆସିଛନ୍ତି। ଖାଲିସେତିକି ନୁହେଁ, ଆଉ ଗୋଟିଏ ଦସ୍ତାବିଜ୍ ପ୍ରଦର୍ଶନ କରି ବିଜେଡି ଅଭିଯୋଗ କରିଛି ୨୦୧୪ ଜୁନ୍ ୪ ତାରିଖରେ ଇମ୍ଫା କମ୍ପାନୀର ଆର୍ଥିକ କମିଟି ପରିଚାଳନା ବୈଠକରେ ଆଇସିଆଇସିଆଇ ବ୍ୟାଙ୍କରୁ ୪୩୦ କୋଟି ଟଙ୍କା ଋଣ କରିବାକୁ ମଧ୍ୟ ଶ୍ରୀପଣ୍ଡାଙ୍କୁ କ୍ଷମତା ପ୍ରଦାନ କରାଯାଇଥିଲା। ଠିକ୍ ଏହି ସମୟରେ ଦିଲ୍ଲୀରେ ସଂସଦର ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟିର ଅଧ୍ୟକ୍ଷଭାବେ ତାଙ୍କୁ ମନୋନୀତ କରିବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ହେବା ପରେ ଶ୍ରୀ ପଣ୍ଡା ତାଙ୍କ ପାରିବାରିକ କମ୍ପାନୀ ଇମ୍ଫା ପାଇଁ ହଜାର ହଜାର କୋଟି ଟଙ୍କାର ବ୍ୟାଙ୍କ ଋଣ ଉଠାଇବାକୁ ଯୋଜନା କରୁଥିଲେ। ହଜାର ହଡାର କୋଟି ଟଙ୍କାର ଋଣ ନେଇ ସେସବୁକୁ ପରିଷୋଧ ନକରିବା ଶ୍ରୀ ପଣ୍ଡାଙ୍କ ଚାଲ୍ ବୋଲି ଏ ଦୁଇ ପ୍ରମାଣିତ ନକଲ ସ୍ପଷ୍ଟ କରୁଥିବା ବିଜେଡି କହିଛି।

ଇଭିଏମ ଭାଙ୍ଗିଥିବା ସତ୍ୟବାଦୀ ବିଜେପି ପ୍ରାର୍ଥୀ ଓମ ପ୍ରକାଶଙ୍କୁ ରାଜ୍ୟବାହାରକୁ ପଠାଇବାରେ କାହାର ହାତ?

ଶ୍ରୀ ପଣ୍ଡାଙ୍କୁ ଟାର୍ଗେଟ କରି ବିଜେଡି ଆହୁରି କହିଛି, ବୈଜୟନ୍ତ ବାବୁ କେବେ ବି ରାଜନେତା ନଥିଲେ ସେ ସର୍ବଦା ରାଜନୀତିକୁ ତାଙ୍କ ବ୍ୟବସାୟିକ ସ୍ବାର୍ଥ ପାଇଁ ଉପଯୋଗ କରିଆସିଛନ୍ତି। ଏବେ ବୈଜୟନ୍ତ ପଣ୍ଡା ବିଭିନ୍ନ ବ୍ୟାଙ୍କରୁ ୨୩ ଶହ କୋଟି ଟଙ୍କା ଋଣ ନେଇ ପରିଶୋଧ କରିନାହାନ୍ତି। କେନ୍ଦ୍ରାପଡ଼ାବାସୀ ବୈଜୟନ୍ତଙ୍କ ଅସଲ ଚେହେରା କଣ ସବୁ ଜାଣିସାରିଲେଣି। କେନ୍ଦ୍ରାପଡ଼ାର ବିକାଶ ପାଇଁ ତାଙ୍କ ପାଖରେ ସମୟ ନାହିଁ। ଦଶନ୍ଧି ଧରି ସାଂସଦ ରହିଥିଲେ ବି ଜିଲ୍ଲାକୁ ରେଳ ଲାଇନ ବିଛାଇବା କାମର ଅଗ୍ରଗତି ନେଇ କେବେ ବି ଚେଷ୍ଟା କରିନାହାନ୍ତି। କେବଳ ନିଜ ଖଣି କମ୍ପାନୀ ଇମ୍ଫାର ସ୍ବାର୍ଥକୁ ଆଗରେ ରଖି କେନ୍ଦ୍ରାପଡ଼ାବାସୀଙ୍କୁ ଠକିଆସିଛନ୍ତି। ଏହାର ଜବାବ ଆଗାମୀ ଦିନରେ ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡ଼ାବାସୀ ଉଚିତ ଜବାବ ଦେବେ ବୋଲି ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି। ଅନ୍ୟପଟେ ଇଭିଏମ ଭାଙ୍ଗିବା ଘଟଣାରେ ପୁଲିସକୁ ଚକମା ଦେଇ ବିଜେପିର ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରିବାରେ କାହାର ହାତ ଅଛି ବୋଲି ବିଜେପିକୁ ଟାର୍ଗେଟ କରିଛି ବିଜେଡି। ମୁଖପାତ୍ର ଡଃ ପାତ୍ର ଅଭିଯୋଗ କରିଛନ୍ତି ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲିଥିବାବେଳେ ବିଜେପି ନେତା ଓ କର୍ମୀ ଯେପରି ହିଂସାକାଣ୍ଡ ଘଟାଇ ପୋଲିଂ କର୍ମଚାରୀ ଓ ଭୋଟରଙ୍କୁ ଭୟଭୀତ କରିବାକୁ ଉଦ୍ୟମ କରିଛନ୍ତି ସେଭଳି ପରିସ୍ଥିତି ଓଡ଼ିଶା ରାଜନୀତିରେ କେବେ ବି ଦେଖିବାକୁ ମିଳିନଥିଲା। ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ଇଭିଏମ ଭାଙ୍ଗି ଯେପରି ପୋଲିଂ ଅଧିକାରୀଙ୍କୁ ଭୟଭୀତ କରିଥିଲେ ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଆଇନ ଆଖିରେ ସମସ୍ତେ ସମାନ। ଆଇନକୁ ହାତକୁ ନେଇଥିବାରୁ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପୁଲିସ ଗିରଫ କରିଛି। ଏବେ ବିଜେପି ନେତାମାନେ କାହିଁକି ଆଇନକୁ ସମ୍ମାନ ଦେବାକୁ ଭୁଲିଯାଉଛନ୍ତି। ଅପରାଧ କରି କାହିଁକି ଲୁଚୁଛନ୍ତି। ଅଭିଯୁକ୍ତ ଓମ ପ୍ରକାଶ ମିଶ୍ରଙ୍କୁ ଧରିବା ପାଇଁ ପୁଲିସ ପୁଲିସ ଲୁକ୍ ଆଉଟ୍ ନୋଟିସ ଜାରି କରିବା ସହ ଏବେ ସେ କେଉଁଠି ବୋଲି ବିଜେଡି ପ୍ରଶ୍ନ କରିଛି। ଏହାସହିତ ବିଜେଡି ଆଶଙ୍କା ପ୍ରକଟ କରି କହିଛି ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେପରି ଭାବେ ବିହାର ଓ ମଧ୍ୟପ୍ରଦେଶରୁ ହିଂସା ସଂସ୍କୃତି ଆମଦାନୀ କରି ରାଜ୍ୟରେ ମୁକ୍ତ ଓ ଅବାଧ ନିର୍ବାଚନକୁ ପ୍ରଭାବିତ କରିବାକୁ ଉଦ୍ୟମ କରୁଛନ୍ତି ତାର ଜବାବ ଆଗାମୀ ଦିନରେ ଲୋକେ ବ୍ୟାଲଟରେ ଦେବେ। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଓ ମୁଖପାତ୍ର ସୁଲତା ଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର