ମାଲକାନଗିରିରେ ବିେଜଡି ଦି’ ଭାଗ, ମୁକୁନ୍ଦ-ମାଡ଼କାମୀ ବିବାଦ ତେଜିଲା

ଦଳର ବଂଗୀୟ ଭୋଟ ବ୍ୟାଙ୍କ ବି ଫାଟିଗଲା

ମାଲକାନଗିରି: ପ୍ରାର୍ଥୀ ଘୋଷଣାରେ ବିଳମ୍ବ ଯୋଗୁଁ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି। ଗତକାଲି ବିଧାୟକ ମାନସ ମାଡକାମୀଙ୍କ ସପକ୍ଷରେ କିଛି ବଂଗୀୟ ଭୋଟର ଆନ୍ଦୋଳନ ପାଇଁ ସଜବାଜ ହୋଇ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ଗାଳିଗୁଲଜ କରିଥିଲେ। ଆଜି ମୁକୁନ୍ଦ ସୋଡିଙ୍କ ଶିବିରରେ ଅନ୍ୟ ଏକ ବଂଗୀୟ ଭୋଟର ଗୋଷ୍ଠୀ ବିଧାୟକ ମାନସ ମାଡକାମୀଙ୍କୁ ତୁରନ୍ତ ହଟାଇବାକୁ ଦାବି କରିଛନ୍ତି। ଯାହାଫଳରେ ଏହି ନିର୍ବାଚନ ମଣ୍ଡଳୀର ବିେଜଡି ଖାତାରେ ଥିବା ବଂଗୀୟ ଭୋଟର ବସ୍ତୁତଃ ଦୁଇ ଭାଗ ହୋଇଯାଇଛି। ବିଜେଡି ସୁପ୍ରିମୋ ମାଲକାନଗିରି ନିର୍ବାଚନ ମଣ୍ଡଳୀରେ କାହାକୁ ପ୍ରାର୍ଥୀ କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। ଯାହାଫଳରେ ପ୍ରାର୍ଥୀ ଘୋଷଣା ବିଳମ୍ବିତ ହେବାରେ ଲାଗିଛି। ଟିକଟ ପାଇଁ ଦଳର ଦୁଇ ନେତା ଦାବିଦାର ରହିଛନ୍ତି। ତେଣୁ ବିଧାୟକ ମାନସ ମାଡକାମୀଙ୍କ ଗୋଷ୍ଠୀ ଭୁବନେଶ୍ବରରେ ପହଞ୍ଚି ମାନସଙ୍କୁ ଟକେଟ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଚଳିତ ନିର୍ବାଚନ‌େର ମାଲକାନଗିରି ବିଧାନସଭା ଆସନକୁ ହାତେଇବାକୁ ହେଲେ ମାନସ ମାଡକାମୀଙ୍କୁ ଟିକେଟ ଦେବା ପାଇଁ କିଛି ବଂଗୀୟ ଭୋଟର ଭୁବନେଶ୍ବରରେ ଡେରା ପକାଇଛନ୍ତି। ଅନ୍ୟପଟେ ମାଲକାନଗିରି ସ୍ଥିତ କୁମୁଟୁଗୁଡାରେ ମୁକୁନ୍ଦ ସୋଡିଙ୍କ ଗୋଷ୍ଠୀ ଅସ୍ଥାୟୀ ବିଜେଡି କାର୍ଯ୍ୟାଳୟ ଖୋଲି ଆଗାମୀ କାର୍ଯ୍ୟପନ୍ଥା ନିର୍ଧାରଣ କଲେଣି। ଏମିତି ସ୍ଥିତିରେ ମାନସ ମାଡକାମୀଙ୍କୁ ଟିକେଟ ଦିଆନଗଲେ ତାଙ୍କ ଗୋଷ୍ଠୀ ମୁକୁନ୍ଦ ସୋଡୀଙ୍କୁ ସିଧା ସଳଖ ବିରୋଧ କରିବେ ବୋଲି ଏବେ ଠାରୁ ପ୍ରଚାର ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ,ଏହି ଗୋଷ୍ଠୀ କନ୍ଦଳ ଏବର ନୁହେଁ। ବର୍ଷକ ତଳୁ ଆରମ୍ଭ ହୋଇଥିଲା। ଏଥିପାଇଁ ପୂର୍ବରୁ ବି କିଛି ନେତାଙ୍କୁ ଦଳରୁ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବହିଷ୍କୃତ କରାଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସେହି ଗୋଷ୍ଠୀ ମୁକୁନ୍ଦ ସୋଡିଙ୍କ କ୍ୟାମ୍ପରେ ସାମିଲ ହୋଇଯାଇଛନ୍ତି। ଏହାପରେ କନ୍ଦଳ ଦଳୀୟ କାର୍ଯ୍ୟାଳୟରୁ ବାହାରି ରାସ୍ତାକୁ ଚାଲି ଆସିଛି। ଏମିତି ଦୁଇ ଗୋଷ୍ଠୀର ଛକାପଞ୍ଝା ମଧ୍ୟରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହାକୁ ପ୍ରାର୍ଥୀ ରୂପେ ଚୟନ କରୁଛନ୍ତି ତାହା ଉପରେ ସମସ୍ତଙ୍କର ନଜର ରହିଛି। କଂଗ୍ରେସ ପକ୍ଷରୁ ସୋମବାର ମାଲା ମାଢ଼ିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ତେବେ ଘୋଷଣା ପୂର୍ବରୁ ହିଁ ଗତକାଲି ସକାଳେ ମାଲା ମାଢ଼ି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେପି ମଧ୍ୟ ଆଜି ସଂଧ୍ୟା ସୁଦ୍ଧା ନିଜର ପ୍ରାର୍ଥୀ ଚୟନ କରିନଥିଲେ ମଧ୍ୟ ଆଦିତ୍ୟ ମାଢିଙ୍କୁ ଟିକଟ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର