ଭୁବନେଶ୍ବର: ରାଜ୍ୟରେ ନିର୍ବାଚନ ଆଚରଣ ବିଧିକୁ ବିଜେପି ଖୋଲାଖୋଲି ଉଲଂଘନ କରି ଚାଲିଥିବା ନେଇ ମୁଖ୍ୟ ନିର୍ବାଚନ କମିସନଙ୍କୁ ବିଜେଡି ଅଭିଯୋଗ ପତ୍ର ପ୍ରଦାନ କରିଛି। ୮ଟି ଘଟଣାରେ ପୂର୍ବରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦଳ ଅଭିଯୋଗ କରିଛି। ସେହିପରି ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ୍ ପାତ୍ର ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବ୍ୟବହାର କରି ଭୋଟ ଭିକ୍ଷା କରିବା ସହିତ ଓଟିଭି ଓ ବିଜେପି ବିରୋଧରେ ପୂର୍ବ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି ବିଜେଡି।
ଅଭିଯୋଗ ପତ୍ରରେ ବିଜେଡି ଦର୍ଶାଇଛି, ନିର୍ବାଚନ ପ୍ରକ୍ରିୟା ସହିତ ଜଡ଼ିତ ଅଧିକାରୀମାନଙ୍କ ଭାଷା ଓ ଅଞ୍ଚଳକୁ ନେଇ ବିଜେପି ସେମାନଙ୍କୁ ଧମକଚମକ ଦେବା ସହ ଭାଷା ଓ ଧର୍ମକୁ ନେଇ ଭୋଟ ଭିକ୍ଷା କରୁଛି। ହିଂଜିଳି ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟଙ୍କ ଗାଡ଼ିକୁ ଫ୍ଲାଇଁ ସ୍କ୍ବାର୍ଡ଼ ଯାଞ୍ଚ ପାଇଁ ଅଟକାଇବାରୁ ସେ କିଭଳି ଉତକ୍ଷିପ୍ତ ହୋଇଥିଲେ ତାର ଭିଡିଓ ନିଜେ ପ୍ରାର୍ଥୀ ଶ୍ରୀ ଆଚାର୍ଯ୍ୟ ତାଙ୍କ ଫେସବୁକ୍ ଆକାଉଣ୍ଟରେ ପକାଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଫଟୋ ଉଠାଉଥିବା ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀଙ୍କୁ ଶ୍ରୀ ପ୍ରଧାନ ଧମକାଇବା ସହ ତାଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଭିଯୋଗ ହୋଇଥିଲା। ବିଜେପିର ଅଫିସିଆଲ ଫେସବୁକ୍ ପେଜରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରାଯାଇ ଅନେକ ତାତ୍ସଲ୍ୟପୂର୍ଣ୍ଣ ଭିିଡିଓ ପୋଷ୍ଟ୍ କରାଯାଇଛି। ଏପରିକି ବିଜୁ ଜନତା ଦଳ ବିରୋଧରେ ଦୁଇଟି କାର୍ଟୁନ୍ ଭିଡିଓ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠୁ ଏମସିଏମସିି ଅନୁମତି ନିଆଯାଇନଥିବା ସିଇଓଙ୍କ କାର୍ଯ୍ୟାଳୟ ମଧ୍ୟ ସ୍ପଷ୍ଟ କରିଛି।
ବିଜେଡି ଆହୁରି ଦର୍ଶାଇଛି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଅଡିଓ କ୍ଲିପରେ ରାଜ୍ୟର ଜଣେ ଅଣ ଓଡ଼ିଆ ଆଇପିଏସ ଅଫିସର କିଛି ଅଣଓଡ଼ିଆ ଆଇଏସଙ୍କ ସହ ମିଶି ଲୁଟ କରୁଛନ୍ତି ଏବଂ ଓଡ଼ିଶାର ପୁଲିସ ଅଫିସରଙ୍କ ଉପରେ ରାଜ୍ କରୁଛନ୍ତି। ସେହିପରି ହିଞ୍ଜିଳି ଆସନ ପାଇଁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ପୀତାମ୍ବର ଆଚାର୍ଯ୍ୟ ଶେରଗଡ଼ ଥାନା ପୁଲିସ ଅଧିକାରୀମାନଙ୍କୁ ଧମକାଇବା ସହ ହାଜତକୁ ଜୋରଜବରଦସ୍ତ ଖୋଲୁଥିବା ଭିଡିଓ ତାଙ୍କ ଫେସବୁକ୍ ପେଜରେ ପୋଷ୍ଟ ହୋଇଛି। ବିଜେପି ଉପ-ସଭାପତି ସମୀର ମହାନ୍ତି ଭୁବନେଶ୍ବର-ଉତ୍ତର ନିର୍ବାଚନମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ୫୦ ଜଣ ସମର୍ଥକଙ୍କୁ ଧରି ଧସେଇ ପଶିବା ସହ ବିଜେଡି ପ୍ରାର୍ଥୀ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗ କରିବା ସହ ଅଫିସକୁ ଜାଳିଦେବେ ବୋଲି ଧମକାଇଥିଲେ। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଲଢ଼ୁଥିବା ବିଜେପି ପ୍ରାର୍ଥୀ ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଯେଉଁ ହେଲିକପ୍ଟର ଧରି ନିର୍ବାଚନ ପ୍ରଚାର କରୁଛନ୍ତି ତାହାର ବ୍ୟାବସାୟିକ ଉଡ଼ାଣ ଲାଇସେନ୍ସ ନାହିଁ।
ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଭୋଟ ଭିକ୍ଷା କଲାବେଳେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବ୍ୟବହାର କରିବା ସହ ଧର୍ମ ନାଁରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଜାରି ହୋଇଥିବା ୪୮ଘଣ୍ଟାର ନିରବ ଅବଧି ଭିତରେ ଓଟିଭି ଓ ବିଜେପି ଦଳର ନେତାମାନେ କିପରି ନିୟମ ଉଲଂଘନ କରି ଭୋଟରଙ୍କୁ ପ୍ରଭାବିତ କରିବା ଭଳି ବୟାନବାଜି କରିଥିଲେ। ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ସରିବାକୁ ଆଉ ମାତ୍ର ୧୩ ଦିନ ବାକି ଥିବାବେଳେ ବିଜେଡିର ଅଭିଯୋଗ ଉପରେ କିଛି ବି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଜାଲ ଗୁଇନ୍ଦା ଚିଠି ସମେତ ପେଟ୍ରୋଲ ପମ୍ପ୍ ଓ ଗ୍ୟାସ୍ ଏଜେନ୍ସିଗୁଡ଼ିକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଭାବିତ କରୁଥିବା ନେଇ ଅଭିଯୋଗ ହୋଇଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ସହିତ ଅନେକ ସ୍ଥାନରେ ଏବେ ବି କେନ୍ଦ୍ର ସରକାରଙ୍କ ହୋର୍ଡ଼ିଂ ଓ ପୋଷ୍ଟର ଲାଗିଥିବା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ଅଭିଯୋଗ କରିଛି।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରିବାକୁ ଯାଇଥିବା ବିଜେଡି ପ୍ରତିନିଧିମଣ୍ଡଳୀରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ବିଜେଡି ଆଇଟି ସେଲ୍ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର, ଲେନିନ୍ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ସୁଲୋଚନା ଦାସ, ସୁଲତା ଦେଓ ଏବଂ ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ସାମିଲ ଥିଲେ।
ନିର୍ବାଚନ କମିସନରେ ପୁଣି ଫେରାଦ ହେଲା ବିଜେଡି
ଧର୍ମେନ୍ଦ୍ର, ସମ୍ବିତ୍ ପାତ୍ର, ଓଟିଭି ଏବଂ ବିଜେପି ବିରୋଧରେ ଆଣିଲା ଅଭିଯୋଗ
/sambad/media/post_attachments/wp-content/uploads/2019/04/BJD-BJP-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)