ବିଜେପିକୁ ଘେରିଲା ବିଜେଡି: ବୁଥ୍‌ ରିଗିଂ, ଫେକ୍‌ ନ୍ୟୁଜ୍‌ ନେଇ ଅଭିଯୋଗ

ଭୁବନେଶ୍ବର: ଆଜି ଚତୁର୍ଥ ତଥା ଶେଷ ପର୍ଯ୍ୟାୟର ନିର୍ବାଚନ ଚାଲିଥିବା ବେଳେ ବିଜେପି ବୁଥ୍‌ ରିଗିଂ, ଆଚରଣ ବିଧି ଉଲ୍ଲଂଘନ ଭଳି ବିଭିନ୍ନ ଅନିୟମିତ କାରବାର କରିଥିବା ନେଇ ଅଭିଯୋଗ କରିଛି ବିଜେଡି। ଏସବୁ ଅଭିଯୋଗ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ ନିକଟରେ ଦାବି କରିଛି।

ସିଇଓଙ୍କୁ ଦେଇଥିବା ଅଭିଯୋଗପତ୍ରରେ ବିଜେଡି ଦର୍ଶାଇଛି ଯେ ବିଜେପିର ଗୁଣ୍ଡାମାନେ ଯାଜପୁର ଲୋକସଭା ଆସନ ଅନ୍ତର୍ଗତ ବରୀ ନିର୍ବାଚନ ମଣ୍ଡଳୀର ୧୨ଟି ବୁଥ୍‌କୁ ଜବର ଦଖଲ କରିଛନ୍ତି। ଏହାର ପ୍ରମାଣ ସ୍ବରୂପ ବିଜେଡି ପକ୍ଷରୁ ଭିଡିଓ ସମ୍ବଳିତ ପେନ୍‌ ଡ୍ରାଇଭ ସିଇଓଙ୍କୁ ଦିଆଯାଇଛି। ସେହି ବୁଥ୍‌ଗୁଡ଼ିକ ହେଉଛି ରାମଚନ୍ଦ୍ରପୁର, ଆଳିପୁର-୧, ଆଳିପୁର-୨, ବଡ଼ ଚନ୍ଦ୍ରଶେଖରପୁର, ବରୀ ପଞ୍ଚାୟତ ହାଇସ୍କୁଲ(୧୬୫), ବରୀ ପଞ୍ଚାୟତ ହାଇସ୍କୁଲ(୧୬୬), କୃପାସିନ୍ଧୁ ବିଦ୍ୟାଭବନ ବରୀ, ବରୀ ଉର୍ଦୁ ସ୍କୁଲ(୧୬୯), ବରୀ ଉର୍ଦୁ ସ୍କୁଲ(୧୭୦), ଉଦୟନାଥପୁର ପ୍ରକଳ୍ପ ବିଦ୍ୟାଳୟ(୧୮୧) ଓ ଉଦୟନାଥପୁର ପ୍ରକଳ୍ପ ବିଦ୍ୟାଳୟ(୧୮୨)। କେନ୍ଦ୍ରାପଡ଼ା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଲୋକଙ୍କ ପ୍ରଶ୍ନବାଣର ଶିକାର ହୋଇଥିବା ବେଳେ ତା’କୁ ଓଟିଭି ନ୍ୟୁଜ୍‌ ଚ୍ୟାନେଲ୍‌ ଚାପି ଦେଇ ଫେକ୍ ନ୍ୟୁଜ୍‌ ଦେଖାଇଛି। ଏହା ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ସେହିପରି ନିର୍ବାଚନର ନିରବ ମୁହୂର୍ତ ସମୟରେ ବୈଜୟନ୍ତ ଟେଲିଭିଜନ୍‌ ଚ୍ୟାନେଲ୍‌କୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ବାହାରର ଜଣେ ଓଟିଭି ସାମ୍ବାଦିକ ନିଜ ମାଲିକଙ୍କ ପାଇଁ ରିପୋର୍ଟର ଆଳରେ ପ୍ରଚାର କରିଛନ୍ତିି। ଅନ୍ୟ ଏକ ଅଭିଯୋଗପତ୍ରରେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ନିଜେ ନିର୍ବାଚନର ନିରବ ମୁହୂର୍ତରେ ଟ୍ବିଟର ମେସେଜ୍‌ ଜରିଆରେ ଦଳ ପାଇଁ ଭୋଟ ମାଗିଥିବା ଦର୍ଶାଇଛି ବିଜେଡି।
କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀରେ ଓଟିଭି ଚ୍ୟାନେଲ୍‌ର ୧୦/୧୨ଟି ଟିମ୍‌ ସେମାନଙ୍କର ମାଲିକ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ବେଆଇନ ଭାବେ ‌ମତଦାତାମାନଙ୍କୁ ପ୍ରବର୍ତାଇବା ସଙ୍ଗେ ସଙ୍ଗେ ବିଜେଡିକୁ ବଦନାମ କଲାଭଳି ଖବର ପ୍ରସାରଣ କରିଥିବା ଅଭିଯୋଗ ହୋଇଛି। ସେହିପରି ବିଜେପି ଆଚରଣ ବିଧି ଉଲ୍ଲଂଘନ କରି ନିରବ ମୁହୂର୍ତରେ ନମ୍ବର(+୯୧-୪୦୭୧୩୨୧୦୦୨)ରୁ ଭଏସ୍‌ କଲ୍‌ କରୁଥିବା ଅଭିଯୋଗ କରିଛି ବିଜେଡି। ଆଜି ଦଳୀୟ ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ, ଲେନିନ୍‌ ମହାନ୍ତି ପ୍ରମୁଖ ସିଇଓଙ୍କୁ ଭେଟି ଏ ସମସ୍ତ ଅଭିଯୋଗ ଓ ପ୍ରମାଣ ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର