ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୬ଟି ଜିଲ୍ଲାର ଜିଲ୍ଲାପାଳ ଶାସକଦଳର ଇଙ୍ଗିତରେ କାର୍ଯ୍ୟକରୁଥିବା ନେଇ ବିଜେପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ କରିଛି। ସେହିପରି ଏହି ପର୍ଯ୍ୟାୟରେ ବୁଥ ରିଗିଂ ଓ ବୁଥ କ୍ୟାପଚରିଂ ହୋଇଥିବା ବୁଥ ଗୁଡ଼ିକରେ ସାନି ମତଦାନ କରିବାକୁ ମଧ୍ୟ ଦଳ ଦାବି କରିଛି। ଏହାସହିତ କେନ୍ଦ୍ରାପଡ଼ାରେ ପୋଲିଂ କାର୍ଯ୍ୟରେ ନିୟୋଜିତ ପ୍ରିଜାଇଡିଂ ଓ ପୋଲିଂ ଅଧିକାରୀଙ୍କୁ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବାକୁ ପୋଷ୍ଟାଲ ବାଲଟ ଯୋଗାଇବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କୁ ବିଜେପି ପ୍ରଦାନ କରିଥିବା ଅଭିଯୋଗରେ ଦର୍ଶାଇଛି, ମୟୁରଭଞ୍ଜ, ବାଲେଶ୍ବର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲାପାଳମାନେ ଶାସକ ଦଳର ଇଙ୍ଗିତରେ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧି ଉଲଂଘନ କରିଛନ୍ତି। ଏହାସହିତ ଜିଲ୍ଲାପାଳମାନେ ପୋଲିଂ ଅଧିକାରୀମାନଙ୍କୁ ପୋଷ୍ଟାଲ ବାଲଟ ଯୋଗାଇବାରେ ଫେଲ ମାରିଛନ୍ତି। ସେହିପରି ଦିବ୍ୟାଙ୍ଗମାନଙ୍କ ପାଇଁ ହ୍ବିଲ ଚେୟାର, ପିଇବା ପାଣି ଆଦି ମୌଳିକ ସୁବିଧା ବୁଥ ମାନଙ୍କରେ ଯୋଗାଇ ପାରିନାହନ୍ତି। ଶାସକଦଳର ଗୁଣ୍ଡାମାନଙ୍କ ଦ୍ବାରା ବୁଥ ରିଗିଂ, କ୍ୟାପଚରିଂ ହେବା ସହ ବିଜେପିର ବୁଥ ଏଜେଣ୍ଟ ଓ କର୍ମୀମାନଙ୍କ ଉପରେ ଆକ୍ରମଣ ହେଉଥିଲେ ବି ଜିଲ୍ଲାପାଳ ନୀରବଦ୍ରଷ୍ଟା ସାଜିଛନ୍ତି। ସେହିପରି କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ କର୍ତ୍ତବ୍ୟରତ ୧ ହଜାର ୨୦୦ ପ୍ରିଜାଇଡିଂ ଏବଂ ପୋଲିଂ ଅଫିସରମାନେ ଭୋଟ ଦେଇପାରିନାହାନ୍ତି। ଏ ନେଇ ଗତ ୨୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସରଙ୍କ ଆଗରେ ପ୍ରିଜାଇଡିଂ ଏବଂ ପୋଲିଂ ଅଧିକାରୀମାନେ ଧାରଣ ଦେବା ପରେ ବି ଭୋଟ ଦେବା ଅଧିକାରରୁ ସେମାନଙ୍କୁ ବଞ୍ଚିତ କରାଯାଇଛି।
ଚତୁର୍ଥ ପର୍ଯ୍ୟାୟରେ ରିଗିଂ ଓ କ୍ୟାପଚରିଂ ବୁଥରେ ପୁନଶ୍ଚ ଭୋଟିଂ କରିବାକୁ ଦାବି
ପ୍ରିଜାଇଡିଂ ଏବଂ ପୋଲିଂ ଅଫିସରମାନଙ୍କ ମତାଧିକାର ପାଇଁ ପୋଷ୍ଟାଲ ବାଲାଟ ଯୋଗାଇବାକୁ ଦାବି
ବିଜେପି ଆହୁରି ଦର୍ଶାଇଛି, ଚତୁର୍ଥ ପର୍ଯ୍ୟାୟ ନିର୍ବାଚନବେଳେ ମୟୁରଭଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀର ମୋରଡ଼ା ବିଧାନସଭାରେ ବିଜେଡି ଗୁଣ୍ଡାମାନେ ହିଂସା ଭିଆଇ ବୁଥ କ୍ୟାପଚରିଂ କରି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଧମକ ଦେଇଛନ୍ତି। ଏଥିସହ ଗୁଣ୍ଡାମାନେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ସହ ବିଜେପି ଏଜେଣ୍ଟମାନଙ୍କୁ ବଳପୂର୍ବକ ବୁଥ ଭିତରୁ ବାହାର କରିଥିଲେ। ବରୀ ନିର୍ବାଚନମଣ୍ଡଳୀର ୨୮ ନମ୍ବର ବୁଥରେ ବିଜେପି ଏଜେଣ୍ଟମାନଙ୍କୁ ମାଡ଼ ମାରିବା ସହ ମରଣାନ୍ତକ ଆକ୍ରମଣ କରି ବୁଥ ବାହାରକୁ ପଠାଇଦେଇଥିଲେ। ସେହିପରି ଆଳି ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୩୧୦,ଧର୍ମଶାଳା ନିର୍ବାଚନମଣ୍ଡଳୀର ବୁଥ ନମ୍ବର ୧୭୩ ,୧୭୪ ଓ ଯାଜପୁର ନିର୍ବାଚନମଣ୍ଡଳୀର ୧୫୪ ନମ୍ବର ବୁଥରେ ସାନି ମତଦାନ କରିବାକୁ ବିଜେପି ଦାବି କରିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପ୍ରଦାନ କରିବାକୁ ଯାଇଥିବା ବିଜେପି ପ୍ରତିନିଧିଦଳରେ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି, ସମ୍ପାଦକ କାଳିନ୍ଦୀ ସାମଲ, ବିଜେପି ନେତା ଅଶୋକ ତ୍ରିପାଠୀ, ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ସମେତ ବିଜେପି ନେତା ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।