ବିଜେପି ଆଣିଲା ‘ସଂକଳ୍ପ ପତ୍ର’ ରାମମନ୍ଦିର ଶୀଘ୍ର ନିର୍ମାଣ ହେବ

ମୁଖ୍ୟାଂଶ, ଧାରା ୩୭୦, ୩୫ଏ ଉଚ୍ଛେଦ ହେବ

ନୂଆଦିଲ୍ଲୀ: ଶାସକ ବିଜେପି ଦଳ ପକ୍ଷରୁ ଆଜି ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଏହି ନିର୍ବାଚନୀ ଇସ୍ତାହାରର ନାମ ‌ଦଳ ‘ସଂକଳ୍ପ ପତ୍ର’ ରଖିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପି ସଭାପତି ଅମିତ ଶାହ ଏବଂ ଗୃହମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଏହି ଇସ୍ତାହାରର ଉନ୍ମୋଚନ କରିଛନ୍ତି। ଦେଶର ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ବିଜେପି ଏହାର ସଂକଳ୍ପପତ୍ରରେ ୭୫ଟି ପ୍ରତିଶ୍ରୁତି ଦେଇଛି। ସଂକଳ୍ପ ପତ୍ରରେ କଶ୍ମୀର ପ୍ରସଙ୍ଗରେ ଦଳ ଧାରା ୩୭୦ ଏବଂ ୩୫ଏ ଉଚ୍ଛେଦ ପାଇଁ ପୁଣି ପ୍ରତିଶ୍ରୁତି ଦେଇଛି। ସେହିଭଳି ରାମମନ୍ଦିର ପ୍ରସଙ୍ଗରେ ଦଳ କହିଛି, ଗତ ନିର୍ବାଚନରେ ଏ ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ବଳବତ୍ତର ରହିଛି। ସମସ୍ତ ପ୍ରକାର ବିକଳ୍ପକୁ ଅନୁଧ୍ୟାନ କରାଯାଉଛି। ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ରାମ ମନ୍ଦିର ନିର୍ମାଣ ଯେତେଶୀଘ୍ର ସମ୍ଭବ କରାଯିବ ବୋଲି ଦଳ କହିଛି। ସେହିଭଳି କୃଷକମାନଙ୍କ ପାଇଁ ଦଳ ପକ୍ଷରୁ କିସାନ ସମ୍ମାନ ନିଧି ଯୋଜନାରେ ସବୁ କୃଷକଙ୍କୁ ବର୍ଷକୁ ୬ ହଜାର ଟଙ୍କା ଯୋଗାଇ ଦିଆଯିବ। କୃଷକମାନଙ୍କ ଆୟକୁ ୨୦୨୨ ସୁଦ୍ଧା ଦୁଇଗୁଣ କରିବା ଲାଗି ଦଳ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବ। କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ୬୦ ବର୍ଷ ହେଲେ ସେମାନଙ୍କ ପାଇଁ ଦଳ ପେନସନ ପ୍ରଦାନ କରିବ। ସେହିଭଳି କଚ୍ଚା ଘରେ ରହୁଥିବା କିମ୍ବା ଘର ନଥିବା ବ୍ୟକ୍ତିଙ୍କୁ ୨୦୨୨ ସୁଦ୍ଧା ପକ୍କା ଘର ପ୍ରଦାନ କରାଯିବ। ଏହି ଯୋଜନାର ନାମ ଦଳ ପକ୍ଷରୁ ସାଶ୍ରୟ ରଖାଯାଇଛି।

କୃଷକଙ୍କୁ ୬୦ ବର୍ଷ ହେଲେ ପେନସନ
୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର
ଗ୍ରାମାଞ୍ଚଳ ବିକାଶ ପାଇଁ ୨୫ ଲକ୍ଷ କୋଟି
୭୫ ନୂଆ ମେଡିକାଲ କଲେଜ ସ୍ଥାପନ
୨୦୨୫ ସୁଦ୍ଧା ସବୁ ଘରକୁ ପାଇପ ଯୋଗେ ପାଣି
୬୦ ହଜାର କିମି ଜାତୀୟ ରାଜପଥ ନିର୍ମାଣ
କାର୍ଯ୍ୟକ୍ଷମ ବିମାନ ବନ୍ଦର ସଂଖ୍ୟା ଦୁଇଗୁଣ ବୃଦ୍ଧି

ଏତଦବ୍ୟତୀତ ଆତଙ୍କବାଦୀଙ୍କ ବିରୋଧରେ ଦଳର ତିଳେମାତ୍ର ସହନଶୀଳତା ରହିବ ନାହିଁ ବୋଲି କୁହାଯାଇଛି। ବିଜେପି ଶାସନକୁ ଆସିଲେ ଆସନ୍ତା ୫ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ୨୫ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ। ସେହିଭଳି ଦଳ ନିର୍ବାଚିତ ହେଲେ ଦେଶରେ ୭୫ଟି ନୂଆ ମେଡିକାଲ କଲେଜ ଏବଂ ପୋଷ୍ଟ ଗ୍ରାଜୁଏଟ୍ ‌କଲେଜ ଖୋଲିବ। ୨୦୨୪ ସୁଦ୍ଧା ପ୍ରତ୍ୟେକ ଘରକୁ ପାଇପ ଯୋଗେ ଜଳ ଯୋଗାଇବା ପାଇଁ ଦଳ ପ୍ରତିଶ୍ରୁତି ଦେଇଛି। ଏଥିପାଇଁ ଜଳ ଜୀବନ ମିସନ୍ ନାମରେ ଏକ ଯୋଜନା ଆରମ୍ଭ କରାଯାଇ ନାଲ୍ ସେ ଜଲ୍ ନାମରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ ହେବ ବୋଲି ଦଳ କହିଛି। ‌ସେହିଭଳି ‘ସୂଚନା ସେ ସଶକ୍ତୀକରଣ’ ନାମରେ ଏକ ଯୋଜନା କରାଯାଇଛି। ଏହି ଯୋଜନାରେ ୨୦୨୨ ସୁଦ୍ଧା ପ୍ରତ୍ୟେକ ପଞ୍ଚାୟତକୁ ହାଇସ୍ପିଡ ଅପ୍ଟିକାଲ ଫାଇବରରେ ‌ସଂଯୋଗ କରାଯିବ। ‘ସଡ଼କ ସେ ସମୃଦ୍ଧି’ ନାମରେ ଏକ ଯୋଜନା ଆରମ୍ଭ କରାଯିବ। ଏହି ଯୋଜନାରେ ଗ୍ରାମାଞ୍ଚଳ ରାସ୍ତାର ଉନ୍ନତୀକରଣ କରାଯାଇ ଶିକ୍ଷା, ସ୍ବାସ୍ଥ୍ୟସେବା, ବଜାର ଆଦି ସହିତ ଦୁର୍ଗମ ଅଞ୍ଚଳକୁ ଯୋଡ଼ାଯିବ। ୨୦୩୦ ସୁଦ୍ଧା ଭାରତକୁ ବିଶ୍ବର ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରାଯିବ। ଅର୍ଥାତ୍ ଭାରତକୁ ୨୦୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ଏବଂ ୨୦୩୨ ସୁଦ୍ଧା ୧୦ ଲକ୍ଷ କୋଟି ଟଙ୍କା ଅର୍ଥନୀତିରେ ପରିଣତ କରାଯିବ। ଆଗାମୀ ଦିନରେ ଟିକସ ହାରକୁ କମ୍ କରାଯିବା ସହିତ ଜିଏସଟିକୁ ସରଳ କରାଯିବ। ୨୦୨୪ ସୁଦ୍ଧା ଭିତ୍ତିଭୂମି କ୍ଷେତ୍ରରେ ୧୦୦ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ। ଭାରତକୁ ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ବର ଏକ ଉତ୍ପାଦନ କେନ୍ଦ୍ରରେ ପରିଣତ କରାଯିବ। ଏଥିପାଇଁ ଇଜ୍ ଅଫ୍ ଡୁଇଂ ବିଜନେସ୍ ରୢାଙ୍କରେ ଭାରତ ଶ୍ରେଷ୍ଠ ୫୦ଟି ଦେଶ ମଧ୍ୟରେ ରଖିବା ଲାଗି ଉଦ୍ୟମ କରାଯିବ। ଆସନ୍ତା ୫ ବର୍ଷ ମଧ୍ୟରେ ଦେଶର ୫୦ଟି ସହରରେ ମେଟ୍ରୋ ନେଟୱାର୍କ ଯେଭଳି ସ୍ଥାପନ ହେବ ତାହାକୁ ଦଳ ସରକାରକୁ ଆସିଲେ ନିଶ୍ଚିତ କରିବ। ଏଥିସହିତ ଦଳ କ୍ଷମତାକୁ ଆସିଲେ ୬୦ ହଜାର କିଲୋମିଟରର ଜାତୀୟ ରାଜପଥ ନିର୍ମାଣ କରିବ ଏବଂ ୨୦୨୨ ସୁଦ୍ଧା ଜାତୀୟ ରାଜପଥକୁ ବୃଦ୍ଧି କରାଯାଇ ଦୁଇ ଗୁଣ କରାଯିବ। ସେହିଭଳି ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ କାର୍ଯ୍ୟକ୍ଷମ ବିମାନ ବନ୍ଦର ସଂଖ୍ୟା ଦୁଇଗୁଣ କରାଯିବ ‌ବୋଲି ବିଜେପି ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛି। ଆତଙ୍କବାଦକୁ ଦମନ ପାଇଁ ସୁରକ୍ଷାବାହିନୀକୁ ସମ୍ପୂର୍ଣ୍ଣ କ୍ଷମତା ଦିଆଯିବ।

ସମ୍ବନ୍ଧିତ ଖବର