ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ରାମପୁରରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଥିବା ଅଭିନେତ୍ରୀ ଜୟପ୍ରଦାଙ୍କ ବିରୋଧରେ ପୁଣି ଏକ ଅଶାଳୀନ ଟିପ୍ପଣୀ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ ଖାନ୍। ଜୟପ୍ରଦାଙ୍କ ନାଁ ନନେଇ ଆଜମ ଖାନ୍ ତାଙ୍କ ବିରୋଧରେ ଦେଇଥିବା ‘ଖାକି ଅଣ୍ଡରୱିୟର’ ଟିପ୍ପଣୀ ଏବେ ବିବାଦୀୟ ହୋଇପଡ଼ିଛି। ଉତ୍ତରପ୍ରଦେଶ ପୁଲିସ ଆଜି ଏନେଇ ଆଜମ୍ଙ୍କ ବିରୋଧରେ ଏତଲା ରୁଜୁ କରିଛି। ଜୟପ୍ରଦା ମଧ୍ୟ ଖାନ୍ଙ୍କ ଅଶାଳୀନ ମନ୍ତବ୍ୟ ପାଇଁ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହି ସପା ନେତାଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁମତି ନମିଳିବା ଉଚିତ୍ ବୋଲି ସେ ଦାବି କରିଛନ୍ତି। ଏଭଳି ବ୍ୟକ୍ତି ନିର୍ବାଚନ ଜିତିଲେ ସମାଜରେ ମହିଳାଙ୍କର କିଛି ସ୍ଥାନ ରହିବନି ବୋଲି ଜୟପ୍ରଦା କହିଛନ୍ତି। ଅନ୍ୟପକ୍ଷେ ବିଜେପି ମଧ୍ୟ ଖାନ୍ଙ୍କର ଅଶାଳୀନ ଟିପ୍ପଣୀ ପାଇଁ ତାଙ୍କ ବିରୋଧରେ ଇସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦାବି କରିଛି। ଉଲ୍ଲେଖଯୋଗ୍ୟ ରାମପୁରର ଏକ ରୢାଲିରେ ଆଜମ ଖାନ୍ ଜୟପ୍ରଦାଙ୍କ ବିରୋଧରେ ଅଶାଳୀନ ମନ୍ତବ୍ୟ ରଖିଥିଲେ। ଜୟପ୍ରଦାଙ୍କ ନାଁ ନନେଇ ସେ କହିଥିଲେ ‘ ୧୦ ବର୍ଷ ଧରି ସେହି ବ୍ୟକ୍ତି ଜଣଙ୍କ ରାମପୁରର ରକ୍ତ ଶୋଷି ଚାଲିଛନ୍ତି। ମୁଁ ସେହି ବ୍ୟକ୍ତିଙ୍କ ଅଙ୍ଗୁଳି ଧରି ତାଙ୍କୁ ରାମପୁର ଆଣିଥିଲି ଏବଂ ସମସ୍ତଙ୍କ ସହ ତାଙ୍କୁ ପରିଚିତ କରିଥିଲି। କୌଣସି ଜଣେ ବ୍ୟକ୍ତିଙ୍କୁ ମଧ୍ୟ ତାଙ୍କୁ ଛୁଆଁଇ ଦେଇନଥିଲି । ତାଙ୍କ ବିରୋଧରେ କୌଣସି ଅପଶବ୍ଦ ମଧ୍ୟ ବ୍ୟବହାର ହୋଇନି। ୧୦ ବର୍ଷ ଧରି ତୁମେମାନେ ସେହି ବ୍ୟକ୍ତିଙ୍କୁ ତୁମର ପ୍ରତିନିଧି କଲ। ତେବେ ସେହି ବ୍ୟକ୍ତିଙ୍କ ବାସ୍ତବ ରୂପକୁ ବୁଝିବାକୁ ତୁମକୁ ୧୭ ବର୍ଷ ଲାଗିଗଲା। କିନ୍ତୁ ୧୭ ଦିନରେ ମୁଁ ଜାଣିଥିଲି ଯେ ସେ ଖାକି ଅଣ୍ଡରୱିୟର ପିନ୍ଧିଛନ୍ତି। ତେବେ ଆଜମ ଖାନ୍ ତାଙ୍କ ଟିପ୍ପଣୀରେ ଜୟପ୍ରଦାଙ୍କ ନାଁ ଧରିନଥିଲେ ମଧ୍ୟ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଜୟପ୍ରଦାଙ୍କର ଆରଏସଏସ ସମ୍ପୃକ୍ତି ନେଇ ଖାନ୍ ତାଙ୍କ ବିରୋଧରେ ଏଭଳି ଟିପ୍ପଣୀ ରଖିଛନ୍ତି। ସପା ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ, ସପା ସୁପ୍ରିମୋ ଅଖିଳେଶ ଯାଦବ ଏବଂ ପତ୍ନୀ ଡିମ୍ପଲ ଯାଦବଙ୍କ ଉପସ୍ଥିତିରେ ଖାନ୍ ଏଭଳି ଟିପ୍ପଣୀ ରଖିଥିବାରୁ ମାମଲାରେ ମୁଲାୟମଙ୍କ ନିରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଖାନ୍ଙ୍କର ଏଭଳି ଟିପ୍ପଣୀକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଜାତୀୟ ମହିଳା କମିସନ୍ (ଏନ୍ସିଡବ୍ଲ୍ୟୁ) ଏବଂ ଏ ବାବଦରେ ତାଙ୍କୁ ନୋଟିସ୍ କରିଛନ୍ତି ।
ଜୟପ୍ରଦାଙ୍କ ବିରୋଧରେ ଅଶାଳୀନ ଟିପ୍ପଣୀ, ଆଜମ ଖାନ୍ଙ୍କ ବିରୋଧରେ ଏତଲା
/sambad/media/post_attachments/wp-content/uploads/2019/04/Untitled-12-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)