୭ବର୍ଷ ପରେ ଆଠଗଡ଼କୁ ଫେରିଲେ ‘ଚକରା’

ସ୍ବାଧୀନ ପ୍ରାର୍ଥୀଙ୍କ ରୋଡ ସୋ’ରେ ‌ସାମିଲ

କଟକ: ଆଠଗଡ଼ ରାଜନୀତିରେ ଆଜି ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। ୨୦୧୨ ଉପନିର୍ବାଚନ ପରଠାରୁ ଆଠଗଡରୁ ଉଭାନ ହୋଇଯାଇଥିବା ପୂର୍ବତନ ବିଧାୟକ ରମେଶ ରାଉତ୍‌ ଓରଫ୍‌ ଚକରାଙ୍କୁ ଆଜି ଏକ ବାଇକ୍‌ ଶୋଭାଯାତ୍ରା ଓ ରୋଡ ସୋ’ରେ ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ, ଆଠଗଡ଼ରେ ଆଜି ସ୍ବାଧୀନ ପ୍ରାର୍ଥୀ ଅଭୟ ବାରିକ୍‌ ରୋଡ୍‌ସୋ’ ଥିଲା। ଅଭୟଙ୍କୁ ସମର୍ଥନ ଜଣାଇ ରମେଶ ଆଜି ଏହି ରୋଡ୍‌‌େସା’ରେ ସାମିଲ୍‌ ହୋଇଥିଲେ। ରୋଡ ସୋ’ କାର୍ଯ୍ୟକ୍ରମ ପରେ ରମେଶ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଠଗଡ଼ର ବିକାଶ ଆଜି ବାଧାପ୍ରାପ୍ତ। ରାଜ୍ୟରେ ଯେଉଁଭଳି ଦ୍ରୁତ ବିକାଶ ଦେଖିବାକୁ ମିଳିଛି, ସେହି ତୁଳନାରେ ଆଠଗଡର ବିକାଶ ବଦଳରେ ବିନାଶ ହୋଇଛି। ‌ଆଠଗଡ ମାଟିକୁ ବିକାଶ ପଥରେ ଆଗେଇ ନେବା ପାଇଁ ସେ ଆଜି ଅଭୟଙ୍କୁ ପୂର୍ଣ୍ଣ ସମର୍ଥନ କରୁଛନ୍ତି ବୋଲି ଘୋଷଣା କରିଥିଲେ।

ସୂଚନାଯୋଗ୍ୟ ଯେ, ୨୦୦୯ ସାଧାରଣ ନିର୍ବାଚନରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରାର୍ଥିତ୍ବ କଟିଯାଇଥିଲା। ଫଳରେ ସ୍ବାଧୀନ ପ୍ରାର୍ଥୀ ଭାବେ ତାଙ୍କର ଖାସ୍‌ ଅନୁଗତ ରମେଶ ରାଉତ୍‌ଙ୍କ ରଣେନ୍ଦ୍ର ସମର୍ଥନ ଦେଇଥିଲେ। ରାଜା ସ୍ବାଇଁଙ୍କ ସମର୍ଥନରେ ୩୦ହଜାର ୩୫୧ଖଣ୍ଡ ଭୋଟରେ ବିଜୟୀ ହୋଇଥିଲେ ରମେଶ। କିନ୍ତୁ ଅଦାଲତ ରାୟରେ ରମେଶଙ୍କ ନିର୍ବାଚନ ଖାରଜ ହେବା ସହ ୨୦୧୨ରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବଂ ସେଥିରେ ବିଜେଡି ପ୍ରାର୍ଥୀ ଭାବେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପୁଣି ବିଜୟୀ ହୋଇଥିଲେ। ସେବେ‌ଠାରୁ ରମେଶ ରାଉତଙ୍କ ଆଉ ଆଠଗଡ଼ରେ ଦେଖିବାକୁ ମିଳି ନଥିଲା।କିନ୍ତୁ ଆଜି ସ୍ବାଧୀନ ପ୍ରାର୍ଥୀ ଅଭୟ ବାରିକଙ୍କ ପ୍ରତି ସମର୍ଥନ ଜଣାଇ ରୋଡ ସୋ’ରେ ରମେଶ ସାମିଲ ହେବା ଆଠଗଡ ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି।

ସମ୍ବନ୍ଧିତ ଖବର