ପାଦ ରଖୁ ରଖୁ ବିବାଦରେ ଫସିଲେ : ସମ୍ବିତଙ୍କ ବିରୋଧରେ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ ଅଭିଯୋଗ

ପୁରୀ/ଭୁବନେଶ୍ବର: ମହାପ୍ରଭୁ ଜଗନ୍ନାଥଙ୍କ ମୂର୍ତ୍ତିକୁ ପ୍ରଚାରରେ ବ୍ୟବହାର କରି ଅଡ଼ୁଆରେ ପଡ଼ିଲେ ବିଜେପି ଘୋଷିତ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ୍ ପାତ୍ର। ନିର୍ବାଚନ ପ୍ରଚାରରେ ଧର୍ମୀୟ ଭାବନାର ଦ୍ବାହି ଦେଇ ଜଗନ୍ନାଥଙ୍କୁ ବ୍ୟବହାରି କରି ଶ୍ରୀପାତ୍ର ମହାପ୍ରଭୁଙ୍କୁ ଅସମ୍ମାନ କରିଥିବା କଂଗ୍ରେସ ଅଭିଯୋଗ କରିଛି। ଏହି ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅଭିଯୋଗ ଉଠାଇବା ସହ ପୁରୀରେ ବିଜେଡି ପକ୍ଷରୁ ବିକ୍ଷୋଭ କରାଯାଇଛି। ଏହାସହିତ ପୁରୀ ସିଂହଦ୍ବାର ଥାନାରେ ସମ୍ବିତ ପାତ୍ରଙ୍କ ବିରୋଧରେ ଏତଲା ଦାୟର କରାଯାଇଛି। ଆଚରଣ ବିଧି ଉଲଂଘନ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ କଂଗ୍ରେସ ମଧ୍ୟ ଅଭିଯୋଗ କରିଛି।

ସୋମବାର ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ଦଳ ପକ୍ଷରୁ ଘୋଷିତ ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିବା ନେଇ ପୁରୀରେ ଜନଅସନ୍ତୋଷ ଦେଖାଦେଇଛି। କଂଗ୍ରେସର ଯୁବ‌ନେତା ବିଶ୍ବନାଥ ଦାଶ କହିଛନ୍ତି ଯେ, ନିର୍ବାଚନରେ କୌଣସି ଦେବାଦେବୀଙ୍କୁ ବ୍ୟବହାର କରାଯାଇପାରିବ ନାହିଁ। ମାତ୍ର ସୋମବାର ପୁରୀରେ ନିର୍ବାଚନୀ ରୋଡ଼ ସୋ’ କରୁଥିବା ସମ୍ବିତ ପାତ୍ର ହାତରେ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ଧରିଛନ୍ତି। ଯାହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ। କେବଳ ସେତିକି ନୁହେଁ, ଏହା ଅନେକ ଲୋକଙ୍କ ଧାର୍ମିକ ଭାବଧାରାକୁ ବି ପ୍ରଭାବିତ କରୁଛି। ସେହିପରି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର କହିଛନ୍ତି, ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିକୁ ଧରି ନିର୍ବାଚନୀ ରାଲି କରିବା ଅଶୋଭନୀୟ। ଏହା ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପ୍ରତି ଅସମ୍ମାନ। ଠାକୁରଙ୍କୁ ଧରିବାରେ ପବିତ୍ରତା ରହିବା କଥା। ଜୋତା, ଚପଲ ପିନ୍ଧି ଠାକୁରଙ୍କୁ ଧରି ବୁଲିବା ଗ୍ରହଣୀୟ ନୁହେଁ। ଏହା ରାଜ୍ୟରେ ଏକ ଖରାପ ପରମ୍ପରା ସୃଷ୍ଟି କରିବ। ଏଥି ପାଇଁ ସମ୍ବିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ସେ କହିଛନ୍ତି। ନିର୍ବାଚନ ଆଚରଣ ବିଧି ଉଲଂଘନ ନେଇ ମଙ୍ଗଳବାର ସନ୍ଧ୍ୟାରେ କଂଗ୍ରେସ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।

ପୁରୀରେ ବିକ୍ଷୋଭ, ଥାନାରେ ଏତଲା
ସିଇଓଙ୍କୁ ଅଭିଯୋଗ କଲା ବିଜେଡି ଓ କଂଗ୍ରେସ

ସେହିପରି ଏହି ଘଟଣାରେ ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ନିଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଏକ ଅଭିଯୋଗ ପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ ଗତକାଲି ଏକ ନିର୍ବାଚନ େଶାଭାଯାତ୍ରାରେ ପୁରୀ ଲୋକସଭା ପ୍ରାର୍ଥୀ ଓଡ଼ିଶାର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ବିଗ୍ରହକୁ ହାତରେ ଧରି ନିର୍ବାଚନ େଶାଭାଯାତ୍ରାରେ ବାହାରିଥିଲେ। ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ ଦର୍ଶାଇଛି କଂଗ୍ରେସ। ପୂର୍ବରୁ ଜାତୀୟ ନିର୍ବାଚନ କମିସନ ପକ୍ଷରୁ କୌଣସି ରାଜନୈତିକ ଦଳର ପ୍ରାର୍ଥୀ ଠାକୁରଙ୍କ ମୂର୍ତି ବା ଫଟୋ ଧରି ପ୍ରଚାର କରିପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି। ଧର୍ମ ଓ ଜାତି ଆଧାରରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି କ˚ଗ୍ରେସ। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ରଜନୀ ମହାନ୍ତି, ଅଶୋକ ସାମଲ ଓ ଦୀପକ ମହାପାତ୍ର ଯାଇଥିଲେ।

ଅନ୍ୟପକ୍ଷରେ ଜଗନ୍ନାଥଙ୍କ ମୂର୍ତ୍ତି ଧରି ପ୍ରଚାର କରିଥିବାରୁ ସମ୍ବିତଙ୍କୁ ଆଜି କଡ଼ା ସମାଲୋଚନା କରି ବିଜେଡି ସିଂହଦ୍ବାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି। ଏ ନେଇ ସିଂହଦ୍ବାର ଥାନାରେ ସମ୍ବିତଙ୍କ ନାମରେ ଏତଲା ମଧ୍ୟ ଦିଆଯାଇଛି। ଖୋଲା ଜିପରେ ଜୋତା ପିନ୍ଧି ଏବଂ ଜଗନ୍ନାଥଙ୍କ ମୂର୍ତ୍ତି ଧରି ମହାପ୍ରଭୁଙ୍କୁ ରାଜନୈତିକ ପ୍ରଚାରରେ ବ୍ୟବହାର କରିବା ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ କୁଠାରଘାତ କରିଛି। ଖାଲି ସେତିକି ନୁହେଁ, ଶ୍ରୀ ପାତ୍ର ଏହାକୁ ବିଭିନ୍ନ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରିଛନ୍ତି। ଏହା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରି ବିଜେଡ଼ି କାର୍ଯ୍ୟାନୁଷ୍ଠାନ ଦାବି କରିଛି। ନଗର ବିଜେଡି ସଭାପତି ସବ୍ୟସାଚୀ ମହାପାତ୍ର, ପ୍ରୀତମ୍‌ ଜଗଦ୍ଦେବ, ଭକ୍ତଚରଣ ଦାସ, ଶାନ୍ତିଲତା ପ୍ରଧାନ, ସାଇନା ଖୁଣ୍ଟିଆ, ଭଗବାନ ପଢିଆରୀ, ପ୍ରସନ୍ନ ମହାପାତ୍ର, ସରୋଜ ନାୟକ, ପୁଷ୍ପାଞ୍ଜଳି ରଣା, ବିନୋଦିନୀ ଦାସ, ବିପିନ ପତ୍ରୀ, ନାରାୟଣ ପଟ୍ଟନାୟକ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର