ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନର ୩ଟି ପର୍ଯ୍ୟାୟ ସରିଛି ଏବଂ ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟ ପାଇଁ ଭୋଟ୍‌ ଗ୍ରହଣ ହେବାକୁ ଥିବାବେଳେ ଆଗକୁ ଅଧିକାଂଶ ଆସନରେ କଂଗ୍ରେସ-ବିଜେପି ସିଧାସଳଖ ମୁହାଁମୁହିଁ ହେବେ ବୋଲି ଜଣାପଡ଼ିଛି। ୩ଟି ପର୍ଯ୍ୟାୟରେ ୩୦୩ ନିର୍ବାଚନମଣ୍ଡଳୀରେ ମତଦାନ ସରିଛି ଏବଂ ବଳକା ୨୩୯ ଆସନ ମଧ୍ୟରୁ ଅଧିକାଂଶରେ କଂଗ୍ରେସ-ବିଜେପି ମଧ୍ୟରେ ସିଧାସଳଖ ଟକ୍କର ହେଉଛି। ଏହାର ଫଳାଫଳ ଉପରେ ହିଁ ପରବର୍ତ୍ତୀ ଲୋକସଭାର ଭାଗ୍ୟ ନିର୍ଭର କରୁଛି। ଛତିଶଗଡ଼, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ କଂଗ୍ରେସ ଏବେ ସ୍ବତନ୍ତ୍ର ରଣନୀତିରେ କାମ କରୁଛି। ଭୋଟ୍‌ ଗ୍ରହଣ ହେବାକୁ ଥିବା ୨୩୯ ଆସନରୁ ବିଜେପି ୨୦୧୪ ନିର୍ବାଚନରେ ୧୬୧ଟି ଆସନରେ ଜିତିଥିଲା। ୨୦୧୪ ନିର୍ବାଚନରେ ବିଜେପି ଜିତିଥବା ୨୮୨ ଆସନ ମଧ୍ୟରୁ ଏହା ଥିଲା ଅର୍ଦ୍ଧାଧିକ। ଏବେ ପ୍ରାୟ ୧୩୦ ଆସନରେ ଉଭୟ ବିଜେପି-କଂଗ୍ରେସ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି ।

Advertisment

୨୦୧୪ ଲୋକସଭା ନିର୍ବାଚନରେ ବିଜେପି ୨୮୨ ଆସନରେ ଜିତିଥିବାବେଳେ କଂଗ୍ରେସ ମାତ୍ର ୪୪ଟି ଆସନ ହାସଲ କରିଥିଲା। ନିର୍ବାଚନ ହେବାକୁ ଥିବା ୨୩୯ଟି ଆସନରୁ କଂଗ୍ରେସ ୨୦୦୯ ନିର୍ବାନଚରେ ୮୮ଟିରେ ଜିତିଥିଲା। ତେବେ ୨୦୧୪ରେ ମୋଦୀ ଲହର ଯୋଗୁଁ ବିଜେପିର ବିପୁଳ ବିଜୟ ହୋଇଥିଲା ଏବଂ କଂଗ୍ରେସକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଥିଲା। ୨୦୦୯ ତୁଳନାରେ ୨୦୧୪ ନିର୍ବାଚନରେ ବିଜେପିର ସମୁଦାୟ ଭୋଟ୍‌ ୧୨ ପ୍ରତିଶତ ବୃଦ୍ଧି ପାଇଥିଲା ଏବଂ ନିର୍ଦ୍ଦିଷ୍ଟ ଭାବେ ଭୋଟ୍‌ ହେବାକୁ ଥିବା ୨୩୯ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ଭୋଟ୍‌ ୧୬ ପ୍ରତିଶତ ବୃଦ୍ଧି ପାଇଥିଲା। ଅନ୍ୟପ‌କ୍ଷେ ଏହି ସବୁ ଆସନରେ କଂଗ୍ରେସର ଭୋଟ୍‌ ୮ ପ୍ରତିଶତ କମିଥିଲା।

ଛତିଶଗଡ଼, ଗୁଜରାଟ, ହିମାଚଳପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶରେ ବିଜେପିକୁ ବିପୁଳ ବିଜୟ ମିଳିଥିବା ବେଳେ ଉତ୍ତରପ୍ରଦେଶର ୮୦ ଆସନରୁ ଏହା ୭୧ ଆସନରେ ଜିତିଥିଲା। ଉତ୍ତରପ୍ରଦେଶରେ ଆଗକୁ ୫୪ ଆସନରେ ନିର୍ବାଚନ ହେବାକୁ ଥିବାବେଳେ ଏହି ଆସନରୁ ୫୨ଟିରେ ବିଜେପି ବିଜୟ ହାସଲ କରିଥିଲା। ତେଣୁ ଏହି ସବୁ ରାଜ୍ୟଗୁଡ଼ିକ‌ରେ ନିର୍ବାଚନୀ ଫଳାଫଳ ଉପରେ ହିଁ ମୋଦୀଙ୍କ ଭାଗ୍ୟଫଳ ନିର୍ଦ୍ଧାରଣ କରୁଛି। ୨୦୦୯ ଏବଂ ୨୦୧୪ ଲୋକସଭା ନିର୍ବାଚନ ଫଳାଫଳକୁ ଅନୁଧ୍ୟାନ କଲେ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଏହି ଆସନ ଗୁଡ଼ିକରେ ହିଁ ବିଜେପିର ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ୨୦୧୪ ନିର୍ବାଚନରେ ବିଜେପି ଯେଭଳି କଂଗ୍ରେସର ବଡ଼ ବିପର୍ଯ୍ୟୟ ଘଟାଇଥିଲା, ଏଥର ନିର୍ବାଚନରେ ସେଭଳି ସ୍ଥିତି ଆଣିବା ବିଜେପି ପାଇଁ ସହଜସାଧ୍ୟ ହେବନାହିଁ। ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜେପିକୁ କ୍ଷମତାଚ୍ୟୁତ କରିବାକୁ କଂଗ୍ରେସ ସମର୍ଥ ହୋଇଥିବାରୁ ଏହି ରାଜ୍ୟଗୁଡ଼ିକରୁ ଅଧିକରୁ ଅଧିକ ଆସନ ହାସଲ କରିବା ପାଇଁ କଂଗ୍ରେସ ପ୍ରାଣମୂର୍ଚ୍ଛା ପ୍ରୟାସ ଚଳାଇଛି।