ଲଗାତାର ତୃତୀୟ ଥର ପାଇଁ ସାଂସଦ ହେବେ ନୂଆ ମୁହଁ

ସମ୍ବଲପୁର: ଲଗାତାର ତୃତୀୟଥର ପାଇଁ ସମ୍ବଲପୁର ପୁଣି ଜଣେ ନୂଆଁ ମୁହଁକୁ ନିଜର ସାଂସଦଭାବେ ପାଇବାକୁ ଯାଉଛି। ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ୧୧ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ କେହି ପୂର୍ବରୁ ସମ୍ବଲପୁର ସାଂସଦ ନଥିଲେ ବା ଏହି ଆସନ ପାଇଁ ନିର୍ବାଚନ ବି ଲଢ଼ି ନାହାନ୍ତି। ସମ୍ବଲପୁର ଲୋକସଭା ପାଇଁ ଏଥର ମୁଖ୍ୟତଃ ବିଜେଡି ଓ ବିଜେପି ମଧ୍ୟରେ ମୁକାବିଲା ହେବ ବୋଲି ଆଲୋଚନା ହେଉଥିଲେ ବି କଂଗ୍ରେସ୍‌ର ପୋଖତ ଖେଳାଳି ଶରତ ପଟ୍ଟନାୟକ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇ ମୁକାବିଲାକୁ ରୋଚକ କରିଛନ୍ତି। ଏଥର ମଇଦାନରେ ଥିବା ସମସ୍ତ ପ୍ରାର୍ଥୀଙ୍କ ତୁଳନାରେ ଶ୍ରୀ ପଟ୍ଟନାୟକଙ୍କର ସର୍ବାଧିକ ନିର୍ବାଚନୀ ଓ ରାଜନୈତିକ ଅଭିଜ୍ଞତା ରହିଛି। ସେ ବଲାଙ୍ଗୀରରୁ ୨ଥର ସାଂସଦ ନିର୍ବାଚିତ ହୋଇଥିଲାବେଳେ ୪ଥର ପରାସ୍ତ ମଧ୍ୟ ହୋଇଛନ୍ତି। ଚଳିତ ନିର୍ବାଚନରେ ସେ ବଲାଙ୍ଗୀର ଟିକଟରୁ ବଞ୍ଚିତ ହେବା ପରେ ସମ୍ବଲପୁରରୁ ନିଜ ଭାଗ୍ୟ ପରୀକ୍ଷା ପାଇଁ ଆସିଛନ୍ତି। ହେଲେ ଏଠାରେ ତାଙ୍କୁ ନେଇ ସ୍ଥାନୀୟ କଂଗ୍ରେସ ନେତାଙ୍କ ଅସନ୍ତୋଷ ଓ ହାଇକୋର୍ଟ ବେଞ୍ଚ ପ୍ରସଂଗରେ ସମ୍ବଲପୁର-ବଲାଙ୍ଗୀର ତିକ୍ତତା ସମସ୍ୟାରେ ପକାଇ ପାରେ। ହେଲେ ତାଙ୍କ ତୁଳନାରେ ରାଜନୀତିରେ ଅପେକ୍ଷାକୃତ ଅନଭିଜ୍ଞ ଦେବଗଡ଼ ରାଜା ନିତେଶ ଗଂଗଦେବଙ୍କୁ ଏଥର ବିଜେପି ପ୍ରାର୍ଥୀ କରିଛି। ଶ୍ରୀ ଗଂଗଦେବଙ୍କ ଦେବଗଡ଼ ବାହାରେ ଅନ୍ୟ ୬ଟି ବିଧାନସଭା ଅଞ୍ଚଳରେ ବିଶେଷ ରାଜନୈତିକ ଦଖଲ ନଥିବାବେଳେ ସେ ମୁଖ୍ୟତଃ ମୋଦୀ ହାୱା ଉପରେ ନିର୍ଭରଶୀଳ ଅଛନ୍ତି। ସେହିପରି ବିଜେପିର ସ୍ଥାନୀୟ ସଂଗଠନ ଓ ବିଧାନସଭା ପ୍ରାର୍ଥୀମାନଙ୍କ ଉପରେ ନିର୍ଭରଶୀଳ ଅଛନ୍ତି। ଅପରପକ୍ଷରେ ରାଜ‌ନୀତିରେ ସଂପୂର୍ଣ୍ଣ ନୂଆ ଇଂ ନଳିନୀକାନ୍ତ ପ୍ରଧାନ ବିଜେଡିର ପ୍ରାର୍ଥୀ ହୋଇଛନ୍ତି। ରାଜନୀତିରେ ନୂଆ ହୋଇଥିଲେ ବି ସରକାରୀ ଅଧିକାରୀଭାବେ କାର୍ଯ୍ୟ କରିବା ଅବସରରେ ଶ୍ରୀ ପ୍ରଧାନଙ୍କର ସବୁ ଅଞ୍ଚଳ ସହ ପରିଚୟ ରହିଛି। ସେ ମଧ୍ୟ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି ପାଇଁ କାମ କରିଛନ୍ତି। ତେବେ ପୂର୍ବ ଥର ଗୁଡ଼ିକ ଭଳି ଏଥର ବି ପ୍ରମୁଖ ଦଳମାନେ ସମ୍ବଲପୁର ଲୋକସଭାରେ ସମ୍ବଲପୁର ଜିଲ୍ଲା ବାହାର ପ୍ରାର୍ଥୀ ଦେଇଥିବା ନେଇ‌ ଜିଲ୍ଲାବାସୀଙ୍କ ମଧ୍ୟରେ କିଛିଟା ଅସନ୍ତୋଷ ରହିଛି। ସମ୍ବଲପୁର ଲୋକସଭାରେ ସମ୍ବଲପୁର ଜିଲ୍ଲାର ସର୍ବାଧିକ ୪ଟି ବିଧାନସଭା ଆସନ ରହିଛି। କିନ୍ତୁ ୧୯୯୩ରେ ଜିଲ୍ଲା ବିଭାଜନ ହେବା ପରଠାରୁ କେବେ ବି ସମ୍ବଲପୁର ଜିଲ୍ଲାର କୌଣସି ବ୍ୟକ୍ତି ସମ୍ବଲପୁର ସାଂସଦ ହୋଇପାରି ନାହାନ୍ତି। ଶେଷଥର ପାଇଁ ୧୯୮୯ରେ ସମ୍ବଲପୁର ଜିଲ୍ଲାର ଭବାନୀ ଶଂକର ହୋତା ସମ୍ବଲପୁର ସାଂସଦ ହୋଇଥିଲେ। ଏହାପରେ କୃପାସିନ୍ଧୁ ଭୋଇ ବି ଅବିଭକ୍ତ ସମ୍ବଲପୁର ଜିଲ୍ଲାର ବାସିନ୍ଦାଭାବେ ସମ୍ବଲପୁର ସାଂସଦ ହୋଇଥିଲେ। କିନ୍ତୁ ଜିଲ୍ଲା ବିଭାଜନ ହେବା ପରଠାରୁ ବରଗଡ଼ ଜିଲ୍ଲାର ପ୍ରସନ୍ନ ଆଚାର୍ଯ୍ୟ ୩ଥର, ଅନୁଗୁଳ ଜିଲ୍ଲାର ଅମରନାଥ ପ୍ରଧାନ ଏବଂ ନଗେନ୍ଦ୍ର ପ୍ରଧାନ ଥରେ ଲେଖାଏଁ ସମ୍ବଲପୁର ସାଂସଦ ହୋଇଛନ୍ତି।

ଚଳିତ ଥର ବିଜେଡି ପ୍ରାର୍ଥୀ ଶ୍ରୀ ପ୍ରଧାନ ସମ୍ବଲପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରର ବାସିନ୍ଦା ହୋଇଥିଲା ବେଳେ ସମ୍ବଲପୁରରେ ପାଠପଢ଼ା ସହ ଅନେକ ଦିନ ଧରି ଚାକିରି କରିଛନ୍ତି। ସେହିପରି ବିଜେପି ପ୍ରାର୍ଥୀ ଶ୍ରୀ ଗଂଗଦେବ ସମ୍ବଲପୁର ଲୋକସଭା ଅନ୍ତର୍ଗତ ଦେବଗଡ଼ ନିର୍ବାଚନମଣ୍ଡଳୀର ହୋଇଥିଲାବେଳେ ସେ ସେଠାରେ ଜନ ପ୍ରତିନିଧି ରହି ସାରିଛନ୍ତି। ଅପରପକ୍ଷରେ ଶ୍ରୀ ପଟ୍ଟନାୟକ ଉଭୟ ସମ୍ବଲପୁର ଜିଲ୍ଲା ଓ ‌ସମ୍ବଲପୁର ଲୋକସଭା ନିର୍ବାଚନମଣ୍ଡଳୀ ବାହାର ଲୋକ ହୋଇଥିଲାବେଳେ ସମ୍ବଲପୁରରେ ଛାତ୍ର ଜୀବନ ଅତିବାହିତ କରିଛନ୍ତି। ସେ ଏକଦା ଜିଏମ୍‌ କଲେଜ, ମେହେର ଆସୋସିଏସନର ଆଗଧାଡ଼ିର ଫୁଟବଲ ଖେଳାଳି ଥିଲେ। ସମ୍ବଲପୁର ଜିଲ୍ଲା ଏହି ସଂସଦୀୟ କ୍ଷେତ୍ରର ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଥିବାରୁ ବାହାର ଜିଲ୍ଲାର ହୋଇଥିଲେ ବି ପ୍ରାର୍ଥୀମାନେ ସ୍ଥାନୀୟ ଭୋଟରଙ୍କ ମନ ଜିଣିବା ପାଇଁ ପୂରା ଦମରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର