ମୋଦୀଙ୍କ ରାଜୀବ ମନ୍ତବ୍ୟରୁ ବିବାଦ, କର୍ମ ଫଳ ଭୋଗିବ: ରାହୁଲ

‘୧ ନଂ ଦୁର୍ନୀତିଗ୍ରସ୍ତ’ ଭାବେ ରାଜୀବଙ୍କ ଜୀବନକାଳ ସମାପ୍ତ ହୋଇଥିଲା: ମୋଦୀ

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଙ୍କ ଦିବଙ୍ଗତ ପିତା ରାଜୀବ ଗାନ୍ଧୀଙ୍କୁ ନେଇ ବୋଫର୍ସ ଦୁର୍ନୀତି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୟାନର କଡ଼ା ଜବାବ ଦେଇଛନ୍ତି। ରାହୁଲ କହିଛନ୍ତି ଯେ ମୋ ପିତାଙ୍କୁ ସମାଲୋଚନା କରି ନରେନ୍ଦ୍ର ମୋଦୀ ବର୍ତ୍ତିପାରିବେ ନାହିଁ ଏବଂ ସେ ତାଙ୍କ କର୍ମଫଳ ଭୋଗିବେ। ଏବେ ଲଢ଼େଇ ସରିଯାଇଛି ଏବଂ ମୋଦୀଙ୍କ କର୍ମଫଳ ତାଙ୍କୁ ଅପେକ୍ଷା କରିଛି ବୋଲି ରାହୁଲ କହିଛନ୍ତି। ଇଣ୍ଡିଆନ୍‌ ଓଭର୍‌ସିଜ୍‌ କଂଗ୍ରେସର ମୁଖ୍ୟ ସାମ୍‌ ପ୍ରିଟ୍ରୋଡା ମଧ୍ୟ ରାଜୀବ ଗାନ୍ଧୀଙ୍କୁ ନେଇ ମୋଦୀଙ୍କ ବୟାନକୁ ସମାଲୋଚନା କରି ଏହା ନିନ୍ଦନୀୟ ବୋଲି କହିଛନ୍ତି।

ସହିଦଙ୍କୁ ଅପମାନିତ କରାଯାଇଛି: ପ୍ରିୟଙ୍କା
ସାଂପ୍ରଦାୟିକ ହିଂସା ଏବଂ ବୋଫର୍ସ ଦୁର୍ନୀତି ପାଇଁ ରାଜୀବ ଦାୟୀ: ବିଜେପି

ନୂଆଦିଲ୍ଲୀ: ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ବୟାନ ଏବେ ଝଡ଼ ସୃଷ୍ଟି କରିଛି। ଏବେ ନିର୍ବାଚନୀ ଋତୁରେ ହଠାତ୍‌ ରାଜୀବ ଗାନ୍ଧୀ ଏକ ପ୍ରସଙ୍ଗ ହୋଇଉଠିଥିବା ବେଳେ ଏହାକୁ ନେଇ କଂଗ୍ରେସ ଏବଂ ବିଜେପି ନେତାଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଚାଲିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଏକ ନିର୍ବାଚନୀ ରୢାଲିରେ ବୋଫର୍ସ ଦୁର୍ନୀତି ପ୍ରସଙ୍ଗ ଉଠାଇ ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମ ନ ନେଇ କଡ଼ା ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ‘ଆପଣ (କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ)ଙ୍କ ପିତାଙ୍କୁ ଆପଣଙ୍କ ରାଜ ଦରବାରୀମାନେ ମହିମା ମଣ୍ଡିତ କରି ‘ମିଷ୍ଟର କ୍ଲିନ୍‌’ ଭାବେ ଉପସ୍ଥାପନ କରିଥିଲେ। କିନ୍ତୁ ଚାହୁଁ ଚାହୁଁ ସେ ‘ଦୁର୍ନୀତି ଗ୍ରସ୍ତ ନଂ-୧’ ପାଲଟି ଯାଇଥିଲେ ଏବଂ ଏହି ଅବସ୍ଥାରେ ହିଁ ତାଙ୍କର ଜୀବନକାଳ ସମାପ୍ତ ହୋଇଯାଇଥିଲା। ନାମଦାର (ରାହୁଲ)ଙ୍କ ଅହଙ୍କାର ମାଟିରେ ମିଶିଯିବ। ଏହି ଦେଶ ଭୁଲ୍‌କୁ କ୍ଷମା କରିଦେବ, କିନ୍ତୁ ଧୋକାବାଜଙ୍କୁ କେବେ ବି କ୍ଷମା କରିବ ନାହିଁ। ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ କଡ଼ା ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ସେ ସହିଦଙ୍କୁ ଅପମାନିତ କରିଛନ୍ତି ଏବଂ ମିଥ୍ୟା ଅଭିଯୋଗ ଲଗାଇଛନ୍ତି। ବିଜେପି କହିଛି ଯେ ଶାହ ବାନୋ ମାମଲାରେ ସାଂପ୍ରଦାୟିକ ରାଜନୀତି ରାଜୀବଙ୍କ ସମୟରେ ହୋଇଥିଲା। ଦେଶ କଂଗ୍ରେସର ଭୟାନକ ଦଙ୍ଗା ଏବଂ ବୋଫର୍ସ ଦୁର୍ନୀତିର କଳଙ୍କକୁ ଭୁଲି ପାରିବ ନାହିଁ ବୋଲି ବିଜେପି କହିଛି।

ସମ୍ବନ୍ଧିତ ଖବର