ହେଭିୱେଟ୍‌ ‌ଲଢ଼େଇ: କଟକ ସଂସଦୀୟ କ୍ଷେତ୍ରରେ, ଭର୍ତ୍ତୃହରି, ପ୍ରକାଶ

ଭୁବନେଶ୍ବର ସଂସଦୀୟ କ୍ଷେତ୍ର ଭଳି କଟକ ଲୋକସଭା କ୍ଷେତ୍ରରେ ବି ନିର୍ବାଚନୀ ପ୍ରତିଦ୍ବନ୍ଦ୍ବିତା ବେଶ ରୋମାଞ୍ଚକର ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦିଅନ୍ତି। କଟକ ସଂସଦୀୟ କ୍ଷେତ୍ରରେ ବିଜେଡି ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ ଦବ୍‌ଦବା ଏଯାଏ ଅକ୍ଷୁଣ୍ଣ ରହିଛି। ୧୯୯୮ରୁ ୨୦୧୪ ଏଯାବତ ଲଗାତାର ପାଞ୍ଚ ଥର ଭାବେ ସାଂସଦ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି ଭର୍ତ୍ତୃହରି। ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନୟନ କାମ ସାଙ୍ଗକୁ ସଂସଦରେ ଓଡ଼ିଶା ସ୍ବାର୍ଥ ପ୍ରସଙ୍ଗରେ ତାଙ୍କର ପ୍ରଭାବଶାଳୀ ପ୍ରଶ୍ନ ଓ ବକ୍ତବ୍ୟ ତାଙ୍କୁ ଜଣେ ଆଗଧାଡ଼ିର ସାଂସଦ ଭାବେ ମାନ୍ୟତା ଦେଇଛି। ଏମିତିକି ସେ ଶ୍ରେଷ୍ଠ ସାଂସଦ ଭାବେ ମଧ୍ୟ ସମ୍ମାନିତ ହୋଇ ସାରିଛନ୍ତି। ତେବେ ତାଙ୍କ ବିଜୟରେ ଏଥର ରୋକ୍ ଲଗାଇବା ଲାଗି ବିଜେପି ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ ଭାବେ ଛିଡ଼ା କରିଛି। ଜଣେ ସଚ୍ଚୋଟ ଅଫିସର ଭାବେ ଜଣାଶୁଣା ପ୍ରକାଶ ସିଆରପିଏଫର ଡିଜି ମଧ୍ୟ ରହି ସାରିଛନ୍ତି। ସିବିଆଇ ନିଦ୍ଦେର୍ଶକ ଭଳି ମର୍ଯ୍ୟାଦାଜନକ ପଦବି ଅଳ୍ପକେ ହାତଛଡା ହୋଇ ଯାଇଥିଲା ତାଙ୍କର। ତେବେ ବିଜେପିରେ ଯୋଗ ଦେଉ ଦେଉ ଦଳ ତାଙ୍କୁ କଟକ ଭଳି ଏକ ଗୁରୁତ୍ବପୂର୍ଣ୍ଣ ଆସନରୁ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ କରାଇଛି।ସେହିପରି କଂଗ୍ରେସରୁ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଏଠାରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ମୋଟାମୋଟି ଏଥର କଟକ ଲଢେଇ ରାଜନୈତିକ ରଣାଙ୍ଗନରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛି।

ସମ୍ବନ୍ଧିତ ଖବର