ବିଜେପି ପ୍ରାର୍ଥୀଙ୍କୁ ସମର୍ଥନ ଦେବେ ନାହିଁ ଦିଲୀପ, ଅନ୍ୟ ଦଳ ପାଇଁ ନିଷ୍ପତ୍ତି ଝୁଲାଇ ରଖିଲେ

ଡରି, ଚାମଚାଗିରି କରି ରାଜନୀତି କରେନି, ସିବିଆଇ ଡର ଦେଖାଉଛନ୍ତି

ରାଉରକେଲା: ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ଦିଲୀପ ରାୟ ଆଗାମୀ ନିର୍ବାଚନରେ କାହାକୁ ସମର୍ଥନ ଦେବେ ତାହା ଆଜି ମଧ୍ୟ ସ୍ପଷ୍ଟ ହୋଇପାରିନି। ଶ୍ରୀ ରାୟଙ୍କ ରାଜନୈତିକ ନିଷ୍ପତ୍ତିକୁ ଚାତକ ପରି ଚାହିଁ ରହିଥିବା ରାଉରକେଲାର ଅନୁଗତମାନଙ୍କୁ ପୁଣି ନିରାଶ ହେବାକୁ ପଡ଼ିଛି। ତେବେ ଦଳର ନାଁ ନ ନେଇ ରାଉରକେଲାକୁ ଅଣଦେଖା କରିଥିବା ବିଜେପିକୁ ସେ ସମର୍ଥନ ଦେବେ ନାହିଁ ବୋଲି ପରୋକ୍ଷରେ କହିଛନ୍ତି। ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ସୁପରସ୍ପେଶାଲିଟି ହସ୍‌ପିଟାଲ ଯିଏ କରିବ, ସେ ତାଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି। ସିଧାସଳଖ ବିଜେପିର ନାଁ ନ ନେଇ ପରୋକ୍ଷରେ ଦଳ ଉପରେ ମନଇଚ୍ଛା ବର୍ଷିଛନ୍ତି।

ସମର୍ଥନ ମାଗିଲେ ବିଜେଡି, ବିଜେପି, ସ୍ବାଧୀନ ପ୍ରାର୍ଥୀ

ଆଜି ଆବାସିକ କାର୍ଯ୍ୟାଳୟ ‘କଲ୍ୟାଣୀ’ରେ ଅନୁଷ୍ଠିତ ବୈଠକରେ ଶ୍ରୀ ରାୟ ପରୋକ୍ଷରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଲେ, ‘‘୨୦୧୪ ନିର୍ବାଚନ ଲଢ଼ିବା ପୂର୍ବରୁ ମୁଁ ନରେନ୍ଦ୍ର ମୋଦୀଙ୍କ ପାଖରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଆଇଜିଏଚ୍‌କୁ ସୁପରସ୍ପେଶାଲିଟି ହସ୍‌ପିଟାଲ ଓ ମେଡିକାଲ କଲେଜ କରିବା ପାଇଁ ଦାବି କରିଥିଲି। ପ୍ରଧାନମନ୍ତ୍ରୀ ହେଲା ପରେ ପ୍ରଧାନମନ୍ତ୍ରୀ ଖୋଦ୍‌ ଏନେଇ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ନିର୍ମାଣକାର୍ଯ୍ୟ ତ୍ବରାନ୍ବିତ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଁ ୭ ଥର ଭେଟିଥିବାବେଳେ ବିଭାଗୀୟ ମନ୍ତ୍ରୀଙ୍କର ମଧ୍ୟ ଅନେକ ଥର ଦୃଷ୍ଟି ଆକର୍ଷଣ କରିଛି। କିନ୍ତୁ ଇତିମଧ୍ୟରେ ୫ ବର୍ଷ ବିତିସାରିଥିଲେ ସୁଦ୍ଧା ଦାବି ପୂରଣ ହୋଇନାହିଁ। ବ୍ରାହ୍ମଣୀ ସେତୁ ପାଇଁ ୯୦ କୋଟି ଆସିଛିବୋଲି ବିଜେପି ନେତା କହୁଛନ୍ତି, ତା’ର ଲିଖିତ ପ୍ରମାଣ ଦେଖାଇବାକୁ କହିଲେ ମୌନ ରହୁଛନ୍ତି।’’ ସେ ଆହୁରି କହିଥିଲେ ଯେ ବିଜେପି କହୁଛି ପୁଣି ଦଳରେ ସାମିଲ ହୋଇଯାଅ, କିନ୍ତୁ ଏବେ ସୁଦ୍ଧା ଦୁଇ ପ୍ରମୁଖ ଦାବି ପୂରଣ ହୋଇନାହିଁ।

ଉଲ୍ଲେଖନୀୟ ଯେ ବିଜେପି ସିବିଆଇ ଡର ଦେଖାଉଥିବା ମଧ୍ୟ ପରୋକ୍ଷରେ ସେ ଅଭିଯୋଗ କରିଥିଲେ। ସେ କହିଥିଲେ, କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଶହେ ବର୍ଷ ପୁରୁଣା ଖଣିକୁ ଲିଜ୍‌ ନେବାକୁ ତତ୍କାଳୀନ ବିଜେପି ସାଂସଦ ପି.ଏଲ. ଅଗ୍ରୱାଲ ଆବେଦନ କରିଥିଲେ। ତାଙ୍କ ଆବେଦନପତ୍ରରେ କେବଳ ପୁନଃ ମୂଲ୍ୟାଙ୍କନ କରିବାକୁ ଲେଖିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ତାଙ୍କ ନାଁରେ ସିବିଆଇ ମାମଲା ରୁଜୁ କରିଛି। ତେବେ ଏସବୁକୁ ତାଙ୍କର ଖାତିର ନାହିଁ। କାହାକୁ ଡରି କିମ୍ବା ଚାମଚାଗିରି କରି ରାଜନୀତି କରିବେ ନାହିଁ ବୋଲି ସେ ସ୍ପଷ୍ଟ କହିଛନ୍ତି। ଯେ କୌଣସି ପରିସ୍ଥିତିରେ ଦ୍ବିତୀୟ ବ୍ରାହ୍ମଣୀ ସେତୁ ଓ ସୁପରସ୍ପେଶାଲିଟି ହସ୍‌ପିଟାଲ ନିର୍ମାଣ କରିବେ ବୋଲି ସେ ଘୋଷଣା କରିଥିଲେ। କେନ୍ଦ୍ର ସରକାର ପଦାବୀ ପୂରଣ କରିବାରେ ବିଫଳ ହୋଇଛି। ଗତ ମାର୍ଚ୍ଚ ୧୬ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ଦୁଇ ଦାବି ପ୍ରତି ସେ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଆଜି ସେ ସୂଚନା ଦେଇଥିଲେ ଯେ ସୁପରସ୍ପେଶାଲିଟି ହସ୍‌ପିଟାଲ ନିର୍ମାଣ ପାଇଁ ବ୍ୟକ୍ତିଗତଭାବେ ଆମେରିକାରେ ଅବସ୍ଥାପିତ ଏକ ଦଳକୁ ସେ ଡାକିଥିଲେ। ଏହି ଦଳ ଗଙ୍ଗାଜଳ, ଲାଠିକଟାରେ ଜମି ଦେଖିସାରିଛନ୍ତି। ସରକାରଙ୍କ ସହଯୋଗରେ ହେଉ ଅବା ବେସରକାରୀ ହିସାବରେ, ଏହି ଦାବିଗୁଡ଼ିକୁ ନିଶ୍ଚିତଭାବେ ପୂରଣ କରାଯିବ ବୋଲି ସେ କହିଛନ୍ତି। ଆଜି ପୂର୍ବାହ୍ନରେ ଶ୍ରୀ ରାୟ ତପସ୍ବିନୀ ଏକ୍ସପ୍ରେସ୍‌ରେ ରାଉରକେଲାରେ ପହଞ୍ଚିବାପରେ ସମର୍ଥକମାନେ ରେଳ ଷ୍ଟେସନରୁ ଏକ ଶୋଭାଯାତ୍ରାରେ ପାଛୋଟି ଆଣିଥିଲେ। ପରେ ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀ ସୁନୀତା ଓରାମ, ରଘୁନାଥପଲ୍ଲୀ ବିଜେଡି ପ୍ରାର୍ଥୀ ସୁବ୍ରତ ତରାଇ, ବିଜେପି ପ୍ରାର୍ଥୀ ଜଗବନ୍ଧୁ ବେହେରା, ରାଉରକେଲା ବିଜେପି ପ୍ରାର୍ଥୀ ନିହାର ରାୟ, ସ୍ବାଧୀନ ପ୍ରାର୍ଥୀ ବିକାଶ ମାନସିଂହ ଓ ସାରଦା ନାୟକ ପ୍ରମୁଖ ତାଙ୍କୁ ଭେଟି ସମର୍ଥନ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର