ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ସମସ୍ତ ଆଚରଣ ବିଧି ଉଲ୍ଲଂଘନ ମାମଲାରେ କ୍ଲିନ୍ଚିଟ୍ ଦିଆଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ନିର୍ବାଚନ କମିସନର ଅଶୋକ ଲଭାସା। ଉଭୟ ନେତାଙ୍କୁ ନିର୍ବାଚନ କମିସନ ଯେଉଁ କ୍ଲିନ୍ଚିଟ୍ ଦେଇଛନ୍ତି ସେଥିରେ ସେ ସହମତି ନଥିବା ଦର୍ଶାଇ ଆଚରଣ ବିଧି ଉଲ୍ଲଂଘନ ସଂକ୍ରାନ୍ତ ବୈଠକଗୁଡ଼ିକରୁ ନିଜକୁ ଦୂରେଇ ରଖିବାକୁ ଲଭାସା ନିଷ୍ପତ୍ତି ନେବା ସହ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଏ ବାବଦରେ ପତ୍ର ଲେଖି ନିଜ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ଏହାର ଜବାବରେ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ ଆରୋରା କହିଛନ୍ତି ଯେ ନିର୍ବାଚନ କମିସନ ଆଚରଣ ବିଧି ଉଲ୍ଲଂଘନ ମାମଲାଗୁଡ଼ିକର ବିଭିନ୍ନ ଦିଗକୁ ତର୍ଜମା କରି ନିଷ୍ପତ୍ତି ନେଇଥାନ୍ତି ଏବଂ ଏଥିରେ କମିସନ୍ର ସମସ୍ତ ସଦସ୍ୟ ଏକ ପ୍ରକାର ମତ ରଖିବା ଜରୁରୀ ନୁହେଁ। ବହୁମତରେ ରାୟ ପ୍ରକାଶ ପାଇବ ଏବଂ ଏହା ଏକ ସ୍ବାଭାବିକ ପ୍ରକ୍ରିୟା ବୋଲି ସେ କହିଛନ୍ତି। ତେବେ ଏଭଳି ପ୍ରସଙ୍ଗକୁ ନେଇ ସାଧାରଣରେ ଚର୍ଚ୍ଚା ସୃଷ୍ଟି କରିବା ଏକ ଅସୁସ୍ଥ ପରମ୍ପରା ବୋଲି ସେ କହିଛନ୍ତି। ନିର୍ବାଚନ କମିସନର ଲଭାସା କହିଛନ୍ତି ଯେ ଜଣେ ମାତ୍ର ସଦସ୍ୟ ଭାବେ ସେ ତାଙ୍କର ଭିନ୍ନମତ ରଖିଥିଲେ ମଧ୍ୟ ଏହାକୁ ରେକର୍ଡ କରାଯାଇନାହିଁ । ତେଣୁ ଏ ବାବଦ ଅନ୍ୟ ବୈଠକଗୁଡ଼ିକରେ ସେ ଆଉ ଯୋଗଦେବେ ନାହିଁ। ତେବେ ସେ କହିଛନ୍ତି ଯେ ବୈଠକରେ ଯଦି ତାଙ୍କ ମତ ରେକର୍ଡ କରାଯିବ ତା’ହେଲେ ସେ ଏଥିରେ ଯୋଗଦେବେ।
ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ବିଭିନ୍ନ ଭାଷଣକୁ ନେଇ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଯେଉଁ ଅଭିଯୋଗ ହୋଇଥିଲା ସେ ବାବଦରେ ନିର୍ବାଚନ କମିସନଙ୍କ ବୈଠକରେ ଲଭାସା ଭିନ୍ନମତ ରଖିଥିଲେ। ତେବେ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ଜଣେ କମିସନର ୨:୧ ମତରେ ମୋଦୀ-ଶାହଙ୍କୁ କ୍ଲିନ୍ଚିଟ୍ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ କୌଣସି ଉଦ୍ବୋଧନରେ ଆଚରଣବିଧି ଉଲ୍ଲଂଘନ ହୋଇନଥିବା ନିର୍ବାଚନ କମିସନ କହିଥିଲେ। ଲଭାସା କହିଛନ୍ତି ଯେ ତାଙ୍କ ଅସହମତିକୁ ସଂପୂର୍ଣ୍ଣ ଅଣଦେଖା କରି ଏହାକୁ ରେକର୍ଡ କରାଯାଇ ନଥିବାରୁ ତାଙ୍କ ଉପସ୍ଥିତି ସଂପୂର୍ଣ୍ଣ ଗୌଣ ହୋଇଯାଇଛି। ଲଭାସାଙ୍କ ଅଭିଯୋଗକୁ ନେଇ ଆଜି କଂଗ୍ରେସ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରିଛି। ଏନ୍ଡିଏ ସରକାରରେ ବିଭିନ୍ନ ସାମ୍ବିଧାନିକ ସଂସ୍ଥାର ଘୋର ଅବନତୀ ଘଟିଛି ବୋଲି କଂଗ୍ରେସ କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ନିର୍ବାଚନ କମିସନ ସଂପୂର୍ଣ୍ଣ ଭାବେ ମୋଦୀଙ୍କ କଥାରେ ପରିଚାଳିତ ହେଉଛି ଏବଂ ଏହା ଗଣତନ୍ତ୍ର ପାଇଁ ଦୁର୍ଭାଗ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-11-13.jpg)