ନିର୍ବାଚନ ପୂର୍ବରୁ ପ୍ରବର୍ତ୍ତନ ଏଜେନ୍ସିର ଚଢ଼ଉ

ସାରା ଦେଶରୁ ୫୪୦ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ, ଓଡ଼ିଶାରୁ ୧.୫୪ କୋଟି ନଗଦ ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ

ନୂଆଦିଲ୍ଲୀ: ‌େଲାକସଭା ସାଧାରଣ ନିର୍ବାଚନକୁ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ କରିବା ଉଦ୍ଦେଶ୍ୟରେ ଭାରତର ନିର୍ବାଚନ ଆୟୋଗଙ୍କ ତତ୍ୱାବଧାନରେ ଦେଶବ୍ୟାପୀ ବିଭିନ୍ନ ପ୍ରବର୍ତନ ସଂସ୍ଥା ପକ୍ଷରୁ ଚଢ଼ଉ କରାଯାଇ ବିପୁଳ ପରିମାଣର ନଗଦ ଟଙ୍କା, ମଦ, ନିଶାଦ୍ରବ୍ୟ, ମୂଲ୍ୟବାନ ଧାତୁ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ମାର୍ଚ୍ଚ ୨୫, ୨୦୧୯ ସୁଦ୍ଧା ହସ୍ତଗତ ତଥ୍ୟ ଅନୁଯାୟୀ ସାରା ଦେଶରୁ ପ୍ରବର୍ତନ ଏଜେନ୍ସିଗୁଡ଼ିକ ଚଢ଼ାଉ କରି ପାଖାପାଖି ୫୪୦ କୋଟି ଟଙ୍କା ମୂଲ୍ୟର ନଗଦ ଅର୍ଥ ରାଶି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଏହି ଅବଧି ସୁଦ୍ଧା ମୋଟ ୧୪୩.୪୭ କୋଟି ଟଙ୍କାର ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୮୯.୬୪ କୋଟି ଟଙ୍କାର ମଦ ଜବତ କରାଯାଇଛି। ସେହିପରି ୧୩୧.୭୫ କୋଟି ଟଙ୍କାର ନିଶାଦ୍ରବ୍ୟ ଜବତ କରାଯାଇଛି। ଜବତ ହୋଇଥିବା ସୁନା ଆଦି ମୂଲ୍ୟବାନ ଧାତୁର ପରିମାଣ ୧୬୨.୯୩ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏତଦ୍ବ୍ୟତୀତ ୧୨.୨୦୨ କୋଟି ଟଙ୍କାର ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଜବତ କରାଯାଇଛି। ତାମିଲନାଡ଼ୁ, ଉତ୍ତରପ୍ରଦେଶ ଓ ଆନ୍ଧ୍ର ପ୍ରଦେଶରୁ ସର୍ବାଧିକ ପରିମାଣରେ ଜବତ କରାଯାଇଥିବା ଜଣାପଡ଼ିଛି।

ଓଡ଼ିଶାରୁ ୦.୧୫୪ କୋଟି ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ୫୩ ଲକ୍ଷ ଲିଟର ମଦ ଜବତ କରାଯାଇଛି, ଯାହାର ପରିମାଣ ପାଖାପାଖି ୧.୩୭ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ସେହିପରି ୦.୦୧୨ କୋଟି ଟଙ୍କାର ଅନ୍ୟାନ୍ୟ ଜବତ ସାମଗ୍ରୀକୁ ମିଶାଇ ମୋଟ ଜବତ ପରିମାଣ ୧.୫୪ କୋଟି ଟଙ୍କା ରହିଛି। ମିଳିଥିବା ସୂଚନା ଅନୁସାରେ, ଆଣ୍ଡାମାନ ନିକୋବର ଦ୍ୱୀପସମୂହରୁ ମୋଟ ୦.୦୯ କୋଟି ଟଙ୍କା ଜବତ କରାଯାଇଛି। ସେହିଭଳି, ଆନ୍ଧ୍ରପ୍ରଦେଶରୁ ମୋଟ ୧୦୩.୪ କୋଟି ଟଙ୍କାର ସାମଗ୍ରୀ ଜବତ ହୋଇଥିବାବେଳେ ସେହିପରି ଆସାମରୁ ୩.୯୭ କୋଟି ନଗଦ ଟଙ୍କା, ଛତିଶଗଡ଼ରୁ ୦.୪୮ କୋଟି ଟଙ୍କାର ସାମଗ୍ରୀ , ଗୋଆରୁ ୦.୨୩ କୋଟି ନଗଦ ଟଙ୍କା, ଗୁଜରାଟରୁ ଜବତ ୬ କୋଟି ଟଙ୍କାର ସାମଗ୍ରୀ, ହିମାଚଳ ପ୍ରଦେଶରୁ ୦.୦୪୨ କୋଟି ନଗଦ ଟଙ୍କା, ଝାଡ଼ଖଣ୍ଡରୁ ନଗଦ ୦.୨୨ କୋଟି ଟଙ୍କା, କର୍ଣ୍ଣାଟକରୁ ଜବତ ହୋଇଥିବା ୨୬.୫୩ କୋଟି ଟଙ୍କାର ସାମଗ୍ରୀ, ମଧ୍ୟପ୍ରଦେଶରୁ ନଗଦ ୩.୫୪ କୋଟି ଟଙ୍କା, ମହାରାଷ୍ଟ୍ରରୁ ୧୯.୧୧ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ, ମଣିପୁରରୁ ୨୨.୬୨ କୋଟି ଟଙ୍କାର ସାମଗ୍ରୀ , ମେଘାଳୟରୁ ୦.୨୪ କୋଟି ନଗଦ ଟଙ୍କା, ମିଜୋରାମରୁ ୦.୧୮ କୋଟି ଟଙ୍କାର ସାମଗ୍ରୀ, ପୁଡୁଚେରୀରୁ ୦.୧୭ କୋଟି ନଗଦ ଟଙ୍କା, ପଞ୍ଜାବରୁ ମୋଟ ୯୨.୮ କୋଟି ଟଙ୍କାର ସାମଗ୍ରୀ, ରାଜସ୍ଥାନରୁ ୮.୩୩ କୋଟି ଟଙ୍କାର ସାମଗ୍ରୀ, ତାମିଲନାଡ଼ୁରୁ ୩୬.୬ କୋଟି ନଗଦ ଟଙ୍କା , ତେଲଙ୍ଗାନାରୁ ୮.୨୧ କୋଟି ଟଙ୍କାର ଜବତ ସାମଗ୍ରୀ, ତ୍ରିପୁରାରୁ ୦.୭୦ କୋଟି ଏବଂ ଉତରାଖଣ୍ଡରୁ ୨.୨୯ କୋଟି ଟଙ୍କା, ଉତର ପ୍ରଦେଶରୁ ୮.୨୬ କୋଟି ନଗଦ ଟଙ୍କା, ପଶ୍ଚିମବଙ୍ଗରୁ ମୋଟ ୧୬.୨୯୫ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଛି।

ସମ୍ବନ୍ଧିତ ଖବର