ନିର୍ବାଚନ କ୍ୟାପ୍‌ସୁଲ୍‌: ସିପ୍ରା ମଲ୍ଲିକ ସ୍ବାଧୀନ ପ୍ରାର୍ଥୀ

ନିର୍ବାଚନରେ ଭାଇ, ଭଉଣୀ ପ୍ରାର୍ଥୀ

କେନ୍ଦ୍ରାପଡା: କେନ୍ଦ୍ରାପଡା ସଂରକ୍ଷିତ ବିଧାନସଭା ଆସନରୁ ଆଜି ସ୍ବାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ। ୨୦୦୯ରେ ସିପ୍ରା ବିଜେଡି ଟିକେଟରେ କେନ୍ଦ୍ରାପଡାରୁ ନିର୍ବାଚିତ ହୋଇଥିଲେ। ଆଜି ବିଜେଡି ପ୍ରାର୍ଥୀ ଭାବେ ମନ୍ତ୍ରୀ ଶଶୀଭୂଷଣ ବେହେରା କେନ୍ଦ୍ରାପଡାରୁ ନାମାଙ୍କନ ଦାଖଲ କରିଥିବା ବେଳେ ଠିକ ସେହି ସମୟରେ ସିପ୍ରା ସ୍ବାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ସିପ୍ରା କହିଛନ୍ତି ଯେ ସେ ବିଦ୍ରୋହୀ ପ୍ରାର୍ଥୀ ନୁହନ୍ତି। ଏବେ ବି ସେ ବିଜେଡିରେ ଅଛନ୍ତି। ଜିଲ୍ଲାରେ ମହିଳାଙ୍କ ପ୍ରତିନିଧିତ୍ବ ପାଇଁ ସେ ପ୍ରାର୍ଥିପତ୍ର ଦାଖଲ କରିଥିବା କହିଛନ୍ତି।

ବିଜେପିରୁ ଦେବୀ ଚନ୍ଦଙ୍କ ଇସ୍ତଫା
ବାଲେଶ୍ବର: ଜଳେଶ୍ବରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ କଂଗ୍ରେସ ସହ ଦୀର୍ଘଦିନ ସମ୍ପର୍କ କାଟି ବିଜେପିରେ ମିଶିଥିଲେ। ତେବେ ୨୦ ଦିନ ନପୂରୁଣୁ ଆଜି ସେ ପୁଣି ବିଜେପିରୁ ଇସ୍ତଫା ଦେଇଛନ୍ତି। ବାଲେଶ୍ବର ସହର ସ୍ଥିତ ଏକ ହୋଟେଲ୍‌ରେ ଶ୍ରୀ ଚନ୍ଦ ସାମ୍ବାଦିକ ସମ୍ମିଳନୀ ଡକାଇ ଇସ୍ତଫା ବାବଦରେ ସୂଚନା ଦେବା ସହ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେ ଜଳେଶ୍ବର ଆସନ ପାଇଁ ବିଧାୟକ ପଦ ପାଇଁ ସ୍ବାଧୀନ ଭା‌ବେ ନିର୍ବାଚନ ଲଢ଼ୁଥିବା ଜଳେଶ୍ବର ରାଜପୁର ପଞ୍ଚାୟତ ସମିତି ସଭ୍ୟ ଥିବା ମଧୁସୂଦନ ଦାସଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି କହିଛନ୍ତି।

କଂଗ୍ରେସ କାର୍ଯ୍ୟକାରୀ ସଭାପତି ପଦରୁ ଇସ୍ତଫା
ସୋନପୁର: ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପଦରୁ ଏବଂ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଆଜି ସୁବ୍ରତ ସେଠୀ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ର ପ୍ରଦେଶ କଂଗ୍ରେସ କମିଟି ସଭପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଥିବା ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା‌ ଦେଇଛନ୍ତି। ୧୧ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲାର ସିଆଲିଠାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ସେ ବିଜେଡିରେ ଯୋଗଦେବେ ବୋଲି କହିଛନ୍ତି।

ନିର୍ବାଚନରେ ଭାଇ, ଭଉଣୀ ପ୍ରାର୍ଥୀ
ଗୋପାଳପୁର: ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ-ଝିଅ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ଲକ୍ଷ୍ମଣ ମଲ୍ଲିକଙ୍କ ପୁଅ ଦେବୀ ପ୍ରସାଦ ମଲ୍ଲିକ ତିର୍ତ୍ତୋଲରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିବା ବେଳେ ଜଗତସିଂହପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ଦେବୀଙ୍କ ଭଉଣୀ ପ୍ରତିମା ମଲ୍ଲିକ। ଗୁୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଉଭୟ ଭାଇ,ଭଉଣୀ ଆଜି ଏକାଠି ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର