ନିର୍ବାଚନ କମିସନଙ୍କ ନିଦ ହଜାଇ ଦେଲେଣି

ନୂଆଦିଲ୍ଲୀ: ଏଥର ହେଉଥିବା ସାଧାରଣ ନିର୍ବାଚନକୁ ‘ମଦର ଅଫ୍ ଅଲ୍ ଇଲେକସନ’ ବୋଲି କୁହାଯାଉଛି। ଭାରତର ନିର୍ବାଚନ ଇତିହାସରେ ଏହା ହେବ ସଂପୂର୍ଣ୍ଣ ଭିନ୍ନ। ଅଧିକ ସଂଖ୍ୟକ ଭୋଟର, ଅଧିକ ଖର୍ଚ, ଉତ୍ତେଜନାପୂର୍ଣ୍ଣ ଏବଂ ଆହୁରି ଅନେକ। ଏଥିପାଇଁ ନିର୍ବାଚନ କମିସନ ଚାପରେ ରହିବା ସ୍ବାଭାବିକ। କିନ୍ତୁ ଏଥର ବିଭିନ୍ନ ଦଳର ନେତାମାନଙ୍କ ଲଗାମଛଡ଼ା ବୟାନବାଜି ସବୁ ସୀମା ଟପି ଗଲାଣି। ‌େଯତେ ତାଗିଦ କଲେ ବି କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି। ହାରିଗଲାଣି ଆଦର୍ଶ ଆଚରଣ ବିଧି। ଏହାକୁ ନେଇ ନିର୍ବାଚନ କମିସନରେ ଅଭି‌େଯାଗ ପତ୍ର ଗଦା ହୋଇଗଲାଣି। ସବୁ ଦଳ ପରସ୍ପର ବିରୋଧରେ ଅଭିଯୋଗ କରିବ‌େର ଲାଗିଛନ୍ତି। ନିର୍ବାଚନ ପରିଚାଳନା ପାଇଁ କମିସନ ବ୍ୟସ୍ତ ଥିଲା ବେଳେ ନେତାମାନଙ୍କର ଏଭଳି ବୟାନବାଜି ମୁଣ୍ଡବ୍ୟଥା ବଢ଼ାଇଦେଲାଣି। ଏବେ କମିସନଙ୍କ ଅଧିକ ସମୟ ଯାଉଛି ଅଭିଯୋଗ ଶୁଣିବା ଏବଂ ନୋଟିସ ପଠାଇବାରେ। ଅସହାୟ ଅବସ୍ଥାରେ ପଡ଼ିଥିବା ନିର୍ବାଚନ କମିସନଙ୍କୁ ଆଜି ସୁପ୍ରିମ କୋର୍ଟରେ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି।

ବାଲାକୋଟରେ ବୋମାମାଡ଼ ନାମରେ ମୋଦୀଙ୍କ ଭୋଟ ଭିକ୍ଷା ଠାରୁ ଆରମ୍ଭ କରି ଯୋଗୀ ଆଦିତ୍ୟନାଥଙ୍କ ମୋଦୀ ସେନା ତଥା ଅଲି ଓ ବଜରଙ୍ଗବାଲି ମନ୍ତବ୍ୟ, ରାହୁଲଙ୍କ ଚୌକିଦାର ଚୋର ହୈ ମନ୍ତବ୍ୟ, ମୋଦୀଙ୍କ ପାଇଁ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ପ୍ରଚାର, ମାୟାବତୀଙ୍କ ମୁସଲିମ ଭୋଟ ମନ୍ତବ୍ୟ, ମୁସଲିମ ଭୋଟରଙ୍କୁ ମେନକା ଗାନ୍ଧୀଙ୍କ ଧମକ, ଭୋଟରଙ୍କୁ ସକ୍ଷୀ ମହାରାଜଙ୍କ ଅଭିଶାପ ଭଳି ଅନ୍ୟ ନେତାମାନଙ୍କ ଆଚରଣ ମଧ୍ୟ ନିର୍ବାଚନ କମିସନଙ୍କୁ ଅଡ଼ୁଆରେ ପକାଇ ଦେଲାଣି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିଲେ ମଧ୍ୟ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲା ଥମୁନି। କଂଗ୍ରେସ ଓ ଆପ୍ ଅଭିଯୋଗ ଆଧାରରେ ନାମୋ ଟିଭି ଉପରେ କଟକଣା ଜାରି କରାଯାଇଛି। ସାଂପ୍ରଦାୟିକ ମନ୍ତବ୍ୟ ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଏସପି ମୁଖ୍ୟ ମାୟାବତୀଙ୍କୁ ନୋଟିସ ଜାରି କରାଯାଇଛି। ମୋଦୀ ସେନା ମନ୍ତବ୍ୟ ପାଇଁ ଯୋଗୀଙ୍କୁ କମିସନ ପ୍ରଥମ ଥର ତାଗିଦ କରିଥିଲେ। ଏବେ ପୁଣି ‌ତାଙ୍କ ନାମରେ ଅଲି ଓ ବଜରଙ୍ଗବାଲି ମନ୍ତବ୍ୟ ନେଇ ଅଭିଯୋଗ ଆସିଲାଣି। ତାଙ୍କୁ କମିସନ ପୁଣି ନୋଟିସ କଲେଣି। ସେହିଭଳି କଲ୍ୟାଣ ସିଂହଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କଲେଣି। ‌ମେନକା ଓ ମାୟାବତୀଙ୍କୁ ନୋଟିସ କଲେଣି। ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓଙ୍କୁ ମଧ୍ୟ ନୋଟିସ ଗଲାଣି। ଆଦର୍ଶ ଆଚରଣ ବିଧି ପାଇଁ ଚିନ୍ତିତ ଥିବା ନିର୍ବାଚନ କମିସନ ମୋଦୀଙ୍କ ଉପରେ ଆଧାରିତ ଚଳଚିତ୍ର ରିଲିଜ ଉପରେ ରୋକ୍ ଲଗାଇବା ସହିତ ନାମୋ ଟିଭି ଉପରେ କଟକଣା ଲଗାଇଛନ୍ତି। ଦୂର ଦର୍ଶନ ସବୁ ରାଜନୈତିକ ଦଳଙ୍କୁ ସମାନ ଗୁରୁତ୍ବ ଦେଉନଥିବାରୁ ଏହାକୁ ମଧ୍ୟ କମିସନ ତାଗିଦ କଲେଣି।

ଏବେ ୟୁପିରେ ନିର୍ବାଚନରେ ନିୟୋଜିତ ସୁରକ୍ଷା କର୍ମଚାରୀଙ୍କୁ ନମୋ ଖାଦ୍ୟ ପୁଡ଼ିଆ ବଣ୍ଟନକୁ ନେଇ ବିବାଦ ଉଠିଲାଣି। ଏହାପୂର୍ବରୁ ବିମାନ ଟିକଟ ଏବଂ ଟ୍ରେନ ଚା କପରେ ‌େମାଦୀଙ୍କ ଫଟୋ ନେଇ ଅଭିଯୋଗ ଆସିବା ପରେ ଏହାକୁ ବନ୍ଦ କରି ଦିଆଯାଇଥିଲା। ନିର୍ବାଚନ କମିସନ୍‌ର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି ଯେ ଏଥର ନିର୍ବାଚନରେ କମିସନ ଯେଉଁଭଳି ଚାପରେ ଅଛନ୍ତି ସେଭଳି ଚାପ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା। ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ହେଲେ କମିସନଙ୍କୁ ଅନେକ କଠୋର ପଦକ୍ଷେପ ନେବାକୁ ପଡ଼ିବ। ସମ୍ବିଧାନର ଧାରା ୩୨୪ କମିସନଙ୍କୁ ଏଥିପାଇଁ ବିପୁଳ କ୍ଷମତା ଦେଇଛି। ୨୦୧୪ ନିର୍ବ‌ାଚନରେ ଏହି କ୍ଷମତାର ପ୍ରୟୋଗ କରି ନିର୍ବ‌ାଚନ କମିସନ ବିଜେପି ସଭାପତି ଅମିତ ଶାହ ଏବଂ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଉପରେ କଟକଣା ଜାରି କରିଥିଲେ। ନିର୍ବାଚନର ଅବଶିଷ୍ଟ ସମୟ ପାଇଁ ସେମାନଙ୍କୁ ପ୍ରଚାର ନକରିବାକୁ ଦଣ୍ଡ ମିଳିଥିଲା। କୌଣସି ନିର୍ବାଚନରେ ପ୍ରଥମ ଥର ଲାଗି ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଚଳିତ ନିର୍ବାଚନରେ ମଧ୍ୟ କମିସନଙ୍କୁ କଠୋର ହେବାଲାଗି ସେ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର