କୋଲକାତା : ପଶ୍ଚିମବଙ୍ଗରେ ବିଜେପିର ଆକ୍ରମଣାକତ୍ମକ ନିର୍ବାଚନ ପ୍ରଚାର ସତ୍ତ୍ବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ଭାବେ ଉଭା ହୋଇଛି ଏବଂ ତୃତୀୟ ଥର ପାଇଁ ରାଜ୍ୟରେ ଶାସନ କରିବା ସ୍ପଷ୍ଟ ହୋଇଛି। ମମତାଙ୍କ ଏହି ସଫଳତା ପାଇଁ ବିଭିନ୍ନ ରାଜନେତାମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶୁଭେଚ୍ଛୁମାନେ ତାଙ୍କୁ 'ବଙ୍ଗ ବାଘୁଣୀ'ର ଆଖ୍ୟା ଦେଇଛନ୍ତି। ଶିବସେନା ନେତା ସଞ୍ଜୟ ରାଉତ ତାଙ୍କୁ ଏଭଳି ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରଚାର ବେଳର 'ଦିଦି, ଓ ଦିଦି' ମନ୍ତବ୍ୟକୁ କଟାକ୍ଷ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଵାଲ 'କି ଲଢ଼େଇ' ବୋଲି ଟିପ୍ପଣୀ କରିବା ସହ ମମତା ଓ ପଶ୍ଚିମବଙ୍ଗବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେହିପରି ନିର୍ବାଚନ ଆୟୋଗଙ୍କ ପକ୍ଷପାତପୂର୍ଣ୍ଣ ନୀତି ସତ୍ତ୍ବେ ତୃଣମୂଳ କଂଗ୍ରେସର ଏପରି ବିଜୟ ସ୍ବାଗତଯୋଗ୍ୟ ବୋଲି ନାସନାଲ କନ୍ଫରେନ୍ସ ନେତା ଓମାର ଅବଦୁଲ୍ଲା ଟିପ୍ପଣୀ କରିବା ସହ ଆସନ୍ତା ୫ ବର୍ଷ ପାଇଁ ଶୁଭକାମନା ଜଣାଇଛନ୍ତି। ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ 'ଏପରି ସଚେତନ ଜନସାଧାରଣ, ଲଢୁଆ ମମତା ବାନାର୍ଜୀ ଏବଂ ଉତ୍ସର୍ଗୀକୃତ ନେତା ଓ କର୍ମୀମାନଙ୍କୁ ଅଭିନନ୍ଦନ' ବୋଲି ଟ୍ବିଟ୍ କରିବା ସହ ଏହି ବିଜୟ ବିଜେପିର 'ଦିଦି ଓ ଦିଦି' ପରି ଅପମାନଜନକ ନିନ୍ଦାବାଣୀ ପ୍ରତି ଉଚିତ ଜବାବ ବୋଲି କହିଛନ୍ତି।