କୋଲକାତା : ‘ରାଜ୍ୟରେ ବିଜୟ ଉତ୍ସବ ପାଳନ କରାଯିବ ନାହିଁ। ଶପଥ ଗ୍ରହଣ ଉତ୍ସବକୁ ମଧ୍ୟ ସୀମିତ ରଖାଯିବ। ରାଜ୍ୟର ସମସ୍ତ ନାଗରିକଙ୍କୁ ମାଗଣାରେ ଭ୍ୟାକ୍‌ସିନ୍‌ ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିବି। ଯଦି ଏହା କାର୍ଯ୍ୟକାରୀ ନହୁଏ ତେବେ ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣା ଦେବି। ସମଗ୍ର ଦେଶକୁ ମାଗଣାରେ ଟିକା ଯୋଗାଇବାକୁ ଦାବି କରିବି।’ ପଶ୍ଚିମବଂଗରେ ହ୍ୟାଟ୍ରିକ ବିଜୟ ହାସଲ କରିବା ପରେ ଆଜି ସନ୍ଧ୍ୟାରେ ମମତା ବାନାର୍ଜୀ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି। ମମତା ପ୍ରଥମେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ। ମମତା କହିଲେ, ଆରମ୍ଭରୁ ଡବଲ ସେଞ୍ଚୁରି ଆଶା ରଖିଥିଲି। ଏହା ବଙ୍ଗଳାର ବିଜୟ ବୋଲି କହିବା ସହ ସମସ୍ତେ କୋଭିଡ୍‌-୧୯ ନିୟମ କଡ଼ାକଡ଼ି ପାଳନ କରିବାକୁ ଅନୁରୋଧ କରିଥିଲେ। ଏବେ ଆମକୁ କରୋନା ସହ ଲଢ଼ିବାକୁ ହେବ। ବିଧାନସଭା ନିର୍ବାଚନ ଭଳି କରୋନାକୁ ମଧ୍ୟ ହରାଇବାକୁ ହେବ। ସମସ୍ତେ ମିଳିମିଶି କରୋନା ବିରୋଧରେ କାମ କରିବା। ତେଣୁ ଦଳର ବିଜୟକୁ ନେଇ କୌଣସି ପ୍ରକାର ଶୋଭାଯାତ୍ରା ନ କରିବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମମତା କହିଥିଲେ।

Advertisment

ମହାମାରୀ କରୋନା ସଂକ୍ରମଣ ବୃଦ୍ଧି କାରଣରୁ ବିଜୟ ଉତ୍ସବ ପାଳନ ଉପରେ ରୋକ୍‌ ଲଗାଇଥିଲେ ନିର୍ବାଚନ ଅଧିକାରୀ। ଏହାସତ୍ତ୍ବେ ଦଳର ହ୍ୟାଟ୍ରିକ୍‌ ବିଜୟରେ ଉତ୍ସାହିତ ତୃଣମୂଳ ସମର୍ଥକମାନେ କେତେକ ସ୍ଥାନରେ ବିଜୟ ଶୋଭାଯାତ୍ରା ବାହାର କରିଥିଲେ। କାଳୀଘାଟ, ଆସାନସୋଲରେ ତୃଣମୂଳ ସମର୍ଥକମାନେ ବିଜୟ ଶୋଭାଯାତ୍ରା କରିଛନ୍ତି।