ଘସିପୁରାରେ ବୁଥ୍‌ ରିଗିଂ ଭିଡିଓ ଭାଇରାଲ, ବ୍ଲକ୍‌ ଅଧ୍ୟକ୍ଷା ଓ ଦିଅରଙ୍କ କବ୍‌ଜାରେ ବୁଥ୍‌!

କେନ୍ଦୁଝର/ଆନନ୍ଦପୁର: ଘସିପୁରା ବ୍ଲକ ଗୋହିରା ପଞ୍ଚାୟତର ଭୋଳନୂଆଗାଁ ବୁଥ୍‌ରେ ନିଜେ ପୋଲିଂ ଅଧିକାରୀ ଭୋଟ୍ ଦେଉଥିବା ଭିଡିଓ ଭାଇରାଲ ହେଲାପରେ ସେଠାରେ ପୁନଃ ମତଦାନ କରାଯିବାକୁ ନିର୍ବାଚନ ଅଧିକାରୀ ସୁପାରିସ କରିଛନ୍ତି। ଏ ଘଟଣାରେ ଦୁଇଜଣ ପୋଲିଂ ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି। ଏବେ ଆଉ ଏକ ବୁଥ୍‌ ରିଗିଂ ଭିଡିଓ ଭାଇରାଲ ହୋଇଛି। ଏଥିରେ ଘସିପୁରା ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ଦିଅର ବୁଥ୍ ଭିତରକୁ ଅବାଧରେ ଲୋକଙ୍କୁ ନେଇ ଭୋଟ ଦେଉଛନ୍ତି। ୨୭୫ ନମ୍ବର ବଡ଼ପଦନା ବୁଥ୍‌ରେ ଏହି ଘଟଣା ଘଟିଥିବା କୁହାଯାଉଛି।

ସୂଚନାଯୋଗ୍ୟ ଯେ ଘସିପୁରା ନିର୍ବାଚନ ମଣ୍ଡଳୀରେ ଗତ ୨୩ ତାରିଖ ଦିନ ଭୋଟଗ୍ରହଣ ହୋଇଥିଲା। ଏଠାରେ ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ ଓ ତାଙ୍କ ଦିଅର ସନ୍ତୋଷ ସାହୁ ବୁଥ୍ ରିଗିଂ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବ୍ଲକ ଅଧ୍ୟକ୍ଷା ଓ ତାଙ୍କ ଦିଅର ଦିନ ଦୁଇଟାରୁ ୬ଟା ପର୍ଯ୍ୟନ୍ତ ୪ ଘଣ୍ଟା ବୁଥ୍ ଭିତରେ ରହି ଭୋଟରମାନଙ୍କୁ ପ୍ରଭାବିତ କରିଥିଲେ। ଏମିତିକି କେତେଜଣ ଭୋଟରଙ୍କୁ ନେଇ ନିଜେ ଇଭିଏମ୍‌ରେ ଭୋଟ୍ ଦେଉଥିବା ଦୃଶ୍ୟ ଭାଇରାଲ ହୋଇଛି। ବ୍ଲକ ଅଧ୍ୟକ୍ଷା ସରକାରୀ ପଦବିରେ ରହି କିଭଳି ଲୋକମାନଙ୍କ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି। ଏହି ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଥିଲେ ହେଁ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଧିକାରୀ ନିରବ ରହି ସେମାନଙ୍କୁ ସହଯୋଗ କରିଥିବା ଦେଖାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ଏଜେଣ୍ଟ ରତିକାନ୍ତ ବରାଳ କହିଛନ୍ତି ଯେ ବ୍ଲକ୍ ଅଧ୍ୟକ୍ଷା ସୁଜାତା ଓ ତାଙ୍କ ଦିଅର ନିର୍ବାଚନ ଦିନ ଘଣ୍ଟା ଘଣ୍ଟା ଧରି ବୁଥ୍‌ ଭିତରେ ରହି ଭୋଟରଙ୍କୁ ପ୍ରଭାବିତ କରିବା ସହ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିସନ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନ ନେଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଛନ୍ତି। ସେପଟେ ଏହି ଭିଡିଓ ଭାଇରାଲ ହେବା ପରେ ଘସିପୁରା ନିର୍ବାଚନମଣ୍ଡଳୀରେ ମୁକ୍ତ ଓ ଅବାଧ ନିର୍ବାଚନ ଉପରେ ସନ୍ଦେହ ଘନୀଭୂତ ହୋଇଛି।

ସମ୍ବନ୍ଧିତ ଖବର