‘ଶେଷ ନିଶ୍ବାସ ଥିବା ଯାଏ ଓଡ଼ିଶାବାସୀଙ୍କ ସେବା କରିବି’

କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର, ଭବାନୀପାଟଣାରେ ରାତ୍ରି ଯାପନ

ଭବାନୀପାଟଣା/ ଲାଞ୍ଜିଗଡ଼/ଜୟପାଟଣା/ କୋକସରା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ଭବାନୀପାଟଣା ସହରରେ ରୋଡ ସୋ’ କରି ନିର୍ବାଚନ ପ୍ରଚାର କରିବା ପରେ ଇରିଗେସନ ଆଇବିରେ ରାତ୍ରିଯାପନ କରିଥିଲେ। ମଙ୍ଗଳବାର ସକାଳ ପ୍ରାୟ ସାଢେ ୧୦ ଟାରେ ମୁଖ୍ୟମନ୍ତ୍ରୀ ମା’ ମାଣିକେଶ୍ବରୀ ମନ୍ଦିରରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଥିଲେ। ମନ୍ଦିରରେ ପୂଜକ ବିଶିକେଶନ ତ୍ରିପାଠୀ, ଶ୍ରୀପତି ମିଶ୍ର ଓ ପ୍ରଦ୍ୟୁମ୍ନ ପୁରୋହିତ ପୂଜାର୍ଚ୍ଚନା କରିଥିଲେ। ଏଥିରେ ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ, ଭବାନୀପାଟଣା ସଦର ପ୍ରାର୍ଥୀ ଦୁଷ୍ମନ୍ତ ନାଏକ, ଶ୍ରୀମୟୀ ମିଶ୍ର, ସୁଜିତ କୁମାର ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଭବାନୀପାଟଣା ସହରରେ ରୋଡ ସୋ କରିବା, ରାତ୍ରି ଯାପନ କରିବା ଓ ମା’ ମାଣିକେଶ୍ବରୀ ମନ୍ଦିର ଦର୍ଶନ କରିବା ଘଟଣା ସହରରେ ପ୍ରମୁଖ ଚର୍ଚ୍ଚାର ବିଷୟ ଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ପୁଲିସ ରିଜର୍ଭ ପଡ଼ିଆକୁ ଯାଇ ହ୍ୟା‌ଲିକେପ୍ଟର ଯୋଗେ ଜୟପାଟଣା ବ୍ଲକର ଚାଚିଗୁଡ଼ାରେ ପହଞ୍ଚିଥିଲେ ଏବଂ ସେଠାରେ ଆୟୋଜିତ ଏକ ଜନସଭାରେ ଜନସାଧାରଣଙ୍କୁ ଉଦବୋଧନ ଦେଇ ଲାଞ୍ଜିଗଡ଼ ପ୍ରାର୍ଥୀ ପ୍ରଦୀପ ଦିଶାରୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେଠାରୁ ତୁଳାପଡ଼ା ଯାଇ ନର୍ଲା ବିଧାନସଭା ପ୍ରାର୍ଥୀ ଭୂପିନ୍ଦର ସିଂଙ୍କ ସପକ୍ଷରେ ପ୍ରଚାର କରିଥିଲେ। ସେହିପରି ବିଶ୍ବନାଥପୁରଠାରେ ପହଞ୍ଚି ଲାଞ୍ଜିଗଡ଼ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଜୟପାଟଣା ବ୍ଲକର ଚାଚିଗୁଡ଼ା ଖେଳପଡିଆ ଠାରେ ଆୟୋଜିତ ନିର୍ବାଚନୀ ସଭାରେ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶେଷ ନିଶ୍ୱାସ ଥିବା ଯାଏଁ ଓଡ଼ିଶା ମାଟି ପାଇଁ ସେବା କରିବି ବୋଲି କହିଥି‌େଲ। ସେହିପରି ଏସଏଚଜିକୁ ବୀମା ଯୋଜନାରେ ଅନ୍ତଭୁର୍କ୍ତ କରିବା ପାଇଁ ଘୋଷଣା କରିଥିଲେ। ପ୍ରାର୍ଥୀଙ୍କ ସହ ମଞ୍ଚରେ ମାଣିକ୍ୟ ନାଏକ, ଜିତେନ୍ଦ୍ର ନାରାୟଣ ସିଂଦେଓ, ଆୟୁବଅଲ୍ଲୀ ଖାଁ, ପ୍ରଭାକର ପଟ୍ଟନାୟକ, ପ୍ରଶାନ୍ତ ମୁଣ୍ଡ, ଯୁଧିଷ୍ଠିର ସୁନା, ସୁରେଶ ଚନ୍ଦ୍ର ମୁଣ୍ଡ, ଦେବକିଶୋର ନାଏକ, ଚୂଡାମଣି ନାଏକ, ଡମ୍ବରୁ ନାଏକ, ସତ୍ୟବାନ ଦାସ, ଗଂଗନ ମଂଜରୀ ନାଏକ ଉଦବୋଧନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟ ସତ୍ୟନାରାୟଣ ଅଗ୍ରୱାଲ, ଦୁ‌‌େର୍ଯ୍ୟାଧନ ଠାକୁର, ଦିଲ୍ଲୀପ ରାଉତ, ଚିନ୍ମୟ ରାଉତ ପ୍ରମୁଖ ଉପସ୍ଥିତ ଥିବା ବେଳେ ଜୟପାଟଣା ବ୍ଳକ ବିଜେଡି ସଭାପତି ମିନିକେତନ ପୂଝାରୀ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଚଳଚ୍ଚିତ୍ର ଅଭିନେତା ସମ୍ବିତ, ମଣ୍ଟୁ, ଅଭିନେତ୍ରୀ ରିଆ ଦେ, ଶ୍ରୀଆ ପ୍ରମୁଖ ବିଜେଡିକୁ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ନିବେଦନ କରିଥିଲେ।

ସକାଳେ ମା’ ମାଣିକେଶ୍ବରୀଙ୍କ ଦର୍ଶନ, ରେଳ ୱାଗନ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା

ମୁଖ୍ୟମନ୍ତ୍ରୀ ନର୍ଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଥିଲେ। ମହିଳା ଏସଏଚଜି, ବିଜୁ ସ୍ବାସ୍ଥ୍ୟ ବୀମା ରାଶି ବଢ଼ାଇବା, ପ୍ରଥମରୁ କଲେଜ ପର୍ଯ୍ୟନ୍ତ ପିଲାଙ୍କୁ ମାଗଣା ଶିକ୍ଷା ଆଦି ଘୋଷଣା କରିଥିଲେ। ନର୍ଲା ରେଳଡ଼ବା କାରଖାନା କୁଆଡ଼େ ଗଲା, ସବୁ ଆଡ଼େ ଜଳ ସେଚନ ବ୍ୟବସ୍ଥା କୁଆଡ଼େ ଗଲା ଆଦି ୭ଟି ପ୍ରଶ୍ନ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ। ଓଡ଼ିଶାର ବିକାଶ ଧାରାକୁ ଆଗ‌କୁ ନେବା ପାଇଁ ବିଜେଡି ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ କହିଥିଲେ। ଏହି ଅବସରରେ ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଓ ନର୍ଲା ବିଧାୟକ ପ୍ରାର୍ଥୀ ଭୂପିନ୍ଦର ସିଂ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ନିର୍ବାଚନୀ ସଭାରେ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ରେଳ ୱାଗନ କାରଖାନା ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କେନ୍ଦ୍ରର ଅବହେଳା ଯୋଗୁଁ ଲୋକେ ଆଜି ଅନେକ ସୁବିଧାରୁ ବଞ୍ଚିତ ହେଉଛନ୍ତି କିନ୍ତୁ ମୁଁ ଏହା ହେବାକୁ ଦେବି ନାହିଁ। ଏଥର ନିର୍ବାଚିତ ହେଲେ ପ୍ରଥମ ଦିନରେ କାଳିଆ ଯୋଜନାର ଦୁଇଟି କିସ୍ତି ଅନୁଦାନ ଦିଆଯିବ ବୋଲି କହିଥିଲେ। ସେହିପରି ମିସନ ଶକ୍ତିର ମା’ମାନଙ୍କୁ ବାର୍ଷିକ ୫ହଜାର କୋଟି ଟଙ୍କାର ସରକାରୀ କାମ ଦିଆଯିବ ବୋଲି କହିଥିଲେ। ସେହିପରି କେନ୍ଦ୍ର ଘୋଷଣା କରିଥିବା କଳାହାଣ୍ଡିରେ ରେଳ ୱାଗନ କାରଖାନା କୁଆଡ଼େ ଗଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ମଞ୍ଚରେ ସାଂସଦ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଏବଂ ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ ଉପସ୍ଥିତ ଥିଲେ। ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଭବାନୀଶଙ୍କର ନିଆଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷ ଇଂ ଫକୀରମୋହନ ମାଝୀ, ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରଧାନୀ, ମହିଳା ନେତ୍ରୀ ସରସ୍ୱତୀ ମୁଣ୍ଡା, ପ୍ରଦୀପ ଘଡେଇ, ଚନ୍ଦ୍ରଧ୍ୱଜ ପେସନିଆ, ମନହର ହରପାଲ, କ୍ଷୀରାଦ୍ରି ସାହୁ, ଜଗଦୀଶ ବେନିଆ, ଚନ୍ଦ୍ର ମହାପାତ୍ର, ଲାଞ୍ଜିଗଡ ରୋଡ ସରପଞ୍ଚ ଟଙ୍କଧର ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଶ୍ରୀମୟୀ ମିଶ୍ର ଓ ଗୋପାଳଦାସ ମହାନନ୍ଦ ସଭା ପରିଚାଳନା କରିଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ଲାଞ୍ଜିଗଡ଼ରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ।

ରାତ୍ରିଭୋଜନରେ ରୁଟି, ଚିକେନ୍‌, ଡାଲି, ବିନ୍‌ ଆଳୁଭଜା
ସୋମବାର ରାତିରେ ମୁଖ୍ୟମନ୍ତ୍ରୀଙ୍କ ରାତ୍ରିଭୋଜନ ଉପରେ ସମସ୍ତଙ୍କ ନଜର ରହିଥିଲା। ମୁଖ୍ୟମନ୍ତ୍ରୀ ରୁଟି, ଚିକେନ କରି, ବିନ୍‌ ଆଳୁଭଜା, ଡାଲି ଖାଇଥିଲେ। ମଂଗଳବାର ସକାଳେ ଜଳଖିଆରେ ହାଲକା ଭୋଜନ ନେଇଥିଲେ।

ସମ୍ବନ୍ଧିତ ଖବର