ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ୍ର ବୈଧତାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଏବେ ନିର୍ବାଚନ ପ୍ରକ୍ରିୟା ଚାଲିଥିବାରୁ ଏଥିରେ କୌଣସି ଅଙ୍କୁଶ ଲାଗିବ ନାହିଁ, କିନ୍ତୁ ରାଜନୈତିକ ଦଳମାନେ ସେମାନଙ୍କ ଚାନ୍ଦାର ବିସ୍ତୃତ ବିବରଣୀ ମେ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ହେବ ବୋଲି ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ରକ୍ଷା ପାଇଁ ଏଭଳି ପଦକ୍ଷେପ ଜରୁରୀ ବୋଲି କୋର୍ଟ କହିଛନ୍ତି। ସମସ୍ତ ରାଜନୈତିକ ଦଳ ୧୫ ମେ ସୁଦ୍ଧା ଗ୍ରହଣ କରିଥିବା ଚାନ୍ଦାର ବିବରଣୀ ନିର୍ବାଚନ କମିସନଙ୍କ ନିକଟରେ ସିଲ୍ ବନ୍ଦ ଲଫାପାରେ ଦାଖଲ କରିବେ। ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ସେମାନେ କେତେ ଟଙ୍କା କାହାଠାରୁ ପାଇଛନ୍ତି ସେ ସଂପର୍କିତ ତଥ୍ୟ ପ୍ରଦାନ କରିବେ। ଯେଉଁ ଆକାଉଣ୍ଟ୍ ନମ୍ବରକୁ ଟଙ୍କା ପଠାଯାଇଛି ତାହାର ସୂଚନା ମଧ୍ୟ ଦେବାକୁ ପଡ଼ିବ। ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସଂଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ ପ୍ରକ୍ରିୟାରେ ପାରଦର୍ଶିତା ରକ୍ଷା ପାଇଁ ରାଜନୈତିକ ଦଳମାନଙ୍କୁ ଚାନ୍ଦା ସଂପର୍କିତ ତଥ୍ୟ ପ୍ରଦାନ ଦିଗରେ ତତ୍ପରତା ଦେଖାଇବାକୁ ହେବ। ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ହାସଲ ହେଉଥିବା ଚାନ୍ଦାରେ ସ୍ବଚ୍ଛତା ରହିଲେ ଏହାକୁ ନେଇ କୌଣସି ସନ୍ଦେହ ଉପୁଜିବ ନାହିଁ ବୋଲି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି କହିଥିଲେ ଯେ ସମସ୍ତ ରାଜନୈତିକ ଦଳ ପ୍ରତ୍ୟେକ ବଣ୍ଡ୍ ମାଧ୍ୟମରେ ହାସଲ କରିଥିବା ଚାନ୍ଦା ଏବଂ ଚାନ୍ଦା ଦେଉଥିବା ବ୍ୟକ୍ତି ଏବଂ ସଂପୃକ୍ତ ବ୍ୟାଙ୍କ ଆକାଉଣ୍ଟ୍ ସଂପର୍କରେ ତଥ୍ୟ ଦେବାକୁ ବାଧ୍ୟ। ଆଇନଜୀବୀ ପ୍ରଶାନ୍ତ ଭୂଷଣ ଏସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ ବିଜେପି ନିର୍ବାଚନୀ ବଣ୍ଡ୍ ମାଧ୍ୟମରେ ୯୫ ପ୍ରତିଶତ ଅର୍ଥ ହାସଲ କରିଛି। ନିର୍ବାଚନ କମିସନ ମଧ୍ୟ ଦାଖଲ କରିଥିବା ରିପୋର୍ଟରେ କହିଛନ୍ତି ଯେ ନିର୍ବାଚନୀ ବଣ୍ଡ ମାଧ୍ୟମରେ ମିଳିଥିବା ଚାନ୍ଦାର ସିଂହଭାଗ ଶାସକ ବିଜେପି ଦଳକୁ ଯାଇଛି । ତେବେ ଖଣ୍ଡପୀଠ କହିଥିଲେ ଯେ ଚାନ୍ଦାରେ ସନ୍ତୁଳନ ଆଣିବାକୁ ଆମେ ଚାହୁନାହୁଁ, କିନ୍ତୁ ଏ କ୍ଷେତ୍ରରେ ପାରଦର୍ଶିତା ରକ୍ଷା ଜରୁରୀ। ଏଟର୍ଣ୍ଣି ଜେନେରାଲ କେ କେ ବେଣୁଗୋପାଳ ତାଙ୍କ ଯୁକ୍ତିରେ କହିଥିଲେ ସ୍ବଚ୍ଛତା ରକ୍ଷା ଆଳରେ ଅଦାଲତ ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରିପାରିବେ ନାହିଁ। ନିର୍ବାଚନରେ କଳାଧନକୁ ରୋକିବା ପାଇଁ ଏହି ବଣ୍ଡ ବ୍ୟବସ୍ଥା ହୋଇଛି ଏବଂ ଏଥିରେ କୋର୍ଟ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ସେ କହିଥିଲେ।
ନିର୍ବାଚନୀ ବଣ୍ଡ୍ ନେଇ ସୁପ୍ରିମ୍ କୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସବୁ ଦଳ ଚାନ୍ଦା ବିବରଣୀ ଦେବେ
ମେ ୩୦ ସୁଦ୍ଧା ତଥ୍ୟ ଦାଖଲ ନିର୍ଦ୍ଦେଶ, କଳାଧନ ରୋକିବାକୁ ବଣ୍ଡ୍ ବ୍ୟବସ୍ଥା ହୋଇଛି: ଏଜି
/sambad/media/post_attachments/wp-content/uploads/2019/04/SUPREMECOURT.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)