ରୋଚକ ମୋଡ଼ରେ ଯାଜପୁର ଆସନ : ବବିଙ୍କୁ ଟକ୍କର ଦେବ କିଏ?

ଯାଜପୁର,(ସଂଗ୍ରାମ ସିଂହ): ଯାଜପୁର ସଦର ନିର୍ବାଚନ ମଣ୍ଡଳୀ ହେଉଛି ବିଜେଡ଼ି ଗଡ। ୧୯୮୫ ପର ଠାରୁ ଏଠାରେ କଂଗ୍ରେସ ଖାତା ଖୋଲି ପାରିନାହିଁ। ବିଜେଡ଼ିର ଅନ୍ୟତମ ପ୍ରଭାବଶାଳୀ ଯୁବନେତା ପ୍ରଣବ ପ୍ରକାଶ ଦାସ (ବବି ଦାସ)ଙ୍କର ଶାଣିତ ରାଜନୀତି ସମ୍ମୁଖରେ ବିରୋଧୀ କଂଗ୍ରେସ ଓ ବିଜେପି ନେତା ନିଜର ଥଳକୂଳ ପାଉନାହାନ୍ତି। ଲଗାତର ୨ଥର(୨୦୧୯, ୨୦୧୪)ରେ ବିଜୟୀ ହୋଇଥିବା ବବିବାବୁ ଏଥର ହ୍ୟାଟ୍ରିକ କରିବାକୁ ଆଗୁଆ ସବୁ ପ୍ରସ୍ତୁତି ଶେଷ କରି ସାରା ରାଜ୍ୟ ସଙ୍ଗଠନରେ ମାତିଛନ୍ତି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।

୨୦୧୪ ନିର୍ବାଚନରେ ବବି ୮୪ହଜାର ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ। ପ୍ରତିଦ୍ବନ୍ଦ୍ବୀମାନେ ଅମାନତ ହରାଇଥିଲେ। ଏଥର ତାଙ୍କୁ କିଏ ଟକ୍କର ‌େଦବ ତା ଉପରେ ସମସ୍ତଙ୍କର ନଜର। ମନ୍ତ୍ରୀ ପଦ ଅଦଳବଦଳ ବେଳେ ଯେପରି ବବି ନିଜେ ମନ୍ତ୍ରୀ ଲବିରୁ ଓହରି ଆସି ଦଳର ସଙ୍ଗଠନରେ ଅଧିକ ସକ୍ରିୟ ହୋଇ ମାଷ୍ଟ୍ରକ୍ ଷ୍ଟ୍ରୋକ ଖେଳୁଛନ୍ତି। ସେହିପରି ଏଥର ସେ ପ୍ରାର୍ଥୀ ନହୋଇ ଦଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ଚର୍ଚ୍ଚା ହେଉଛି। ତାଙ୍କ ଦାଦାପୁଅ ଭାଇ ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କୁ ପ୍ରାର୍ଥୀ କରାଇପାରନ୍ତି ବୋଲି କୁହାଯାଉଛି। ବବି ନିଜେ ଟିକେଟ୍ ନେବେ ନାହିଁ କି ତାଙ୍କ ସହ ଭଲ ସଂପର୍କ ନଥିବା ଦଳୀୟ ନେତାଙ୍କୁ ଟିକେଟ ଦେବେ ନାହିଁ ବୋଲି ମଧ୍ୟ ଚର୍ଚ୍ଚା ‌ଜୋର ଧରିଛି।

ପ୍ରକାଶଥାଉକି, ପଞ୍ଚାୟତ ନିର୍ବାଚନରେ ବିେଜପିକୁ କିଛି ପରିମାଣରେ ସଫଳତା ମିଳିଥିଲେ ହେଁ, ଭୁଲ ଗୋଟି ଚାଳନା, ନୂଆ-ପୁରୁଣା ଲଢେଇରେ ସଂଗଠନ ଦୋହଲି ଯାଇଛି। ଅନ୍ୟପକ୍ଷରେ ପଞ୍ଚାୟତ ନିର୍ବାଚନରେ ନୈରାଶ୍ୟଜନକ ଫଳାଫଳ ବିଜେଡ଼ି ନେତାଙ୍କ ପାଇଁ ସର୍ତକ ଘଣ୍ଟି ଥିଲା। ଏହାକୁ ବିଜେଡ଼ି ନେତାମାନେ ଗୁରୁତ୍ବ ଦେଇ ନିଜର ସ୍ଥିତି ସୁଧାରିବାରେ ଲାଗିଛନ୍ତି।

ଏଭଳି ପରିସ୍ଥିତିରେ ଅଣ କଂଗ୍ରେସରୁ ରାଜନୀତି ଆରମ୍ଭ କରିଥିବା ବିଜେପିର ଜିଲ୍ଲା ସଭାପତି ଗୌତମ ରାୟ ଏଠାରୁ ପ୍ରାର୍ଥୀ ହେବା ସମ୍ଭାବନା ଥିବାରୁ ଯାଜପୁର ରାଜନୀତି ରୋଚକ ମୋଡ଼ େନବ ବୋଲି ଚର୍ଚ୍ଚା ହେଉଛି। ଉତ୍‌ଥାନ ପତନ ଦେଇ ଆଗେଇ ଚାଲିଥିବା ଗୈାତମ କିପରି ବବିଙ୍କୁ ଟକ୍କର ଦେଉଛନ୍ତି ତା ଉପରେ ସମସ୍ତଙ୍କର ନଜର ରହିଛି। ଦଳୀୟ କାର୍ଯ୍ୟକ୍ରମକୁ ତୃଳମୂଳ ସ୍ତରରେ ପହଞ୍ଚାଇ ନିଜର ଶିବିର ସଜାଡ଼ିବାରେ ଗୌତମ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।

ଏହା ବ୍ୟତୀତ କ‌ଂ‌ଗ୍ରେସ ମଧ୍ୟ ଜଣେ ଟାଣୁଆ ଯୁବ‌ ନେତାଙ୍କୁ ଏଠାରେ ପ୍ରାର୍ଥୀ କରିବାକୁ ଯୋଜନାରେ ଅଛି। ବବିଙ୍କ ଯୁବ ବାହିନୀକୁ ଟକ୍କର ଦେବା ଭଳି ପ୍ରାର୍ଥୀ ଦେବାକୁ କଂଗ୍ରେସ ମଧ୍ୟ ଚିନ୍ତା କରୁଛି। କଂଗ୍ରେସରୁ ଗତ ଥର ପ୍ରାର୍ଥୀ ହୋଇଥିବା ସନ୍ତୋ‌ଷ ନନ୍ଦ ଏଥର ମଧ୍ୟ ଆଶାୟୀ ଅଛନ୍ତି। ତେବେ ଗତଥର ଶୋଚନୀୟ ପରାଜୟ ସନ୍ତୋ‌ଷଙ୍କ ପାଇଁ ବାଟ ଓଗାଳୁଥିବା ବେଳେ ବଳଭଦ୍ର ଦାସ, ସୁଦିପ୍ତ କର, ଦିପ୍ତିମୟୀ ମିଶ୍ର ଓ ହିମାଂଶୁ ଲେଙ୍କା ପ୍ରମୁଖ ଟିକେଟ ପାଇଁ ଆଶାୟୀ। ଏହା ବାଦ ପୂର୍ବତନ ସାମରିକ କର୍ମଚାରୀ ଯୁବନେତା ପୁଲିନ ପୁହାଣ ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦୈାଡ଼ରେ ଅଛନ୍ତି। ବବିଙ୍କ ଯୁବ ବାହିନୀଙ୍କୁ ଟକ୍କର ଦେବା ଭଳି କ୍ଷମତା ପୁଲିନଙ୍କ ଟିମ୍‌ର ରହିଛି ବୋଲି କୁହା‌ଯାଉଥିବା ବେଳେ ବୁଦ୍ଧିଜୀବୀ ଗୋଷ୍ଠୀ ଏହାକୁ କିପରି ଗ୍ରହଣ କରୁଛନ୍ତି ତା ଉପରେ ଦଳୀୟ ହାଇକମାଣ୍ଡଙ୍କର ନଜର ରହିଛି।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ପ୍ରଣବ ପ୍ରକାଶ ଦାସ       ୧,୦୪,୪୫୮
କଂଗ୍ରେସ   ସନ୍ତୋଷ କୁମାର ନନ୍ଦ     ୧୯,୮୪୫
ବିଜେପି    ଜଗନ୍ନାଥ ପ୍ରସାଦ ସାମଲ  ୧୭,୧୧୮

ସମ୍ବନ୍ଧିତ ଖବର