ସଂଖ୍ୟାଗରିଷ୍ଠତା ପ୍ରମ‌ାଣ ଦେବାକୁ ବିଜେପିର ଦାବି

ମୁଁ ପ୍ରସ୍ତୁତ: କମଳନାଥ

ଭୋପାଳ : ମଧ୍ୟପ୍ରଦେଶରେ କମଳ ନାଥଙ୍କ ନେତୃତ୍ବାଧୀନ କଂଗ୍ରେସ ସରକାରକୁ ଆଜି ଏକ ଝଟ୍‌କା ଲାଗିଛି। କମଳନାଥ ସରକାରଙ୍କ ନିକଟରେ ସଂଖ୍ୟାଗରିଷ୍ଠତା ନାହିଁ ବୋଲି ବିଜେପି ପକ୍ଷରୁ ଦାବି ହୋଇଛି। ତେଣୁ କମଳନାଥ ସରକାର ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ବିଜେପି ଦାବି କରିଛି ଏବଂ ଏଥିପାଇଁ ରାଜ୍ୟ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ପାଇଁ ବିଜେପି ଆଜି ମଧ୍ୟପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ ପଟେଲଙ୍କ ନିକଟକୁ ଏକ ପତ୍ର ଲେଖିଛି। ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ କହିଛନ୍ତି , ଖୁବ୍‌ ଶୀଘ୍ର ସ୍ବତନ୍ତ୍ର ଅଧିବେଶନ ଡାକିବାପାଇଁ ସେ ରାଜ୍ୟପାଳଙ୍କୁ ଏକ ପତ୍ର ଲେଖିଛନ୍ତି। ସରକାରଙ୍କ ଶକ୍ତି ପରୀକ୍ଷା ସହ କୃଷି ଋଣଛାଡ଼ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକରେ ବିଜେପି ଆଲୋଚନା କରିବାକୁ ଚାହୁଛି ବୋଲି ଭାର୍ଗବ କହିଛନ୍ତି। ତେବେ କଂଗ୍ରେସ ଗୃହରେ ବିଭିନ୍ନ ବିଷୟରେ ଆଲୋଚନା କରିବା ପରିବର୍ତ୍ତେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ବାସଭବନକୁ କାଗଜ ଫୋଫାଡ଼ି ଦାବି କରୁଛି ଯେ ଏହା ମଧ୍ୟପ୍ରଦେଶରେ ୨୧ ଲକ୍ଷ ଟଙ୍କାର କୃଷିଋଣ ଛାଡ଼ କରିଛି। କିନ୍ତୁ ଏ ସଂକ୍ରାନ୍ତରେ ସ୍ବତନ୍ତ୍ର ଅଧିବେଶନରେ ଆଲୋଚନା ହେବାପରେ ହିଁ ଜଣାପଡ଼ିବ ରାଜ୍ୟରେ କଂଗ୍ରେସ ସରକାର ପ୍ରତି କେତେ ସମର୍ଥନ ଅଛି।

ଅନ୍ୟପ‌କ୍ଷେ ମଧ୍ୟପ୍ରଦେଶରେ ଏବେ କଂଗ୍ରେସ ନେତୃତ୍ବାଧୀନ ସରକାରର ସ୍ଥିତି ନେଇ ଦ୍ବନ୍ଦ୍ବ ଉପୁଜିଛି ବୋଲି ସେ କହିଛନ୍ତି। ନିକଟରେ ବସପା ସୁପ୍ରିମୋ ମାୟାବତୀ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାକୁ ଧମକ ଦେବାପରେ ଏହାକୁ ନେଇ ଉକ୍ତ ଦ୍ବନ୍ଦ୍ବ ଉପୁଜିଛି। କିନ୍ତୁ କଂଗ୍ରେସ ଦାବି କରିଛି ଯେ ବିଜେପି କମଳନାଥ ସରକାରକୁ ଭାଙ୍ଗିବା ପାଇଁ ପ୍ରୟାସ କରୁଛି। ମଧ୍ୟପ୍ରଦେଶରେ କଂଗ୍ରେସ ସାଧାରଣ ସମ୍ପାଦକ ଦୀପକ ବବରିୟା କହିଛନ୍ତି, ଲୋକେ ଗତ ବିଧାନସଭା ନିର୍ବାଚନରେ ବିଜେପିକୁ ପ୍ରତ୍ୟାଖ୍ୟାନ କରିବାପରେ ବିଜେପି ଏବେ ମଧ୍ୟପ୍ରଦେଶ ସରକାର ଭାଙ୍ଗିବା ପାଇଁ ଦୁର୍ନୀତିମୂଳକ ପଦକ୍ଷେପ ଗ୍ରହଣ କରୁଛି।

ମୁଁ ପ୍ରସ୍ତୁତ: କମଳନାଥ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ କହିଛନ୍ତି ‌ଯେ ବିଜେପିର ଦାବି ଅନୁଯାୟୀ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାପାଇଁ ତାଙ୍କ ସରକାର ପ୍ରସ୍ତୁତ ଅଛି। ଗତ ୫ ମାସ ମଧ୍ୟରେ ମଧ୍ୟ କଂଗ୍ରେସ ସରକାର ୪ ଥର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଛି ବୋଲି କମଳନାଥ କହିଛନ୍ତି। ତେବେ ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତାକୁ ଆସିବା ପରଠାରୁ ବିଜେପି ସରକାର ଭାଙ୍ଗିବାକୁ ଚେଷ୍ଟା କରୁଛି ଏବଂ ପ୍ରଥମ ଦିନରୁ ହିଁ ବିଜେପି ଏହି ଉଦ୍ୟମ ଜାରି ରଖିଛି ବୋଲି କମଳନାଥ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର