ଖୋର୍ଦ୍ଧା ବିଧାନସଭା ଆସନ : ୧୯/୨୦ ହାରରେ ରହିବେ ଦୁଇ ପ୍ରମୁଖ ବିରୋଧୀ

ଖୋର୍ଦ୍ଧା, (ଲମ୍ବୋଦର ପ୍ରସାଦ ଦାଶ): ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧୯୫୧ ଠାରୁ ୨୦୧୪ ମଧ୍ୟରେ େଗାଟିଏ ଉପନିର୍ବାଚନ ସହ ୧୬ଟି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬ ଥର କଂଗ୍ରେସ ପ୍ରାର୍ଥୀ ଜିତିଥିବା ବେଳେ ୩ଥର ଜନତା ପାର୍ଟି, ୨ଥର ଓଡ଼ିଶା ଜନ କଂଗ୍ରେସ, ୨ଥର ବିଜେଡି ଓ ୨ଥର ସ୍ୱାଧୀନ ଓ ଥରେ ସିପିଆଇ ଜିତିଛି ।

ଗତ ଦୁଇଟି ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ଜୋରଦାର ରହିଥିଲା। ବର୍ତମାନର ରାଜନୈତିକ ସ୍ଥିତି ଅନୁଶୀଳନକଲେ େଦଖାଯାଉଛି େଯ ସ୍ୱାଧୀନ ଓ କଂଗ୍ରେସ ପ୍ରାର୍ଥୀଙ୍କ ଭୂମିକାକୁ ବି ଗୌଣ କରିହେବ ନାହିଁ। ୨୦୦୯ରେ ରାଜେନ୍ଦ୍ର କୁମାର ସାହୁ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ଲଢ଼ି ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା ଅନ୍ୟତମ ସ୍ୱାଧୀନ ପ୍ରାର୍ଥୀ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଠାରୁ ମାତ୍ର ୩୨୩୫ ଖଣ୍ଡ ଭୋଟରେ ଜିତିଥିଲେ। ୨୦୧୪ରେ ରାଜେନ୍ଦ୍ର ସାହୁ ବିଜେଡିର ପ୍ରାର୍ଥୀ ଭାବେ ନିଜର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଜ୍ୟୋତି ମିତ୍ରଙ୍କ ଠାରୁ ୬୫୯୭ ଭୋଟରେ ଜିତିଥିଲେ । ବିଜେପିରୁ କଂଗ୍ରେସରେ ଯୋଗ ଦେଇ ଦିଲିପ ଶ୍ରୀଚନ୍ଦନ ମାତ୍ର ୧୨୨୦୧ ଖଣ୍ଡ ଭୋଟ ପାଇଥିଲେ । ବର୍ତମାନ ଖୋର୍ଦ୍ଧାରେ ବିଧାୟକ ରାଜେନ୍ଦ୍ର ସାହୁଙ୍କର ଦଳୀୟ କର୍ମୀଙ୍କ ଉପରେ ଆଗ ଭଳି ପତିଆରା ଦେଖିବାକୁ ମିଳୁନାହିଁ।

ଖୋର୍ଦ୍ଧା ବିଜେଡିରୁ କୌଣସି ଆଶାୟୀ ସିଧାସଳଖ ଟିକଟ ଲବିରେ ନଥିଲେ ମଧ୍ୟ ବିଧାୟକଙ୍କ ବିରୋଧରେ ଦଳ ମଧ୍ୟରେ ଏକ ଅନ୍ତଃସ୍ରୋତ ରହିଛି। ବର୍ତମାନ ବିଜେଡିର ପୂର୍ବତନ ନଗର ସଭାପତି ଜିତେନ୍ଦ୍ର କୁମାର ପ୍ରଧାନ ଦଳ ମଧ୍ୟରୁ ରାଜେନ୍ଦ୍ର ସାହୁଙ୍କ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଭାବେ ମୈଦାନରେ ଉଭା ହୋଇଛନ୍ତି ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି    ରାଜେନ୍ଦ୍ର କୁମାର ସାହୁ    ୭୨,୨୯୯
ବିଜେପି    ଜ୍ୟୋତିରିନ୍ଦ୍ର ନାଥ ମିତ୍ର   ୬୫,୭୦୨
କଂଗ୍ରେସ   ଦିଲ୍ଲୀପ ଶ୍ରୀଚନ୍ଦ୍ରନ        ୧୨,୨୦୧

କଂଗ୍ରେସର ସ୍ୱାଗତିକା ପଟ୍ଟନାୟକ, ଯୋଗୀ ବାହୁବଳେନ୍ଦ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାମ ମହାପାତ୍ର, ସଂଜୟ ପଟ୍ଟନାୟକ ଆଶାୟୀ ଭାବେ ଉଭା ହୋଇଛନ୍ତି । ତେବେ ସଂଗଠନ ଦୃଷ୍ଟିରୁ କଂଗ୍ରେସ ଆଶାୟୀଙ୍କ ଶକ୍ତି ବିଜେପି ଓ ବିଜେଡିର ଆଶାୟୀଙ୍କ ତୁଳନାରେ ଅପେକ୍ଷାକୃତ ଦୁର୍ବଳ ରହିଛି। ବିଜେପି ପକ୍ଷରୁ ପୁଣି ଜ୍ୟୋତିରିନ୍ଦ୍ର ମିତ୍ର ଟିକଟ ଲବିରେ ଥିବାବେଳେ କାଳୁଚରଣ ଖଣ୍ଡେଇତରାୟ, ରଶ୍ମି ମହାପାତ୍ର, ଲକ୍ଷ୍ମୀକାନ୍ତ ମିଶ୍ର ପ୍ରମୁଖ ମଧ୍ୟ ଆଶାୟୀ ଅଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଖୋର୍ଦ୍ଧାର ପ୍ରାକ୍ତନ ଜିଲ୍ଲାପାଳ ଅପରାଜିତା ଷଡ଼ଙ୍ଗୀଙ୍କ ବିଜେପିରେ ଯୋଗଦାନ ବିଜେପିର ସ୍ଥିତିକୁ ଅନେକାଂଶରେ ଦୃଢ଼ କରିଛି । ତେବେ ତାଙ୍କ ପ୍ରତି ଥିବା ସମର୍ଥନ ଭୋଟରେ କେତେ ପରିମାଣରେ ପରିବର୍ତିତ ହେବ, ତାହା ନିର୍ବାଚନ ପରେ ହିଁ ଜଣାପଡ଼ିବ।

ସମ୍ବନ୍ଧିତ ଖବର