ସମ୍ବଲପୁର/କୁଚିଣ୍ଡା (ଜ୍ଞାନରଂଜନ ମିଶ୍ର/ ଗଗନ ଶର୍ମା): ବିଜେଡି ଜନ୍ମ ପରଠାରୁ କେବେ ବି ଜିତି ପାରି ନଥିବା ଓଡ଼ିଶାର ହାତ ଗଣତି ଆସନ ମଧ୍ୟରେ ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ବିଧାନସଭା ଆସନ ଅନ୍ୟତମ। ଗତ ସାଧାରଣ ନିର୍ବାଚନରେ ସମ୍ବଲପୁର ଜିଲ୍ଲାର ଏକମାତ୍ର ଆସନଭାବେ କୁଚିଣ୍ଡାରେ ହିଁ ଶାସକ ଦଳ ପରାଜୟ ବରଣ କରିଥିଲା। ବିଜେପି ନେତା ରବି ନାରାୟଣ ନାୟକ ତୃତୀୟଥର ପାଇଁ ବିଧାୟକ ହେବା ସହ କଂଗ୍ରେସ୍‌ ହାତରୁ ପୁଣିଥରେ କୁଚିଣ୍ଡାକୁ ଛଡ଼ାଇ ଆଣିଥିଲେ। ତେଣୁ ଏହି ବିଧାନସଭା ଆସନ ଜିତିବା ଶାସକ ବିଜେଡି ପାଇଁ ଏକ ଆହ୍ବାନ ପାଲଟିଛି।

Advertisment

ଏହି ଗୁରୁଦାୟିତ୍ବ ମୁଣ୍ଡାଇଛନ୍ତି ସଦ୍ୟ ବିଜେଡିରେ ଯୋଗ ଦେଇଥିବା ବିଧାୟକ ନବ ଦାସ। ନବଙ୍କୁ ଝାରସୁଗୁଡ଼ା ବ୍ୟତୀତ ଯେଉଁ କିଛି ନିକଟବର୍ତ୍ତୀ ଆସନରେ ଦଳର ବିଜୟ ସୁନିଶ୍ଚିତ କରିବା ଦାୟିତ୍ବ ଦିଆଯାଇଛି ତନ୍ମଧ୍ୟରେ କୁଚିଣ୍ଡା ଅନ୍ୟତମ। ତେଣୁ ସେ ପର୍ଯ୍ୟବେକ୍ଷକ ରବି ପାଣିଙ୍କ ସହ କୁଚିଣ୍ଡାର ବିଭିନ୍ନ ଅଞ୍ଚଳ ବୁଲାବୁଲି କରି ଦଳର ସଂଗଠନ ସଜାଡିବା ପ୍ରୟାସ ଜାରି ରଖିଛନ୍ତି। ତାଙ୍କ ନେତୃତ୍ବରେ ବହୁ କଂଗ୍ରେସ୍‌ କର୍ମୀ ବିଜେଡିରେ ସାମିଲ ହେଲେଣି। ବିଜେଡି ଟିକଟ୍ ପାଇଁ ଅନେକ ଆଶାୟୀ ପ୍ରାର୍ଥୀ ଥିଲାବେଳେ ସମସ୍ତଙ୍କୁ ଏକଜୁଟ କରି କେମିତି ଦଳର ନାଆ କୂଳରେ ଲଗାଇବେ ତାହା ନବଙ୍କ ପାଇଁ ବଡ଼ ଚାଲେଞ୍ଜ। ନବ ଇତି ମଧ୍ୟରେ କୁଚିଣ୍ଡାରେ ନିଜର କାର୍ଯ୍ୟାଳୟ ବି ଖୋଲି ସାରିଛନ୍ତି।

publive-image

ଅପରପକ୍ଷରେ ତିନିଥରର ବିଧାୟକ ତଥା ଜଣାଶୁଣା ଆଦିବାସୀ ନେତା ରବି ନାୟକ ନିଜ ଦଳର ଅପ୍ରତିଦ୍ବନ୍ଦ୍ବୀ ପ୍ରାର୍ଥୀ। ଅନ୍ୟ ଦୁଇ ଦଳ ତୁଳନାରେ ପଛରେ ପଡ଼ିଥିବା କଂଗ୍ରେସ୍‌ ଦଳରେ ଏକାଧିକ ଆଶାୟୀ ଥିଲେ ବି ଯଦି ଦଳ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କୁ ପ୍ରାର୍ଥୀ କରିବ ତାହେଲେ ବିଜେପି, ବିଜେଡିକୁ କଡ଼ା ଟକ୍କର ଦେଇ ପାରିବ ବୋଲି ଆ‌ଲୋଚନା ହେଉଛି। ହେଲେ ଶ୍ରୀ ବିଶ୍ବାଳ କୁଚିଣ୍ଡା କଂଗ୍ରେସ ଟିକଟ ପାଇଁ ନିଜେ ଆବେଦନ କରିବା ବଦଳରେ ତାଙ୍କ ଝିଅ ଆବେଦନ କରିଛନ୍ତି। ତେବେ ଦଳ ନିଜ ଆଡ଼ୁ ତାଙ୍କୁ କୌଣସି ଆସନରୁ ପ୍ରାର୍ଥୀ କଲେ ସେ ତାକୁ ଗ୍ରହଣ କରିପାରନ୍ତି ବୋଲି ସୂଚନା ଦେଇଛନ୍ତି।

୨୦୦୯କୁ ବାଦ ଦେଲେ ଗତ ୪ଟି ନିର୍ବାଚନ ମଧ୍ୟରୁ ୩ଥର ବିଜେପିର ରବି ନାୟକ କୁଚଣ୍ଡା ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୦୯ରେ କଂଗ୍ରେସ୍‌ର ରାଜେନ୍ଦ୍ର ଛତ୍ରିଆ ବାଜି ମାରିଥିଲେ। ତେଣୁ ଏଥର ମଧ୍ୟ ସ୍ବାଭାବିକଭାବେ ଶ୍ରୀ ନାୟକ ପଦ୍ମ ଦଳ ଟିକଟର ମୁଖ୍ୟ ଦାବିଦାର ଅଛନ୍ତି।

ବିଜେଡି ଟିକଟ୍‌ ପାଇଁ ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ, ଗତ ନିର୍ବାଚନର ପରାଜିତ ପ୍ରାର୍ଥୀ ଭୁବନେଶ୍ୱର କିସାନ, କୁଚିଣ୍ଡା ଲେମ୍ପସ ସଭାପତି ମନୋରଞ୍ଜନ ଭୋଇ, ବାମରା ବ୍ଳକ ଅଧ୍ୟକ୍ଷ ସଦାନନ୍ଦ କୁଜୁର, ଅବସରପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ଜୟପାଲ ନାୟକ, ଧର୍ମରାଜ ମରେଇ, କରୁଣାକର କିସାନ ପ୍ରମୁଖ ଆଶାୟୀ ଅଛନ୍ତି।

publive-image

କଂଗ୍ରେସ ଦଳରୁ ପୂର୍ବତନ ବିଧାୟକ ରାଜେନ୍ଦ୍ର ଛତ୍ରିଆ, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶୋଭାରାମ ପଧାନ, ଶରତ ଗୌନ୍ତିଆ, ଜୟନ୍ତ ପଧାନ, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଖତୁନାଥ ପିଙ୍ଗ, ବରିଷ୍ଠ ନେତା ହେମାନନ୍ଦ ବିଶ୍ବାଳଙ୍କ ଝିଅ ଅମିତା ବିଶ୍ବାଳ ପ୍ରମୁଖ ଆଶାୟୀ ଅଛନ୍ତି। ପୂର୍ବତନ ବ୍ଳକ ଅଧ୍ୟକ୍ଷ କିଶୋର ନାୟକ ନିଜ ସମର୍ଥକଙ୍କ ସହ ମିଶି ଯେକୌଣସି ଗୋଟିଏ ପ୍ରମୁଖ ଦଳରୁ ଟିକଟ୍‌ ଯୋଗାଡ଼ ପାଇଁ ଲାଗି ପଡ଼ିଛନ୍ତି।

୨୦୧୪ ନିର୍ବାଚନ ଫଳାଫଳ

ବିଜେପି     ରବି ନାରାୟଣ ନାଏକ     ୬୮, ୪୦୯
ବିଜେଡି     ଭୁବନେଶ୍ବର କିସାନ        ୪୬, ୩୪୫
କଂଗ୍ରେସ   ରାଜେନ୍ଦ୍ର ଛତ୍ରିଆ             ୩୨, ୭୭୦
ବିଏସ୍‌ପି   ଦୀପକ ପଧାନ               ୨, ୪୪୫
ନୋଟା     --                             ୨, ୮୮୬

ଜମନକିରା, କୁଚିଣ୍ଡା ଓ ବାମରା ବ୍ଲକ୍‌କୁ ନେଇ ଗଠିତ ଆଦିବାସୀ ଅଧ୍ୟୁଷିତ କୁଚିଣ୍ଡା ନିର୍ବାଚନମଣ୍ଡଳୀରେ ଶିଳ୍ପ, କୃଷି, ଗମନାଗମନ ଆଦି ସବୁ କ୍ଷେତ୍ରରେ ବହୁ ପଛରେ ପଡ଼ିଛି। ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ, ବେକାରି ଆଦି ବହୁ ସମସ୍ୟା ରହିଛି। ଜଳସେଚନ ନହେବା, ଧାନର ଅଭାବୀ ବିକ୍ରି, ଶୀତଳ ଭଣ୍ଡାରର ଅଭାବ, ଡାକ୍ତରଖାନା ଗୁଡ଼ିକରେ ଡାକ୍ତର ଓ ବିଦ୍ୟାଳୟରେ ଶିକ୍ଷକ ଅଭାବ ଏଥର ନିର୍ବାଚନରେ ପ୍ରସଂଗ ହୋଇପାରେ। ଏହାଛଡ଼ା କୁଚିଣ୍ଡା ଉପଖଣ୍ଡକୁ ଏକ ଆଦିବାସୀ ଜିଲ୍ଲା ଘୋଷଣା, ବାମରା ଓ ଜମନକିରାକୁ ଏନ୍‌ଏସି, ଫାଶୀମାଳ ତଥା କେଶେଇବାହାଲକୁ ବ୍ଲକ ଘୋଷଣା କରିବାକୁ ମଧ୍ୟ କୁଚିଣ୍ଡାବାସୀ ବହୁ ଦିନରୁ ଦାବି କରି ଆସୁଛନ୍ତି।