ପାଟନା: ଆରଜେଡି ସୁପ୍ରିମୋ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପଙ୍କ ଟାଣ ରହିଲାନି। ନିଜ ପସନ୍ଦର ଆସନ ନମିଳିବାରୁ ସାନ ଭାଇ ତେଜସ୍ବୀ ଯାଦବ ଏବଂ ଆରଜେଡିର ନିଷ୍ପତ୍ତି ଉପରେ କ୍ଷୁବ୍ଧ ହୋଇ ନିକଟରେ ଲାଲୁ-ରାବ୍ରୀ ମୋର୍ଚ୍ଚା ଗଢ଼ିଥିବା ତେଜପ୍ରତାପଙ୍କୁ ଆଜି ଶକ୍ତ ଝଟ୍କା ଲାଗିଛି। ନିଜ ସହଯୋଗୀଙ୍କ ପାଇଁ ଆରଜେଡିରୁ ସେ ଯେଉଁ ଆସନ ମାଗିଥିଲେ ତାହା ତାଙ୍କୁ ମିଳିନି। ଲାଲୁ ପ୍ରସାଦ ଯାଦବ ଜେଲ୍ରେ ଥାଇ ପୁଅକୁ କଡ଼ା ନିଷ୍ପତ୍ତି ଶୁଣାଇ ଦେଇଛନ୍ତି। ଲାଲୁ କହିଛନ୍ତି ତେଜସ୍ବୀ ତେଜପ୍ରତାପଙ୍କଠାରୁ ବଡ଼ ହୁଅନ୍ତୁ କି ସାନ ହୁଅନ୍ତୁ ସେ ହିଁ ତାଙ୍କ ରାଜନୈତିକ ଉତ୍ତରାଧିକାରୀ ରହିବେ ଏବଂ ତାଙ୍କ ଅଧିକାରକୁ ଯିଏ ଉଲ୍ଲଂଘନ କରିବ ତା’କୁ ଉଚିତ୍ ଶିକ୍ଷା ଦିଆଯିବ। ବିହାରର ୪୦ ଲୋକସଭା ଆସନରୁ ସେଓହର ଆସନରେ ଦଳ ପକ୍ଷରୁ ଆଜି ପ୍ରାର୍ଥୀ ଘୋଷଣା ହୋଇଛି। ସୟଦ ଫୈଜଲ୍ ଅଲି ନାମକ ଜଣେ ସାମ୍ବାଦିକଙ୍କୁ ଦଳ ଏହି ଆସନରୁ ପ୍ରାର୍ଥୀ କରିଛି। ତେବେ ଜେହାନାବାଦ୍ ଏବଂ ସେଓହର ଆସନରେ ତେଜପ୍ରତାପ ଯେଉଁ ୨ ଜଣଙ୍କ ନାମ ସୁପାରିସ କରିଥିଲେ ତାହା ଲାଲୁ ବିଚାରକୁ ନେଇନାହାନ୍ତି । ତେଜପ୍ରତାପଙ୍କ କୌଣସି ବି କଥା ରହୁନଥିବାରୁ ସେ ଦଳ ଏବଂ ନିଜ ପରିବାର ସଦସ୍ୟଙ୍କ ପ୍ରତି ବହୁ ଅସନ୍ତୁଷ୍ଟ ଅଛନ୍ତି। ତେବେ ପାରିବାରିକ ସୂତ୍ରରୁ ଜଣାଯାଇଛି ଯେ ତେଜପ୍ରତାପ ତାଙ୍କ ମା’ ରାବ୍ରୀ ଦେବୀଙ୍କ ବଡ଼ ଭାଇ ଶରଦ ଯାଦବଙ୍କ କଥାରେ ଉଠ୍ବସ୍ ହେଉଛନ୍ତି।
ତେଜପ୍ରତାପଙ୍କ ଟାଣ ରହିଲାନି, ଜେଲ୍ରୁ କଠୋର ନିଷ୍ପତ୍ତି ଶୁଣାଇଲେ ଲାଲୁ
/sambad/media/post_attachments/wp-content/uploads/2019/04/lalu-prasad-yadav_ndtv.jpg)