କୋଲକାତା : ପଶ୍ଚିମବଂଗରେ ଏଥର ଟିଏମ୍ସିର ପତନ ଘଟିବ ଏବଂ ମମତା ଦିଦିଙ୍କୁ ୧୦ରୁ ବି କମ୍ ଆସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଝାଡ଼ଗ୍ରାମରେ ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜନସାଧାରଣଙ୍କ ଉପରେ ଏବେ ମମତା ତାଙ୍କ ରାଗ ସୁଝାଉଛନ୍ତି। ଲୋକେ ଜୟ ଶ୍ରୀରାମ କହିଲେ ସେମାନଙ୍କୁ ଜେଲ୍ରେ ଭର୍ତ୍ତି କରାଯାଉଛି । ଜୟ ଶ୍ରୀରାମ କହିବା ଅଭିଯୋଗରେ ୩ ଜଣଙ୍କୁ ପୁଲିସ ଗିରଫ କରିବା ଉଦ୍ବେଗଜନକ ଘଟଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମମତାଙ୍କୁ ଚ୍ୟାଲେଂଜ କରି ମୋଦୀ କହିଛନ୍ତି ଯେ ଜୟ ଶ୍ରୀରାମ ସ୍ଲୋଗାନ ଦେଉଥିବାରୁ ମତେ ବି ଗିରଫ କରି ଦେଖାଅ। ପଶ୍ଚିମବଂଗରେ ହିନ୍ଦୁ ଧର୍ମ ଓ ଦେବଦେବୀଙ୍କ ପ୍ରତି ଅପମାନସୂଚକ ଭାଷା ପ୍ରୟୋଗ କରାଯାଉଛି ଏବଂ ଏଥିପାଇଁ ଲୋକେ କ୍ଷମା ଦେବେନାହିଁ ବୋଲି ମୋଦୀ କହିଛନ୍ତି। ବାତ୍ୟା ଫନି ଯୋଗୁଁ ପଶ୍ଚିମବଂଗରେ ଘଟିଥିବା କ୍ଷୟକ୍ଷତି ପ୍ରସଙ୍ଗ ଉଠାଇ ମୋଦୀ କହିଥିଲେ ଯେ ଏ ବାବଦରେ ଆଲୋଚନା ପାଇଁ ତାଙ୍କ ପଟୁ ବାରମ୍ବାର ଉଦ୍ୟମ ହୋଇଥିଲେ ମଧ୍ୟ ମମତା ଆଲୋଚନା ପାଇଁ ଆଗ୍ରହ ଦେଖାଇ ନଥିଲେ। ସ୍ପିଡ୍ବ୍ରେକ୍ର ଦିଦି ଏବେ ବାତ୍ୟାକୁ ନେଇ ମଧ୍ୟ ରାଜନୀତି କରୁଛନ୍ତି ଏବଂ ତାଙ୍କର ଏଭଳି ଅହଙ୍କାର ଯୋଗୁଁ ରାଜ୍ୟବାସୀ କେବେ ବି କ୍ଷମା ଦେବେନାହିଁ ବୋଲି ମୋଦୀ କହିଛନ୍ତି।
ଏକ୍ସପାଏରି ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ଚାହୁନାହିଁ
ବାତ୍ୟା ଫନିକୁ ନେଇ ଏବେ ପଶ୍ଚିମବଂଗରେ ସରଗରମ ରାଜନୀତି ଚାଲିଛି। ପ୍ରଧାନମନ୍ତ୍ରୀ ମୋଦୀ ବାତ୍ୟା ସଂପର୍କରେ ମମତାଙ୍କ ସହ ଆଲୋଚନା ପାଇଁ ଉଦ୍ୟମ କରିଥିଲେ ମଧ୍ୟ ମମତା ଏଥିରେ ଆଦୌ ସହଯୋଗ କରିନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ଦପ୍ତରରୁ ଆସିଥିବା ଫୋନ୍ କଲ୍କୁ ମମତା ପ୍ରତ୍ୟାଖ୍ୟାନ କରିଥିବାରୁ ଏହାକୁ ନେଇ ମମତାଙ୍କୁ ମୋଦୀ ଘେରିଥିବା ବେଳେ ଆଜି ମମତା ମଧ୍ୟ ଏହାର ଜବାବ ଦେଇଛନ୍ତି। ଏ ବାବଦରେ ମମତା କହିଛନ୍ତି ଯେ ସେ ଖଡ଼ଗ୍ପୁରରେ ଥିଲେ ଏବଂ ଏକ୍ସପାଏରି ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିବାକୁ ଚାହୁନାହାନ୍ତି। ଏବେ ନିର୍ବାଚନ ଚାଲିଥିବାରୁ ଏଭଳି କୌଣସି ପ୍ରକ୍ରିୟାରେ ସେ ପ୍ରଧାନମନ୍ତ୍ରୀଙ୍କ ସହିତ ଗୋଟିଏ ମଂଚରେ ରହିବାକୁ ଚାହୁନାହାନ୍ତି ବୋଲି ସେ କହିଛନ୍ତି। ରାଜ୍ୟରେ ବିଜେପି ମୂଳପୋଛ ହେବ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ କୌଣସି ପ୍ରଚାର ଆଦୌ କାଟୁ କରିବ ନାହିଁ ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/mamata-banerjee.jpg)