ଆଦର୍ଶ ଆଚରଣ ବିଧି-୨୦୧୯ : ପ୍ରାର୍ଥୀ ଓ ରାଜନୈତିକ ଦଳ କେମିତି ପାଳନ କରିବେ

ନିିର୍ବାଚନ ପ୍ରଚାର ସମୟରେ କୌଣସି ସରକାରୀ କାର୍ଯ୍ୟ କରାଯାଇପାରିବ ନାହିଁ।
ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ, ଆର୍ଥିକ ସହାୟତା ଦେବା ଆଚରଣ ବିଧିର ଉଲଂଘନ।
ଧର୍ମ, ଜାତି ଓ ସମ୍ପ୍ରଦାୟ ନାଁରେ ଭୋଟ ମଗାଯାଇ ପାରିବନାହିଁ।
ନିର୍ବାଚନ ସମୟରେ ସାମ୍ପ୍ରଦାୟିକ, ଜାତିଆଣ, ଓ ଭାଷା ଭିତ୍ତିକ ଗୋଷ୍ଠୀ ଭିତରେ ଧର୍ମୀୟ ବିଭେଦ ସୃଷ୍ଟି କରିବା ଭଳି ଭାଷଣ କିମ୍ବା କାର୍ଯ୍ୟକୁ ବାରଣ କରାଯାଇଛି।
କୌଣସି ବି ରାଜନୈତକ ଦଳର ନେତାଙ୍କ ସାଧାରଣ ଜୀବନକୁ ଛାଡ଼ି ବ୍ୟକ୍ତିଗତ, ଘରୋଇ ଓ ସାମାଜିକ ଜୀବନ ପ୍ରଭାବିତ ହେଲା ଭଳି ଆକ୍ଷେପ କିମ୍ବା କୁତ୍ସାରଟନା କରିବା ଉଚିତ ନୁହଁ।
ବିନା ତଥ୍ୟ ପ୍ରମାଣରେ କୌଣସି ବି ନେତାଙ୍କୁ ସମାଲୋଚନା କରିବାକୁ ବାରଣ କରାଯାଇଛି।
ମନ୍ଦିର, ମସଜିଦ, ଚର୍ଚ୍ଚ ଭଳି ଧର୍ମୀୟ ସ୍ଥଳ କିମ୍ବା ପ୍ରାର୍ଥନା ପାଇଁ ଉଦ୍ଦିଷ୍ଟ ଅନ୍ୟ ଧାର୍ମିକ ସ୍ଥାନରେ ପ୍ରଚାର ପତ୍ର, ପୋଷ୍ଟର ଓ ସଙ୍ଗୀତ ପରିବେଷଣ କରିବାକୁ ବାରଣ କରାଯାଇଛି।
ଭୋଟରଙ୍କୁ ପ୍ରଭାବିତ କରିବା ଭଳି କାର୍ଯ୍ୟ ଯେପରିକି, ଲାଞ୍ଚ, ଅନଧିକାର ପ୍ରଭାବ, ଭୋଟରଙ୍କୁ ଭୟଭୀତ କରିବା, ପୁଲିଂ ବୁଥର ୧୦୦ ମିଟର ଭିତରେ ରହି ଭୋଟ୍ ପାଇଁ ପ୍ରାର୍ଥନା କରିବା, ଛଦ୍ମବେଶରେ ମତଦାନକୁ ପ୍ରଭାବିତ କରିବା ଭଳି କାର୍ଯ୍ୟକୁ ବାରଣ କରାଯାଇଛି।
ପ୍ରଚାର କାର୍ଯ୍ୟ ସରିବାଠୁ ମତଦାନର ୪୮ ଘଣ୍ଟା ଭିତରେ ପ୍ରଚାର କରିବା ଏବଂ ନିର୍ବାଚନ ଦିନ ଭୋଟରଙ୍କୁ ପୁଲିଂ ବୁଥକୁ ଆଣିବାକୁ ଗାଡ଼ି ବ୍ୟବସ୍ଥା କରିବା ନିଷିଦ୍ଧ।
କୌଣସି ବି ପରିସ୍ଥିତିରେ ଜଣେ ବ୍ୟକ୍ତିର ଘର ଆଗରେ ବିରୋଧୀ ମତ ପାଇଁ ଧାରଣା ଓ ବିକ୍ଷୋଭ କରିବା ସହ ଭଙ୍ଗାଭଙ୍ଗି କରିବା ଆଚରଣ ବିଧିର ଉଲଂଘନ।
ପ୍ରାର୍ଥୀଙ୍କର ନିର୍ବାଚନ ଖର୍ଚ୍ଚ ପାଇଁ ନଗଦ ଆକାରରେ ବହୁ ପରିମାଣର ଟଙ୍କା ବ୍ୟବହାରକୁ ନିଷିଦ୍ଧ କରାଯାଇଛି। ଏହାସହିତ ନିର୍ବାଚନ ପ୍ରକ୍ରିୟାରେ ସ୍ବଚ୍ଛତା ଓ ପବିତ୍ରତା ପାଇଁ ଦଳୀୟ କର୍ମୀ, ପଦାଧିକାରୀ, ଏଜେଣ୍ଟମାନେ ନଗଦ କାରବାରଠୁ ଦୂରେଇ ରହିବାକୁ ନିର୍ଦ୍ଦେଶ ଦେବାକୁ ରାଜନୈତିକ ଦଳମାନଙ୍କୁ ପରାମର୍ଶ ଦିଆଯାଇଛି।
ଅନ୍ୟ ଦଳର ସଭା ଓ ଶୋଭାଯାତ୍ରା ବେଳେ ଯେପରି ବିଶୃଙ୍ଖଳା ନହୁଏ ସେଥିପ୍ରତି ଧ୍ୟାନ ଦେବା ବାଞ୍ଛନୀୟ।
ଗୋଟିଏ ଦଳର ସଭା ଚାଲୁଥିବା ବେଳେ ସେଇ ବାଟ ଦେଇ ଅନ୍ୟ ଦଳର ଶୋଭାଯାତ୍ରାକୁ ବାରଣ କରାଯାଇଛି।
ଦଳୀୟ ଶୋଭାଯାତ୍ରାବେଳେ ଜଣେ ବି ଶୋଭାଯାତ୍ରାକାରୀ କୌଣସି ଅସ୍ତ୍ରଶସ୍ତ୍ର ଧରି ଯାଇପାରିବେ ନାହିଁ।
ଅନ୍ୟ ଦଳର ଲଗାଯାଇଥିବା ପୋଷ୍ଟରକୁ ହଟାଇବା ବା ବିକୃତ କରିବା ଆଚରଣ ବିଧିର ଉଲଂଘନ।
ନିର୍ବାଚନ ଦିନ ପୁଲିଂ ବୁଥ ପାଖରେ ପୋଷ୍ଟର, ବ୍ୟାନର, ପତାକା, ଦଳୀୟ ଚିହ୍ନ ଓ ଅନ୍ୟ ପ୍ରଚାର ସାମଗ୍ରୀ ପ୍ରଦର୍ଶନକୁ ନିଷିଦ୍ଧ କରାଯାଇଛି।
ରାତି ୧୦ଟାରୁ ସକାଳ ୬ଟା ଭିତରେ ପ୍ରଚାର ଗାଡ଼ିରେ ଲାଉଡ ସ୍ପିକର ରଖିବା ବା ଲଗାଇବା ବାରଣ।
କର୍ତ୍ତୃପକ୍ଷଙ୍କ ଲିଖିତ ଅନୁମତି ବିନା ସାଧାରଣ ସଭା, ଶୋଭାଯାତ୍ରାରେ ଲାଉଡ ସ୍ପିକର ବଜାଇବା ନିଷିଦ୍ଧ। ଏହାସହିତ ଡାକବାଜି ଯନ୍ତ୍ର ବଜାଇବା ପୂର୍ବରୁ ସ୍ଥାନୀୟ ଅଞ୍ଚଳରେ ଲାଗୁ ହୋଇଥିବା ଆଇନ, ସୁରକ୍ଷା ଦୃଷ୍ଟିରୁ ସ୍ଥାନୀୟ ଲୋକଙ୍କ ଦୃଷ୍ଟିଭଙ୍ଗୀ, ପାଣିପାଗ ସ୍ଥିତି, ପାର୍ବଣ ଓ ପରୀକ୍ଷା ଋତୁକୁ ଧ୍ୟାନ ଦେବା ବାଞ୍ଛନୀୟ।
ନିର୍ବାଚନ ସମୟରେ ମଦ ବଣ୍ଟନ ସମ୍ପୂର୍ଣ୍ଣ ନିଷିଦ୍ଧ।

ସମ୍ବନ୍ଧିତ ଖବର