ନୁଆଦିଲ୍ଲୀ : ୨୦୧୯ ଲୋକସଭା ନିର୍ବାଚନ ବଂଶବାଦ ରାଜନୀତିକୁ ଦୋହଲାଇ ଦେଇଛି। ମୋଦୀ ଲହରରେ ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ, ହରିୟାଣାରେ ବଂଶବାଦ ରାଜନୀତି ଉପରେ ପ୍ରଚଣ୍ଡ ପ୍ରହାର ହୋଇଛି। ଉତ୍ତରପ୍ରଦେଶରେ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ଏଥର ନିର୍ବାଚନରେ ଶକ୍ତ ଝଟ୍କା ଲାଗିଛି। ଯାଦବ ପରିବାରର ୪ଟି ଆସନ ଏଥର ଖସିଯାଇଛି। କେବଳ ସପା ସୁପ୍ରିମୋଅଖିଳେଶ ଯାଦବ ଆଜମଗଡ଼ ଆସନରୁ ନିର୍ବାଚନ ଜିତିଥିବାବେଳେ ସପା ପ୍ରତିଷ୍ଠାତା ମୁଲାୟମ ସିଂହ ମୈନପୁରୀ ଲୋକସଭା ଆସନରୁ ନିର୍ବାଚନ ଜିତିଛନ୍ତି। କିନ୍ତୁ ଅଖିଳେଶଙ୍କ ପତ୍ନୀ ଡିମ୍ପଲ କନୌଜ ଲୋକସଭା ଆସନରେ ହାରି ଯାଇଛନ୍ତି। ମୁଲାୟମଙ୍କ ଭାଇ ଶିବପାଲ ଯାଦବ ଏବଂ ପୁତୁରା ଅକ୍ଷୟ ଓ ଧର୍ମେନ୍ଦ୍ର ଯାଦବ ମଧ୍ୟ ସେମାନଙ୍କ ଆସନରୁ ହାରି ଯାଇଛନ୍ତି। ସେହିପରି ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରି ଚରଣ ସିଂହଙ୍କ ପରିବାରକୁ ମଧ୍ୟ ଏଥର ଶକ୍ତ ଝଟ୍କା ଲାଗିଛି। ସ୍ବର୍ଗତ ଚରଣ ସିଂହଙ୍କ ପୁଅ ଅଜିତ ସିଂହ ନିର୍ବାଚନ ହାରିଥିବା ବେଳେ ତାଙ୍କ ପୁଅ ଜୟନ୍ତ ସିଂହ ମଧ୍ୟ ପରାସ୍ତ ହୋଇଛନ୍ତି।
ହରିୟାଣାରେ ମଧ୍ୟ ବଂଶବାଦ ରାଜନୀତିକୁ ଭୋଟର୍ ପ୍ରତ୍ୟାଖ୍ୟାନ କରିଥିବା ଦେଖିବାକୁ ମିଳିଛି। ଭଜନଲାଲ୍ ଏବଂ ହୁଦା ପରିବାରର କୌଣସି ସଦସ୍ୟ ନିର୍ବାଚନ ଜିତି ପାରିନାହାନ୍ତି। ମୋଦୀ ଲହର ହରିୟାଣାରେ ୩ଟି ଆଞ୍ଚଳିକ ରାଜନୈତିକ ଦଳ ଲୋକତନ୍ତ୍ର ସୁରକ୍ଷା ପାର୍ଟି, ଆଇଏନ୍ଏଲଡି (ଭାରତୀୟ ଜାତୀୟ ଲୋକ ଦଳ) ଏବଂ ଜେଜେପି (ଜନନାୟକ ଜନତା ପାର୍ଟି)ର ପ୍ରବଳ କ୍ଷତି ଘଟାଇଛି।ଏହି ୩ ଆଞ୍ଚଳିକ ରାଜନୈତିକ ଦଳର ସତ୍ତା ହଜିଯାଇଛି। ଅନ୍ୟପକ୍ଷେ ହରିୟାଣାରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ମଧ୍ୟ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛନ୍ତି। ଭୁପିନ୍ଦର ହୁଦା ଏବଂ ତାଙ୍କ ପୁଅ ଦୀପେନ୍ଦ୍ର ଯଥାକ୍ରମେ ସୋନିପତ ଏବଂ ରୋହତକରୁ ନିର୍ବାଚନ ହାରିଥିବାବେଳେ ଭଜନ ଲାଲ୍ ବିଷ୍ଣୋଇଙ୍କ ନାତି ଭବ୍ୟ ବିଷ୍ଣୋଇ ହିସାର ଆସନରୁ ହାରିଛନ୍ତି। ଅନ୍ୟପକ୍ଷେ ବଂଶୀ ଲାଲ୍ଙ୍କ ନାତୁଣୀ ଶ୍ରୁତି ଚୌଧୁରୀ ଭିୱାନୀ-ମହେନ୍ଦ୍ରଗଡ଼ରୁ ନିର୍ବାଚନ ହାରିଛନ୍ତି। ଦିନେ ଚୌତାଲା ପରିବାରର ଦବ୍ଦବା ଥିଲା। ତାହା ମଧ୍ୟ ଏଥର ଉଭେଇ ଯାଇଛି। ଦେବୀଲାଲ୍ଙ୍କ ଅଣନାତି ଦୁଶ୍ମନ୍ତ ଚୌତାଲା ହିସାରରେ ବିଜେପିର ବ୍ରିଜେନ୍ଦ୍ର ସିଂହଙ୍କଠାରୁ ପରାଜିତ ହୋଇଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆମେଥୀ ଆସନରେ ହାରିଥିବାବେଳେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ୍ ମଧ୍ୟ ନିର୍ବାଚନ ହାରିଛନ୍ତି। ମଧ୍ୟପ୍ରଦେଶର ଗୁନାରେ ମାଧବ ରାଓ ସିନ୍ଧିଆଙ୍କ ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ ହାରିଛନ୍ତି। ସେପଟେ ଦକ୍ଷିଣରେ କର୍ଣ୍ଣାଟକରେ ବଂଶବାଦ ରାଜନୀତି ମଧ୍ୟ ଫେଲ୍ ମାରିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ତୁମକୁର ଆସନରେ ହାରିଥିବାବେଳେ ତାଙ୍କ ନାତି ନିଖିଳ କୁମାରସ୍ବାମୀ ମାଣ୍ଡ୍ୟା ଆସନରେ ହାରିଛନ୍ତି। ଦକ୍ଷିଣ ମୁମ୍ବାଇରେ ବରିଷ୍ଠ କଂଗ୍ରେସ ନେତା ମୁରଲି ଦେଓରାଙ୍କ ପୁଅ ମିଲିନ୍ଦ ଦେଓରା ହାରି ଯାଇଛନ୍ତି। ଅନ୍ୟପକ୍ଷେ ବଂଶବାଦ ରାଜନୀତି କୁହାନଗଲେ ବି ଅଭିନେତାରୁ ରାଜନେତା ବନିଥିବା ସୁନିଲ ଦତ୍ତଙ୍କ ଝିଅ ପ୍ରିୟା ଦତ୍ତ ମୁମ୍ବାଇରୁ ହାରିଥିବାବେଳେ ବଳରାମ ଜାଖରଙ୍କ ପୁଅ ସୁନିଲ ଜାଖର ଗୁରଦାସପୁରରୁ ନିର୍ବାଚନ ହାରିଛନ୍ତି। ମୋଦୀ ଲହରରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ଆରଜେଡି। ଲାଲୁଙ୍କ ଅନୁପସ୍ଥିତିରେ ଆରଜେଡିର ସତ୍ତା ନାହିଁ। ଲାଲୁଙ୍କ ଝିଅ ମିସା ଭାରତୀ ବିହାରର ପାଟଳିପୁତ୍ରରେ ନିର୍ବାଚନ ହାରି ଯାଇଛନ୍ତି। ଦଳକୁ ଏଥର ଗୋଟିଏ ହେଲେ ଆସନ ମଧ୍ୟ ମିଳିନାହିଁ।