ବାରଣାସୀ: ବାରଣାସୀ ଲୋକସଭା ଆସନରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ଏନ୍ଡିଏର ସମସ୍ତ ପ୍ରମୁଖ ନେତା ଉପସ୍ଥିତ ରହି ଐକ୍ୟ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ଅସନ୍ତୁଷ୍ଟ ଥିବା ଉତ୍ତର ପୂର୍ବାଞ୍ଚଳର ଏନ୍ଡିଏ ନେତାଙ୍କୁ ମଧ୍ୟ ଆଜି ବାରଣାସୀରେ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ଆଜି ସକାଳେ ବିଜେପିର ବୁଥ୍ କାର୍ଯ୍ୟକର୍ତ୍ତାଙ୍କୁ ଉଦ୍ବୋଧନ ଦେବା ପରେ କାଶୀର ରକ୍ଷକ ଭଗବାନ କାଳ ଭୈରବଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ଏହାପରେ ମୋଦୀ ପ୍ରାର୍ଥିପତ୍ର ଦାଖଲ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଏନ୍ଡିଏର ବିଶିଷ୍ଟ ନେତାମାନଙ୍କ ସମାଗମ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା ପ୍ରକାଶ ସିଂହ ବାଦଲଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଏବଂ ଅନ୍ୟ ନେତାମାନଙ୍କୁ ସ୍ବାଗତ କରିଥିଲେ। ଏହି ଅବସରରେ ବିଜେପି ସଭାପତି ଅମିତ ଶାହ, ଜେଡିୟୁ ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ, ଏଲ୍ଜେପି ନେତା ରାମ ବିଳାସ ପାଶ୍ବାସ, ଚିରାଗ ପାଶ୍ବାନ, ଏଆଇଏଡିଏମ୍କେ ନେତା ଓ ପନିର୍ସେଲ୍ଭମ, କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ପିୟୂଷ ଗୋଏଲ, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ, ଡ. ହର୍ଷବର୍ଦ୍ଧନ ସିଂହ, ଅନୁପ୍ରିୟା ପଟେଲ, ସୁଷମା ସ୍ବରାଜ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ୟୁପି ବିଜେପି ଅଧ୍ୟକ୍ଷ ଡ. ମହେନ୍ଦ୍ର ନାଥ ପାଣ୍ଡେଙ୍କ ସମେତ ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ। ପ୍ରାର୍ଥୀପତ୍ର ଦାଖଲ ପାଇଁ ମୋଦୀ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପ୍ରବେଶ କରିବା ମାତ୍ରେ ପ୍ରଥମେ ତାଙ୍କର ୪ ଜଣ ପ୍ରସ୍ତାବକଙ୍କୁ ଭେଟିଥିଲେ। ଏହି ସମୟରେ ମହିଳା ପ୍ରସ୍ତାବକ ଅନ୍ନପୁର୍ଣ୍ଣା ଶୁକ୍ଳାଙ୍କ ପାଦ ଛୁଇଁ ମୋଦୀ ଆଶୀର୍ବାଦ ନେଇଥିଲେ। ପ୍ରଧାନମନ୍ତ୍ରୀ ଠିକ୍ ୧୧ଟା ୪୫ ମିନିଟ୍ରେ ପ୍ରାର୍ଥିପତ୍ରରେ ଦସ୍ତଖତ କରି ତାହାକୁ ଦାଖଲ କରିଥିଲେ। ଏଥିପାଇଁ ମୋଦୀ ଜ୍ୟୋତିଷଙ୍କ ରାୟ ନେଇଥିବା କୁହାଯାଉଛି। ଏଥର ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥୀପତ୍ର ଦାଖଲ ପାଇଁ ୪ ଜଣ ନୂଆ ପ୍ରସ୍ତାବକକୁ ନିଆଯାଇଥିଲା। ସେମାନେ ହେଲେ ସାମାଜିକ କାର୍ଯ୍ୟକର୍ତ୍ତା ସୁଭାଷ ଗୁପ୍ତା, ଏକ ଶିକ୍ଷାନୁଷ୍ଠାନର ପୂର୍ବ ପ୍ରଧାନାଚାର୍ଯ୍ୟ ଅନ୍ନପୂର୍ଣ୍ଣା ଶୁକ୍ଳା, ଡୋମରାଜ ପରିବାରର ଜଗଦୀଶ ଚୌଧୁରୀ ଏବଂ କୃଷି ବୈଜ୍ଞାନିକ ରାମ ଶଙ୍କର ପଟେଲ।
ମୋଦୀଙ୍କ ସମ୍ପତ୍ତି ୨.୫ କୋଟି, ଶିକ୍ଷାଗତ ଯୋଗ୍ୟତା ଏମ୍ଏ
ବାରଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପାଇଁ ବାରଣାସୀ ଲୋକସଭା ଆସନରୁ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସତ୍ୟପାଠରେ ସମ୍ପତ୍ତି ବିବରଣୀ ସହ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ତଥ୍ୟ ଦେଇଛନ୍ତି। ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ନିଜସ୍ବ କୌଣସି ଯାନବାହନ ନାହିଁ ଏବଂ ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ହେଉଛି ୨.୫ କୋଟି। ଏଥିରେ ସାମିଲ ଅଛି ଗାନ୍ଧୀନଗରରେ ଏକ ଆବାସିକ ପ୍ଲଟ୍, ୧.୨୭ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ ଏବଂ ନଗଦ ୩୮ ହଜାର ୭୫୦ ଟଙ୍କା। ପ୍ରଧାନମନ୍ତ୍ରୀଙ୍କ ସ୍ଥାବର ସମ୍ପତ୍ତିର ମୂଲ୍ୟ ହେଉଛି ୧.୧ କୋଟି ଟଙ୍କା ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧.୪୧ କୋଟି ଟଙ୍କା। ୨୦୧୩-୧୪ରେ ମୋଦୀଙ୍କ ଆୟ ଥିଲା ୯୬୯୭୧୧ ଟଙ୍କା ଏବଂ ୨୦୧୭-୧୮ରେ ଆୟ ହେଉଛି ୧୯ ଲକ୍ଷ ୯୨ ହଜାର ୫୩୦ ଟଙ୍କା। ପ୍ରଧାନମନ୍ତ୍ରୀ ଟିକସ ସଂଚୟକାରୀ ଇନ୍ଫ୍ରା ବଣ୍ଡ୍ସରେ ୨୦ ହଜାର ଟଙ୍କା ବିନିଯୋଗ କରିଥିବା ବେଳେ ଜାତୀୟ ସଂଚୟ ପ୍ରମାଣପତ୍ର (ଏନ୍ଏସ୍ସି)ରେ ୭.୬୧ ଲକ୍ଷ ଟଙ୍କା ଏବଂ ଏଲ୍ଆଇସି ପଲିସିରେ ୧.୯ ଲକ୍ଷ ଟଙ୍କା ଲଗାଇଛନ୍ତି। ମୋଦୀଙ୍କ ପାଖରେ ୪ଟି ସୁନା ମୁଦି (୪୫ ଗ୍ରାମ୍) ରହିଛି। ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ ବିଶ୍ବବିଦ୍ୟାଳୟରୁ ୧୯୮୩ରେ ଏମ୍ଏ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ଯଶୋଦାବେନ୍ଙ୍କୁ ତାଙ୍କର ପତ୍ନୀ ଭାବେ ଉଲ୍ଲେଖ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Untitled-12-22.jpg)