ୟୁପି, ପଶ୍ଚିମବଙ୍ଗରେ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ

ନୂଆଦିଲ୍ଲୀ : ଲୋକସଭାକୁ ସବୁଠୁ ଅଧିକ ଆସନ ଦେଉଥିବା ରାଜ୍ୟ ଉତ୍ତରପ୍ରଦେଶ ଏବଂ ଲୋକସଭାକୁ ୪୨ ଆସନ ଦେଇଥିବା ରାଜ୍ୟ ପଶ୍ଚିମବଙ୍ଗ ଏଥର ଲୋକସଭାକୁ ସବୁଠୁ ଅଧିକ ମହିଳା ସାଂସଦ ନିର୍ବାଚିତ କରିଛି। ପ୍ରତି ରାଜ୍ୟରୁ ୧୧ ଜଣ ମହିଳା ସାଂସଦ ନିର୍ବାଚିତ ହୋଇଛି। ସପ୍ତଦଶ ଲୋକସଭାରେ ସବୁଠୁ ଅଧିକ ମହିଳା ସାଂସଦଙ୍କୁ ଦେଖିବାକୁ ମିଳିଛି। ଏଥର ସମୁଦାୟ ୭୮ ଜଣ ମହିଳା ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ୧୧ ମହିଳା ସାଂସଦଙ୍କ ମଧ୍ୟରୁ ଗାନ୍ଧୀ ପରିବାରରୁ ଦୁଇ ବୋହୂ ଅଛନ୍ତି। ଜଣେ ହେଉଛନ୍ତି ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଅନ୍ୟଜଣେ ମେନେକା ଗାନ୍ଧୀ। ଉତ୍ତରପ୍ରଦେଶର ରାଏବ‌ରେଲିରେ ଉପା ଅଧ୍ୟକ୍ଷ‌ା ‌ସୋନିଆ ଗାନ୍ଧୀ ଲଗାତାର ଚତୁର୍ଥ ଥର ପାଇଁ ବିଜୟ ହାସଲ କରିଥିବାବେଳେ ମେନକା ଗାନ୍ଧୀ ସୁଲତାନପୁରରୁ ସାଂସଦ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶରେ ବିଜେପି ପାଇଁ ସବୁଠୁ ବଡ଼ ବିଜୟ ହେଉଛି ଆମେଥୀରେ ସ୍ମୃତି ଇରାନୀଙ୍କ ବିଜୟ। ପଶ୍ଚିମବଙ୍ଗରେ ଟିଏମ୍‌ସିର ୯ ଜଣ ଏବଂ ବିଜେପିର ଦୁଇଜଣ ମହିଳା ପ୍ରାର୍ଥୀ ଲୋକସଭାକୁ ସାଂସଦ ନିର୍ବାଚିତ ହୋଇଛନ୍ତି।

୪୩% ନବନିର୍ବାଚିତ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନ‌ରେ ନିର୍ବାଚିତ ହୋଇଥିବା ନୂଆ ସାଂସଦଙ୍କ ମଧ୍ୟରୁ ୪୩ ପ୍ରତିଶତଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ୨୦୧୪ ଲୋକସଭା ନିର୍ବାଚନ ତୁଳନାରେ ଏହା ୨୬ ପ୍ରତିଶତ ଅଧିକ। ଏଡିଆର ଆକଳନରୁ ଜଣାପଡ଼ିଛି ‌ , ୫୩୯ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୨୩୩ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ଏଥିମଧ୍ୟରେ ବିଜେପିର ୧୧୬ ଜଣ ନବନିର୍ବାଚିତ ସାଂସଦ ଅଛନ୍ତି। ଅନ୍ୟପକ୍ଷେ କଂଗ୍ରେସର ୨୯ ଜଣ ସାଂସଦ ଏବଂ ଜେଡିୟୁର ୧୩, ଡିଏମ୍‌କେର ୧୦ ଏବଂ ଟିଏମ୍‌ସିର ୯ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଏଡିଆର ରିପୋର୍ଟରୁ ଜଣାପଡ଼ିଛି। ତେବେ ୨୦୧୪ରେ ୧୮୫ ଲୋକସଭା ସଦସ୍ୟଙ୍କ ବି‌ରୋଧରେ ଅପରାଧିକ ମାମଲା ଏବଂ ୧୧୨ ଜଣ ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିଲା। ୨୦୦୯ରେ ୫୪୩ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୬୨ ଜଣଙ୍କ ବିରୋଧରେ ଅପରାଧିକ ମାମଲା ଥିଲା ଏବଂ ୧୪ ପ୍ରତିଶତଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଥିଲା। ଅନ୍ୟପକ୍ଷେ ନୂଆ ଲୋକସଭାକୁ ନିର୍ବାଚିତ ହୋଇଥିବା ସାଂସଦ ମାନଙ୍କ ବିରୋଧରେ ହତ୍ୟା, ଦୁଷ୍କର୍ମ, ହତ୍ୟା ଉଦ୍ୟମ ଏବଂ ମହିଳାଙ୍କ ବି‌ରୋଧରେ ଅପରାଧ ପରି ବିଭିନ୍ନ ଅପରାଧିକ ମାମଲା ରହିଛି।

ସମ୍ବନ୍ଧିତ ଖବର