ସା˚ସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ

ଥାନାରେ ମାମଲା; କ୍ରାଇମ୍‌ବ୍ରାଞ୍ଚର ସହାୟତା ନେବ ପୁଲିସ

କଟକ: ଓଲିଉଡ୍‌ ଅଭିନେତା, ରାଜ୍ୟସଭା ସଦସ୍ୟ ତଥା କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କୁ ମିଳିଛି ହତ୍ୟା ଧମକ। ଗତକାଲି ରାତିରେ ତାଙ୍କ ହ୍ବାଟସ୍‌ଆପ୍‌ରେ ଏହି ହତ୍ୟା ଧମକ ଦିଆଯାଇଛି। ନିଜ ନାମ ଗୋପନ ରଖି ଏହି ବ୍ୟକ୍ତି ଜଣକ ନିଜକୁ ନନ୍ଦୀ ସାହି ଅଞ୍ଚଳର ବୋଲି ଉଲ୍ଲେଖ କରିଛି। ଅଜଣା ବ୍ୟକ୍ତି ଜଣକ ୧୦ ଲକ୍ଷ ଟଙ୍କା ବଟି ମାଗିଥିବା ବେଳେ ଟଙ୍କା ନଦେଲେ ମାରିଦେବାକୁ ଧମକ ଦେଇଛି। ଅନୁଭବ ମହାନ୍ତି ଏ ସ˚କ୍ରାନ୍ତରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏତଲା ଆଧାରରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସଂପର୍କରେ ଡିସିପି ଅଖିଳେଶ୍ବର ସି˚ହ କହିଛନ୍ତି ଯେ ଏହି ନମ୍ବର କଟକ ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣା ସଂପର୍କରେ ଅଧିକ ଖୋଳତାଡ ଜାରି ରହିଛି। ଆବଶ୍ୟକ ପଡ଼ିଲେ ଏଥିପାଇଁ କ୍ରାଇମ୍‌ବ୍ରାଞ୍ଚ ସାଇବର‌୍‌ ଥାନାର ସହଯୋଗ ନିଆଯିବ ବୋଲି ଶ୍ରୀ ସି˚ହ କହିଛନ୍ତି।

ପୁରୀଘାଟ ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ ଗତକାଲି ସାଧାରଣ ନିର୍ବାଚନ ସରିବା ପରେ ଅନୁଭବ କେନ୍ଦ୍ରାପଡ଼ାରୁ ଘରକୁ ଫେରୁଥିଲେ। ଏହି ସମୟରେ ରାତି ପ୍ରାୟ ୯ଟା ୧୨ ମିନିଟ୍‌ରେ ତାଙ୍କ ମୋବାଇଲ୍‌ ହ୍ବାଟସଆପ୍‌କୁ ଏକ ମେସେଜ୍‌ ଆସିଥିଲା। ଏଥିରେ ଲେଖାଥିଲା ‘୧୦ ଲକ୍ଷ ଦେବାକୁ ପଡ଼ିବ। ନଦେଲେ ତତେ ଆମେ ମାରି ଦେବୁ।’ ପୁଣି ଆଉ ଏକ ମେସେଜ୍‌ ରାତି ୯ଟା ୧୭ରେ ଆସିଥିଲା। ଏଥିରେ ଲେଖାଥିଲା, ‘କଣ କହୁଛୁ…’। ଏହି ମେସେଜ୍‌ ଆଧାରରେ ଅନୁଭବ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି। ପୁଲିସ ଆଜି ଦଫା ୩୮୬(ବଟି ମାଗିବା)ରେ ଏକ ମାମଲା(କେସ୍‌ ନ˚ ୯୧) ରୁଜୁ କରାଯାଇଛି। ପୁରୀଘାଟ ଥାନାର ଜଣେ ଏସ୍‌ଆଇଙ୍କୁ ଘଟଣାର ତଦନ୍ତକାରୀ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି। ପୁରୀଘାଟ ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ କହିଛନ୍ତି ଯେ ମେସେଜ୍‌ ଆସିଥିବା ହ୍ବାଟସ୍‌ଆପ୍‌ ନମ୍ବରଟି ଗତ ୧୫ ଦିନ ହେବ ସୁଇଚ୍‌ ଅଫ ରହିଛି। କମିସନରେଟ୍‌ ପୁଲିସ ପକ୍ଷରୁ ମୋବାଇଲ ନମ୍ବରର ସିଡିଆର‌୍‌ (କଲ୍‌ ଡିଟେଲ୍‌ ରେକର୍ଡ) ମଗାଯାଇଛି। ଉକ୍ତ ନମ୍ବରରୁ ଅନ୍ୟ କେଉଁ ନମ୍ବର ସହ ଯୋଗାଯୋଗ ହୋଇଛି, ସେ ତଥ୍ୟ ଜଣା ପଡିଲେ, ସଂପୃକ୍ତ ବ୍ୟକ୍ତିକୁ ଠାବ କରିବା ସହଜ ହେବ। ନିର୍ବାଚନ ସମୟରେ ଶାସକ ଦଳର ଜଣେ ସାଂସଦଙ୍କୁ ଏଭଳି ଧମକ ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କିନ୍ତୁ ସଂପୃକ୍ତ ବ୍ୟକ୍ତି କେଉଁ କାରଣରୁ ଅନୁଭବଙ୍କୁ ଏଭଳି ହତ୍ୟା ଧମକ ଦେଇଛନ୍ତି ଅଥବା ବଟି ମାଗିଛନ୍ତି, ସେ ସଂପର୍କରେ ଅନୁଭବଙ୍କ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର