ବିଜେପିକୁ ନବୀନଙ୍କ କଟାକ୍ଷ: ପ୍ରାକୃତିକ ବିପର୍ଯ୍ୟୟରେ ଦେଖା ନଥିଲ, ଏବେ ହାୱା କରୁଛ?

ଜଗତସିଂହପୁର/ତିର୍ତ୍ତୋଲ: ‘ପ୍ରାକୃତିକ ବିପର୍ଯ୍ୟୟରେ ଯେତେବେଳେ ରାଜ୍ୟବାସୀ ଛଟପଟ ହେଉଥିଲେ, ସେତେବେଳେ ତୁମେ କେଉଁଠି ଥିଲ? ବର୍ତ୍ତମାନ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇ ସେମାନଙ୍କ ଭୋଟ୍ ନେବା ପାଇଁ ଚକ୍ରାନ୍ତ ଚଳାଇଛ। ଏହା କଦାପି ସମ୍ଭବ ହେବ ନାହିଁ। ସାଧାରଣ ଭୋଟର ଏହାର ଜବାବ ଦେବେ’ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନ‌ାୟକ ବିଜେପି ନେତାମାନଙ୍କୁ କଟାକ୍ଷ କରି କହିଛନ୍ତି। ଆଜି ତିର୍ତ୍ତୋଲ ନିର୍ବାଚନମଣ୍ତଳୀରେ ଆୟୋଜିତ ନିର୍ବାଚନୀ ସମାବେଶରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିର କେନ୍ଦ୍ରୀୟ ନେତାମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ଆଜି ସମାବେଶରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ବିଜେପି ରାଜ୍ୟବାସୀଙ୍କ ସୁବିଧା ପାଇବାରେ ପ୍ରତିବନ୍ଧକ ସାଜିଛି। ଆହୁରି ୪୦ ଲକ୍ଷ ଚାଷୀ କାଳିଆ ଯୋଜନାରେ ସହାୟତା ରାଶି ପାଇବାରୁ ବଞ୍ଚିତ ହୋଇଛି। କେନ୍ଦ୍ର ସରକାରର ଚକ୍ରାନ୍ତ ଯୋଗୁଁ ଏହା ଘଟିଥିବା ବେଳେ ଯୋଜନାକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ବିଜେପି ଲାଗି ପଡ଼ିଛି। ମାତ୍ର, ମୁଁ ବଞ୍ଚିଥିବା ଯାଏଁ ଏମିତି ହେବାକୁ ଦେବିନି। ରାଜ୍ୟରେ ବିଜେଡି ସରକାର ଆସିବାର ପ୍ରଥମ ଦିନରେ ହିଁ କାଳିଆ ଯୋଜନାରୁ ବଞ୍ଚିତ ଚାଷୀମାନଙ୍କ ଆକାଉଣ୍ଟ୍‌କୁ ତୁରନ୍ତ ଦୁଇଟି କିସ୍ତିର ୧୦ ହଜାର ଟଙ୍କା ପଇଠ କରାଯିବ’ ବୋଲି ସେ କହିଥିଲେ। ଏପରି ଚକ୍ରାନ୍ତ କରୁଥିବା ବିଜେପି ପ୍ରାର୍ଥୀଙ୍କୁ ନିର୍ବାଚନରେ ମୁହଁତୋଡ଼ ଜବାବ ଦେବା ପାଇଁ ଶ୍ରୀ ପଟ୍ଟନାୟକ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ। ଏହାସହ ତିର୍ତ୍ତୋଲ ନିର୍ବାଚନମଣ୍ତଳୀରେ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବିଷ୍ଣୁଚରଣ ଦାସ ଓ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକଙ୍କୁ ବିପୁଳ ପରିମାଣରେ ଭୋଟ୍ ଦେଇ ବିଜୟୀ କରାଇବା ପାଇଁ ସେ ନିବେଦନ କରିଥିଲେ। ମ‌ଞ୍ଚରେ ଉପସ୍ଥିତ ଥିବା ଦୁଇ ପ୍ରାର୍ଥୀ ବିଷ୍ଣୁ ଓ ରାଜଶ୍ରୀ ମଧ୍ୟ ନିଜ ସପକ୍ଷରେ ଭୋଟ୍ ମାଗିବା ସହ ବିରୋଧୀ ଦଳର ପ୍ରାର୍ଥୀମାନଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ଡାକ୍ତର କୁଳମଣି ସାମଲ, ବିଜେଡି ନେତା ଦେବାଶିଷ ସାମନ୍ତରାୟ, ଭୂପିନ୍ଦର ସିଂ, ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସ, ଅଭିନେତା ଅରିନ୍ଦମ ରାୟ, ବ୍ଲକ୍ ବିଜେଡି ସଭାପତି ବସନ୍ତ ମହାପାତ୍ର, ପ୍ରଦୀପ୍ତ ଭୂୟାଁ, ସନ୍ତୋଷ କୁମାର ପଟ୍ଟନାୟକ, ଡେଜାଲିନ୍‌ ମହାପାତ୍ର, ପ୍ରିୟଦର୍ଶିନୀ ବିଶ୍ବାଳ, ସୁଜାତା ମହାନ୍ତି, ସ୍ବପ୍ନସରିତା ବଳ, ରଜତ ପାତ୍ର, ତପନ କୁମାର ମହାନ୍ତି, ରଶ୍ମୀରଂଜନ ଚୌଧୁରୀଙ୍କ ସମେତ ବହୁ ବିଜେଡି ନେତା ଉପସ୍ଥିତ ଥିଲେ। ପ୍ରବଳ ତାତି ସତ୍ତ୍ବେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ଓ ଶୁଣିବା ପାଇଁ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ କାର୍ଯ୍ୟକ୍ରମସ୍ଥଳରେ ଭିଡ଼ ଜମାଇଥିଲେ। ଏପରିକି, ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟ ଘଣ୍ଟା ଘଣ୍ଟା ଧରି ମୁଖ୍ୟମନ୍ତ୍ରୀଙ୍କ ଆସିବାକୁ ଅପେକ୍ଷା କରି ରହିଥିଲେ। କାର୍ଯ୍ୟକ୍ରମ ଶେଷ ହେବା ପରେ କଟକ-ପାରାଦୀପ ରାସ୍ତା ଦୀର୍ଘ ସମୟ ଧରି ସମ୍ପୂର୍ଣ୍ଣ ଜାମ୍ ରହିଥିଲା। ପୁଲିସ କର୍ମଚାରୀଙ୍କ ଦୀର୍ଘ ସମୟର ପରିଶ୍ରମ ପପରେ ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର