ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଲଗାତାର ବିବାଦୀୟ ବୟାନ ନେଇ ଚର୍ଚ୍ଚାରେ ରହିଛନ୍ତି କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ। ନିର୍ବାଚନ କମିସନଙ୍କ ପକ୍ଷରୁ ସିଦ୍ଧୁଙ୍କୁ ଘନ ଘନ ନୋଟିସ୍ ଏବଂ ଚେତାବନୀ ସତ୍ତ୍ବେ ସେ କିଛି ବି ଖାତିର୍ କରୁନାହାନ୍ତି। ଆଜି ମଧ୍ୟ ସିଦ୍ଧୁ ଏକ ନିର୍ବାଚରୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜଣେ ନବବଧୂଙ୍କ ସହ ତୁଳନା କରି ବିବାଦୀୟ ହୋଇପଡ଼ିଛନ୍ତି। ସିଦ୍ଧୁ କହିଛନ୍ତି ମୋଦୀଙ୍କ ପରି ନବବଧୂ କେବଳ କାମ କରିବାର ଛଳନା କରନ୍ତି। ସେମାନେ କମ୍ ରୁଟି କରନ୍ତି କିନ୍ତୁ ଅଧିକ ଚୁଡ଼ି ଶବ୍ଦ କରିଥାନ୍ତି ଯାହାଦ୍ବାରା ପଡ଼ୋଶୀମାନେ ଜାଣନ୍ତି ଯେ ସେ କାମ କରୁଛନ୍ତି। ଟାଇମ୍ ମାଗାଜିନ୍ ଏହାର କଭର୍ ପୃଷ୍ଠାରେ ମୋଦୀଙ୍କୁ ଭାରତର ମୁଖ୍ୟ ବିଭାଜନକାରୀ ଲେଖିଥିବା ବେଳେ ସିଦ୍ଧୁ ଏହାକୁ ଆଧାର କରି ମୋଦୀଙ୍କୁ ମୁଖ୍ୟ ମିଛୁଆ ଏବଂ ମୁଖ୍ୟ ବିଭାଜନକାରୀ ବୋଲି କହିଛନ୍ତି। ସେହିପରି ବିଜେପି ବିରୋଧରେ ସିଦ୍ଧୁ ଅତି କଟୁ ମନ୍ତବ୍ୟ ରଖିଛନ୍ତି। ବିଜେପିକୁ ‘କାଲେ ଅଙ୍ଗ୍ରେଜ୍’ (କଳା ଇଂରେଜ) ସହ ତୁଳନା କରି ସିଦ୍ଧୁ ଇନ୍ଦୋର ବାସିନ୍ଦାମାନଙ୍କୁ ଅନୁରୋଧ କରି କହିଛନ୍ତି ଯେ ‘କାଲେ ଅଙ୍ଗ୍ରେଜ୍’ଙ୍କୁ ଶାସନରୁ ହଟାଯାଉ। ଇନ୍ଦୋରରେ କଂଗ୍ରେସ ପାଇଁ ପ୍ରଚାର କରି ସିଦ୍ଧୁ କହିଛନ୍ତି କଂଗ୍ରେସ ହେଉଛି ମୌଲାନା ଆଜାଦ୍ ଏବଂ ମହାତ୍ମା ଗାନ୍ଧୀଙ୍କ ଦଳ। ସେମାନେ ଆମକୁ ଗୋରା ସରକାରଙ୍କଠାରୁ ସ୍ବାଧୀନତା ଦେଇଥିଲେ। ତେଣୁ ଇନ୍ଦୋର ଲୋକେ ଏହି ଦେଶକୁ କଳା ବ୍ରିଟିଶଙ୍କ କବଳରୁ ମୁକ୍ତ କରିବା ଜରୁରୀ ବୋଲି ସିଦ୍ଧୁ କହିଛନ୍ତି। ଅନ୍ୟପକ୍ଷେ ମୋଦୀଙ୍କ ବିରୋଧରେ ସିଦ୍ଧୁ ଦେଇଥିବା ଦେଶଦ୍ରୋହୀ ବୟାନ ପାଇଁ ତାଙ୍କୁ ନିର୍ବାଚନ କମିସନ୍ ଆଜି ନୋଟିସ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଦେଶଦ୍ରୋହୀ ପରି ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ନିର୍ବାଚନ କମିସନ୍ ତାଙ୍କୁ ନୋଟିସ୍ କରିଛନ୍ତି।
ସିଦ୍ଧୁଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ ଆଜି ବିଜେପି ତାଙ୍କୁ କଡ଼ା ସମାଲୋଚନା କରିଛି। ସିଦ୍ଧୁ କେବଳ ଅଶାଳୀନ ଏବଂ ମୂଲ୍ୟହୀନ ବୟାନ ଦେବାରେ ବ୍ୟସ୍ତ ରହୁଛନ୍ତି ଏବଂ ସେ ଏହାର ଏକ ପ୍ରତୀକ ପାଲଟିଛନ୍ତି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି। ତେବେ ସାମ୍ ପିଟ୍ରୋଡ଼ାଙ୍କ ‘ହୁଆ ତୋ ହୁଆ’ ଟିପ୍ପଣୀରେ ସେ କାହିଁକି ନିରବ ରହିଛନ୍ତି ବୋଲି ତାଙ୍କୁ ବିଜେପି ପ୍ରଶ୍ନ କରିଛି। ଜାତୀୟ ମହିଳା କମିସନ ଅଧ୍ୟକ୍ଷ ରେଖା ଶର୍ମା ସିଦ୍ଧୁଙ୍କ ମନ୍ତବ୍ୟକୁ ଅଶାଳୀନ କହି ଅସନ୍ତୋଷ ପ୍ରକାଶ କରିଛନ୍ତି। ରେଖା ଶର୍ମା ଟ୍ବିଟ୍ କରି କହିଛନ୍ତି ଯେ ସିଦ୍ଧୁଙ୍କ ଏଭଳି କଥାବାର୍ତ୍ତାରୁ ମହିଳାମାନଙ୍କ ପ୍ରତି ଥିବା ତାଙ୍କା ଖରାପ୍ ଚିନ୍ତାଧାରାର ପରିପ୍ରକାଶ ହୋଇଯାଉଛି।