ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାରଣାସୀ ଆସନରେ ପ୍ରାର୍ଥିପତ୍ର ରଦ୍ଦ ହେବା ମାମଲାରେ ଇସିଙ୍କ ନିଷ୍ପତ୍ତିକୁ ଚ୍ୟାଲେଂଜ କରି ବହିଷ୍କୃତ ବିଏସଏଫ୍ ଯବାନ ତେଜ ବାହାଦୁର ଯାଦବ ଆଜି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶ ଅନୁଯାୟୀ ତେଜ ବାହାଦୁର ଯାଦବ ବିଏସଏଫ୍ରୁ ପ୍ରମାଣପତ୍ର ଆଣିବାରେ ବିଫଳ ହେବାରୁ ନିର୍ବାଚନ ଅଧିକାରୀ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିଦେଇଥିଲେ। କିନ୍ତୁ ତେଜ ବାହାଦୁର ନିର୍ବାଚନ ଅଧିକାରୀଙ୍କ ଏହି ନିର୍ଦ୍ଦେଶକୁ ରଦ୍ଦ କରିବାପାଇଁ ପ୍ରୟାସ ଜାରି ରଖିଛନ୍ତି। ତାଙ୍କୁ ନିର୍ବାଚନ ଲଢ଼ିବାପାଇଁ ସୁଯୋଗ ଦେବାକୁ ସେ ଆଜି ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ତେଜ ବାହାଦୁର ବାରଣାସୀ ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଜଣେ ସପା ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ତେବେ ପୂର୍ବରୁ ମଧ୍ୟ ସେ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। କିନ୍ତୁ ଦୁଇଟି ଯାକ ପ୍ରାର୍ଥିପତ୍ରରେ ବିସଙ୍ଗତି ଥିବା ଦେଖି ନିର୍ବାଚନ କମିସନ୍ ତାଙ୍କୁ ବିଏସଏଫ୍ରୁ ଏନ୍ଓସି ଆଣିବାକୁ କହିଥିଲେ। ତେବେ ତେଜବାହାଦୁର ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବିଏସଏଫ୍ରୁ ଏନ୍ଓସି ଆଣିବାରେ ବିଫଳ ହେବାରୁ ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରାଯାଇଛି। କିନ୍ତୁ ତେଜ ବାହାଦୁର ଦାବି କରିଛନ୍ତି ଯେ ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା ଦେଖିବାପରେ ସରକାର ଜାଣିଶୁଣି ତାଙ୍କ ପ୍ରାର୍ଥିପତ୍ର ରଦ୍ଦ କରିବା ପାଇଁ ଷଡ଼ଯନ୍ତ୍ର ହୋଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି।
ପ୍ରାର୍ଥିପତ୍ର ରଦ୍ଦ ମାମଲା: ବହିଷ୍କୃତ ଯବାନ ସୁପ୍ରିମ୍ କୋର୍ଟଙ୍କ ଦ୍ବାରସ୍ଥ
/sambad/media/post_attachments/wp-content/uploads/2019/05/30tej.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)