ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି: ୫ ଲୋକସଭା, ୩୫ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

୧୩ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ୪ଟା ଭୋଟ ଗ୍ରହଣ

ଭୁବନେଶ୍ବର: ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ୫ଟି ଲୋକସଭା ସମେତ ୩୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଏପ୍ରିଲ ୧୮ ତାରିଖରେ ଭୋଟ ଗ୍ରହଣ ହେବ। ମାର୍ଚ୍ଚ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ଏହି ପର୍ଯ୍ୟାୟରେ ୧୩ଟି ସମ୍ବେଦନଶୀଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରିବାକୁ ଭାରତ ନିର୍ବାଚନ କମିସନ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ, ଏପ୍ରିଲ ୧୮ ତାରିଖରେ ଓଡ଼ିଶାରେ ହେବାକୁ ଥିବା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ସହିତ ୩୫ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ। ଲୋକସଭା ଆସନଗୁଡ଼ିକ ହେଲା ବରଗଡ଼ (ସାଧାରଣ), ସୁନ୍ଦରଗଡ଼ (ଏସଟି), ବଲାଙ୍ଗୀର (ସାଧାରଣ), କନ୍ଧମାଳ (ସାଧାରଣ) ଓ ଆସ୍କା (ସାଧାରଣ)। ବରଗଡ଼ ଲୋକସଭାମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର (ସାଧାରଣ), ବିଜେପୁର (ସାଧାରଣ), ବରଗଡ଼ (ସାଧାରଣ), ଅତାବିରା (ଏସସି), ଭଟଲି (ସାଧାରଣ), ବ୍ରଜରାଜନଗର (ସାଧାରଣ) ଓ ଝାରସୁଗୁଡ଼ା (ସାଧାରଣ) ବିଧାନସଭା ନିର୍ବାଚନମଣ୍ଡଳୀରେ ନିର୍ବାଚନ ଅନୁଷ୍ଠିତ ହେବ। ସୁନ୍ଦରଗଡ଼ ଲୋକସଭା ଅଧୀନରେ ଥିବା ତଳସରା (ଏସଟି), ସୁନ୍ଦରଗଡ଼ (ଏସଟି), ବୀରମିତ୍ରପୁର (ଏସଟି), ରଘୁନାଥପାଲ୍ଲୀ (ଏସସି), ରାଉରକେଲା (ସାଧାରଣ), ରାଜଗାଙ୍ଗପୁର (ଏସଟି), ବଣାଇ (ଏସଟି) ଆସନ ସହିତ ବଲାଙ୍ଗୀର ଲୋକସଭା ଆସନ ଅନ୍ତର୍ଗତ ବୀରମହାରାଜପୁର (ଏସସି), ସୋନପୁର (ସାଧାରଣ), ଲୋଇସିଂହା (ଏସସି), ପାଟଣାଗଡ଼ (ସାଧାରଣ), ବଲାଙ୍ଗୀର (ସାଧାରଣ), ଟିଟିଲାଗଡ଼ (ସାଧାରଣ) ଓ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ। କନ୍ଧମାଳ ଲୋକସଭା ନିର୍ବାଚନମଣ୍ଡଳୀରେ ଆସୁଥିବା ବାଲିଗୁଡ଼ା (ଏସଟି), ଜି.ଉଦୟଗିରି (ଏସଟି), ଫୁଲବାଣୀ (ଏସଟି), କଣ୍ଟାମାଳ (ସାଧାରଣ), ବୌଦ୍ଧ (ସାଧାରଣ), ଦଶପଲ୍ଲା (ଏସସି) ଓ ଭଞ୍ଜନଗର (ସାଧାରଣ) ବିଧାନସଭା ଆସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଆସ୍କା ଲୋକସଭା ଆସନ ଅଧୀନରେ ଆସୁଥିବା ପୋଲସରା (ସାଧାରଣ), କିବସୂର୍ଯ୍ୟନଗର (ସାଧାରଣ), ଖଲ୍ଲିକୋଟ (ଏସସି), ଆସ୍କା (ସାଧାରଣ), ସୋରଡ଼ା (ସାଧାରଣ), ସାନଖେମୁଣ୍ଡି (ସାଧାରଣ) ଓ ହିଞ୍ଜିଳି (ସାଧାରଣ) ବିଧାନସଭା ଆସନରେ ଏପ୍ରିଲ ୧୮ ତାରିଖରେ ଭୋଟଗ୍ରହଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଜିଠାରୁ ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ମାର୍ଚ୍ଚ ୨୬ ତାରିଖକୁ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୨୭ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା ସହ ୨୯ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ସ୍ଥିର କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ୫ଟି ଲୋକସଭା ଆସନର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ସେସବୁ ନିର୍ବାଚନମଣ୍ଡଳୀରେ ପୁଲିଂ ବୁଥଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯିବ। ସେଗୁଡ଼ିକ ହେଲା ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ପଦ୍ମପୁର, ଭଟଲୀ ବିଧାନସଭା ନିର୍ବାଚନମଣ୍ଡଳୀ, ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ରଘୁନାଥପଲ୍ଲୀ ଓ ବଣାଇ ବିଧାନସଭା ନିର୍ବାଚନମଣ୍ଡଳୀରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ସେହିପରି ବଲାଙ୍ଗୀର ଲୋକସଭା ନିର୍ବାଚନମଣ୍ଡଳୀର ପାଟଣାଗଡ଼, କଣ୍ଟାବାଞ୍ଜି, କନ୍ଧମାଳ ଲୋକସଭା ଆସନ ଅଧୀନରେ ଥିବା ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା ଓ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ସମ୍ବେଦନଶୀଳ ବୁଥଗୁଡ଼ିକରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯନ୍ତ ଭୋଟ ଗ୍ରହଣ ହେବ।

ଦ୍ବିତୀୟ ଦିନରେ ବିଧାନସଭା ପାଇଁ ୪, ଲୋକସଭା ପାଇଁ ଗୋଟିଏ ପ୍ରାର୍ଥିିପତ୍ର
ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଦ୍ବିତୀୟ ଦିନରେ ମାଲକାନଗିରି , ଗୋପାଳପୁର ଓ ବ୍ରହ୍ମପୁର ବିଧାନସଭା ଆସନ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେହିପରି ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସ୍କା ଲୋକସଭା ଆସନ ପାଇଁ ଜଣେ ଓ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ଜଣେ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ସୂଚନା ଅନୁଯାୟୀ ମଙ୍ଗଳବାର ବିଧାସଭା ଆସନ ପାଇଁ ୪ଜଣ ଓ ଲୋକସଭା ଆସନ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଗତକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ବିଧାନସଭା ଆସନ ପାଇଁ ୪ଜଣ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦୁଇଦିନରେ ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ମିଶି ବିଧାନସଭା ପାଇଁ ୮ ଜଣ ଓ ଲୋକସଭା ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ସମ୍ବନ୍ଧିତ ଖବର